ମୁମ୍ବାଇ: ସାନି ନିର୍ବାଚନରେ ଅବତୀର୍ଣ୍ଣ ହେବା ଲାଗି ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଏକନାଥ ସିନ୍ଦେ ଏବଂ ତାଙ୍କର ‘ବିଜେପି’ ମିତ୍ରମାନଙ୍କୁ ଆହ୍ବାନ ଦେଇଛନ୍ତି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଚାଲନ୍ତୁ, ସଭିଏଁ ସାନି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଏବଂ ଲୋକମାନଙ୍କଦ୍ବାରା ଚୂଡ଼ାନ୍ତ ଫଏସଲା କରାଇବା। ମୁଁ ଇସ୍ତଫା ଦେଇଥିବାରୁ ମୁଖ୍ୟମନ୍ତ୍ରୀ (ସିନ୍ଦେ) ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତବର୍ଷ ବିଦ୍ରୋହ କରିଥିବା ‘ଶିବସେନା’ ବିଧାୟକମାନଙ୍କୁ (ଯେଉଁମାନଙ୍କ ଯୋଗୁଁ ତାଙ୍କ ସରକାର ଭାଙ୍ଗିଲା) ଅଯୋଗ୍ୟ ଘୋ‌ଷଣା କରାଯିବା ପ୍ରତି ଯଦି ବିଧାନସଭାର ବାଚସ୍ପତି କ‌ୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ସେ ପୁନର୍ବାର ସୁପ୍ରିମ୍‌ କୋର୍ଟରେ ଆବେଦନ କରିବେ।

ସେ କହିଛନ୍ତି, ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବାଚସ୍ପତି ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ, ପୂର୍ବଥର ସୁପ୍ରିମ୍‌ କୋର୍ଟକୁ ଗଲାପରି ଆମେ ପୁଣି ଥରେ ସୁପ୍ରିମ୍‌ କୋର୍ଟକୁ ଯିବୁ। ଏବେ ବାଚସ୍ପତି ବିଦେଶ ଯାଇଛନ୍ତି। ସେ ଫେରିଲେ, ଯଥାଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବେ।

publive-image Image Courtesy of Times Now

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କୁ କହିବାକୁ ଚାହେଁ ଯେ, ଦେଶରେ ଚାଲିଥିବା ‘ଉଲଗ୍ନ ନୃତ୍ୟ’ ବନ୍ଦ କରନ୍ତୁ। ସମଗ୍ର ବିଶ୍ବରେ ମହାରାଷ୍ଟ୍ରର ନାଁ’ରେ ଅପବାଦ ହେଲା। ଏମିତି ହେବା ଅନୁଚିତ ବୋଲି ସେ କହିଛନ୍ତି।

ପୂର୍ବତନ ରାଜ୍ୟପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ କହିଛନ୍ତି, ଭଗତ ସିଂହ କୋଶିୟାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗଲେ, ଅନ୍ୟମାନେ କୌଣସି ବେଆଇନ କାର୍ଯ୍ୟ କରିବେ ନାହିଁ।

ସୂଚନାଯୋଗ୍ୟ, ଇସ୍ତଫା ଦେଇଥିବା କାରଣରୁ ଉଦ୍ଧବ ଠାକ୍‌ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ‘ଫ୍ଲୋର୍‌ ଟେଷ୍ଟ୍‌’ ଡକାଇ ରାଜ୍ୟପାଳ ମଧ୍ୟ ଆଇନଗତ ତ୍ରୁଟି କରିଛନ୍ତି ବୋଲି ଗୁରୁବାର ଦିନ ଉଦ୍ଧବ ଠାକ୍‌ରେ ଓ ଏକନାଥ ସିନ୍ଦେ ବିବାଦରେ ରାୟ ଶୁଣାଇ ସୁପ୍ରିମ୍‌ କ‌ୋର୍ଟ କହିଥିଲେ।