ପ୍ରଧାନମନ୍ତ୍ରୀଙ୍କୁ ୨୦୮ ଶିକ୍ଷାବିତ୍‌ଙ୍କ ପତ୍ର: ଶୈକ୍ଷିକ ପରିବେଶକୁ ନଷ୍ଟ କରୁଛନ୍ତି ବାମପନ୍ଥୀ ସଂଗଠନ

ନୂଆଦିଲ୍ଲୀ: ଦେଶର ୨୦୦ରୁ ଅଧିକ ଶିକ୍ଷାବିତ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖି ଦେଶରେ ଶୈକ୍ଷିକ ପରିବେଶକୁ ବାମପନ୍ଥୀ ସଂଗଠନମାନେ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାର ବାତବାରଣକୁ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ହେଉଛି ବୋଲି ସେମାନେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଭିନ୍ନ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର କୁଳପତି ମଧ୍ୟ ଅଛନ୍ତି। ଛାତ୍ର ରାଜନୀତି ନାମରେ ବାମପନ୍ଥୀମାନେ ସେମାନେଙ୍କ ଏଜେଣ୍ଡା ଆଗକୁ ବଢ଼ାଇବାକୁ ଯୋଜନା କରି ଛାତ୍ରମାନଙ୍କୁ ଏ ଦିଗରେ ମତାଉଛନ୍ତି। ଜେଏନ୍‌ୟରୁ ଆରମ୍ଭ କରି ଜାମିଆ ଏବଂ ଜାଦବପୁର ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ଶିକ୍ଷାର ପରିବେଶକୁ ନଷ୍ଟ କରି ଅରାଜକତାକୁ ପ୍ରୋତ୍ସାହନ ଦିଆଯାଉଛି। ବାମପନ୍ଥୀ ସଂଗଠନଗୁଡ଼ିକର କେତେକ କାର୍ଯ୍ୟକର୍ତ୍ତା ଛାତ୍ରମାନଙ୍କୁ ବିଭ୍ରାନ୍ତ କରି ଭିନ୍ନ ରାସ୍ତାରେ ନେବାକୁ ପ୍ରୟାସ କରୁଛନ୍ତି ବୋଲି କୁହାଯାଇଛି। ଜେଏନ୍‌ୟୁ ହିଂସା ଏବଂ ନାଗରିକତା ସଂଶୋଧନ ଆଇନ ବିରୋଧରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବେ ସରକାର ଶିକ୍ଷା ଜଗତର ସମର୍ଥନ ହାସଲ ପାଇଁ ପ୍ରୟାସ କରୁଥିବା କୁହାଯାଇଛି। ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗି ରହିଥିବା ବିଭ୍ରାନ୍ତି ଦୂର ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିମନ୍ତେ ଏବେ ଗୁରୁତ୍ବାରୋପ କରାଯାଉଛି।

ସମ୍ବନ୍ଧିତ ଖବର