ୟୁରୋପୀୟ ସାଂସଦଙ୍କ କଶ୍ମୀର ପରିଦର୍ଶନକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ବିରୋଧ

ନୂଆଦିଲ୍ଲୀ : ଜମ୍ମୁ ଓ କଶ୍ମୀର ପରିଦର୍ଶନରେ ଯିବାକୁ ଥିବା ୟୁରୋପୀୟ ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ମୋଦୀ ସେମାନଙ୍କୁ କହିଛନ୍ତି ଯେ ଏହି ଗସ୍ତ ଦ୍ୱାରା ସେମାନେ କଶ୍ମୀରକୁ ଭଲଭାବରେ ବୁଝିପାରିବେ । ଏହା ସହିତ ଭାରତ ସରକାର ସେଠାରେ କରିବାକୁ ଯାଉଥିବା ବିକାଶମୂଳକ କାର୍ଯ୍ୟକୁ ଜାଣିପାରିବେ । ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଦ୍ୱାରା ଜମ୍ମୁ ଓ କଶ୍ମୀରରେ ହିଂସାକାଣ୍ଡ ଓ ଅସ୍ଥିରତା ରହୁଛି । ମିଳିତଭାବରେ ଆତଙ୍କବାଦ ବିରୁଦ୍ଧରେ ଲଢିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ୟୁରୋପୀୟ ସାଂସଦମାନଙ୍କ ଏହି କଶ୍ମୀର ଗସ୍ତକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ଭାରତର ବୈଦେଶିକ ମନ୍ତ୍ରାଳୟ ଏପରି ଏକ ଅଣଔପଚାରିକ ଗସ୍ତ ଆୟୋଜନ କରିଥିବାରୁ ମୁଁ ଆଶ୍ଚର୍ଯ୍ୟ ହେଉଛି । ଏହା ଭାରତର ଜାତୀୟ ନୀତିର ବିରୋଧୀ, ସରକାର ତୁରନ୍ତ ଏହି ଗସ୍ତକୁ ବାତିଲ କରନ୍ତୁ । ଆସନ୍ତା କାଲି ଏହି ଦଳ କଶ୍ମୀର ଯିବେ ।

ଏହି ୨୮ ଜଣିଆ ୟୁରୋପୀୟ ସାଂସଦ ଦଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲଙ୍କୁ ମଧ୍ୟ ଭେଟିଛନ୍ତି । ଭାରତ ସରକାର ଗତ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ କୌଣସି ବିଦେଶୀ ପ୍ରତିନିଧିମଣ୍ଡଳର ଏହା ହେଉଛି ପ୍ରଥମ କଶ୍ମୀର ଗସ୍ତ ।

ସମ୍ବନ୍ଧିତ ଖବର