ପେଗାସସ୍‌ର ଶିକାର ହୋଇଥିଲେ ଆମକୁ ଜଣାଅ: ସୁପ୍ରିମ୍‌କୋର୍ଟ ପ୍ୟାନେଲ

ନୂଆଦିଲ୍ଲୀ: ଯେଉଁମାନେ ସନ୍ଦେହ କରୁଛନ୍ତି ଯେ ସେମାନଙ୍କ ମାବାଇଲ ଫୋନକୁ ପେଗାସସ୍ ସ୍ପାଇୱେର ଦ୍ବାରା ଟାର୍ଗେଟ କରାଯାଇଛି, ସେମାନେ ସୁପ୍ରିମ୍‌କୋର୍ଟ ବୈଷୟିକ କମିଟି ସହ ଯୋଗାଯୋଗ କରି ତାହାର ସବିଶେଷ ବିବରଣୀ ପ୍ରଦାନ କରିବାକୁ କମିଟି ନିବେଦନ କରିଛି। ସୁପ୍ରିମ୍‌କୋର୍ଟ ଦ୍ବାରା ଗତ ଅକ୍ଟୋବର ମାସରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆର୍‌ଭି ରବୀନ୍ଦ୍ରନଙ୍କ ନେତୃତ୍ବରେ ଗଠିତ ତିନିଜଣିଆ କମିଟିକୁ ପୋଗାସସ୍ ଗୁପ୍ତଚରଗିରି ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଯେଉଁମାନେ ପେଗାସସ୍ ସ୍ପାଇୱେରର ଶିକାର ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ସେମାନେ ଜାନୁଆରି ୭ ତାରିଖ ଭିତରେ ବିଶଦ ବିବରଣୀ ସହ ନିଜର ଅଭିଯୋଗ ଦାୟର କରିବାକୁ କମିଟି ପବ୍ଲିକ୍ ନୋଟିସ୍ ଜାରି କରିଛି।

ପେଗାସସ୍ ଗୁପ୍ତଚରଗିରିକୁ ନେଇ ଗତବର୍ଷ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଏହି ଇସ୍ରାଏଲୀ ସ୍ପାଇୱେରକୁ ବ୍ୟବହାର କରି ସରକାର ବିରୋଧୀ ଦଳର ରାଜନେତା, ସାମ୍ବାଦିକ ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଟାର୍ଗେଟ କରୁଛନ୍ତି ବୋଲି ଅଭିଯୋଗ ଉଠିଥିଲା। ଯେଉଁମାନେ ସ୍ପାଇୱେରର ଶିକାର ହୋଇଛନ୍ତି ବୋଲି ସନ୍ଦେହ କରୁଛନ୍ତି ସେମାନେ କମିଟିକୁ ଏକ ଇମେଲ ପଠାଇବାକୁ କୁହାଯାଇଛି। ଏଥିସହ କେଉଁ କାରଣରୁ ସେମାନେ ଏପରି ସନ୍ଦେହ କରୁଛନ୍ତି ତାହା ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଛି। ଯଦି କମିଟି ଭାବିବ ଯେ ଏହା ଉପରେ ଅଧିକ ତଦନ୍ତ ଆବଶ୍ୟକ ତେବେ ବିଶେଷଜ୍ଞ କମିଟିକୁ ପରୀକ୍ଷା ପାଇଁ ସେଲ୍‌ଫୋନ୍‌ ଦେବାକୁ ହେବ। ଦିଲ୍ଲୀର କଲେକ୍ସନ ପଏଣ୍ଟରେ ମୋବାଇଲ ସଂଗ୍ରହ କରାଯିବ। ପରୀକ୍ଷା ସରିଲା ପରେ ମୋବାଇଲ ଫେରସ୍ତ ଦିଆଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର