ଓଡ଼ିଶା ସମେତ ୨୧ ରାଜ୍ୟକୁ କେନ୍ଦ୍ରର ଚିଠି : ପାନୀୟ ଜଳ ଯୋଜନାର ବଳକା ଅର୍ଥ ଫେରାଅ

ନୂଆଦିଲ୍ଲୀ : ଜାତୀୟ ଗ୍ରାମୀଣ ପାନୀୟ ଜଳ ଯୋଜନା (ପ୍ରାକୃତିକ ବିପର୍ଯ୍ୟୟ) ଅନ୍ତର୍ଗତ ରାଜ୍ୟଗୁଡ଼ିକରେ ଖର୍ଚ୍ଚ ନହୋଇ ପଡ଼ିରହିଥିବା ଅର୍ଥ ବାବଦରେ କେନ୍ଦ୍ର ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସମେତ ୨୧ଟି ରାଜ୍ୟକୁ ଚିଠି ଲେଖାଯାଇଛି। ଏହି ଯୋଜନା ଅନ୍ତର୍ଗତ ୨୦୧୧-୧୨ରୁ ୨୦୧୮ ଅକ୍ଟୋବର ୨୬ ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇଥିବା ଅର୍ଥ ସମ୍ପର୍କରେ ବିନିଯୋଗ ପ୍ରମାଣପତ୍ର (ୟୁସି) ପଠାଇବା ପାଇଁ କୁହାଯାଇଛି। ସେହିଭଳି ବଳକା ରହିଥିବା ଅର୍ଥରାଶିକୁ ମନ୍ତ୍ରାଳୟକୁ ଫେରସ୍ତ ନିମନ୍ତେ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ ଯଦି ବଳକା ଅର୍ଥରାଶିକୁ ରାଜ୍ୟଗୁଡ଼ିକ ନ ଫେରାନ୍ତି, ତେବେ ପରବର୍ତ୍ତୀ ଆବଣ୍ଟନ ବେଳେ ଏହା ଆଦାୟ କରାଯିବ। ମନ୍ତ୍ରାଳୟର ତଥ୍ୟ ଅନୁସାରେ ଓଡ଼ିଶାକୁ ୨୦୧୧-୧୨ରେ ଉକ୍ତ ଯୋଜନାରେ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ଏଥିରୁ ରାଜ୍ୟ ସରକାର ୪.୪୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଏବଂ ୫.୫୮ କୋଟି ଟଙ୍କା ଖର୍ଚ୍ଚ ହୋଇପାରି ନଥିଲା। ୨୦୧୩-୧୪ରେ ରାଜ୍ୟକୁ ମିଳିଥିବା ପ୍ରାୟ ୧୬.୮୯ କୋଟି ଟଙ୍କାରୁ କିଛି ଖର୍ଚ୍ଚ ହୋଇନଥିବା ଦର୍ଶାଯାଇଛି। ଯୋଜନା ଅନ୍ତର୍ଗତ ଓଡ଼ିଶା ସମେତ ୨୧ଟି ରାଜ୍ୟକୁ ୪୫୪.୦୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରୁ ୨୦୮.୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ୨୪୫.୦୬ କୋଟି ଟଙ୍କା ପଡ଼ିରହିଛି।

ସମ୍ବନ୍ଧିତ ଖବର