‘ଲେଟର ଅଫ୍‌ କମ୍ଫର୍ଟ’ ନିଷିଦ୍ଧ କଲେ ରିଜର୍ଭ ବ୍ୟାଙ୍କ

ମୂଳ କଂପାନି ନିଜର ଶାଖା ସଂସ୍ଥା ପାଇଁ ଜାରି କରୁଥିଲେ, ଋଣ ଶୁଝିବାର କିନ୍ତୁ ଗ୍ୟାରେଣ୍ଟି ଦେଉ ନଥିଲେ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ‌‘ଲେଟର ଅଫ୍‌ କମ୍ଫର୍ଟ’କୁ ନିଷିଦ୍ଧ ଘୋଷଣା କରିଛନ୍ତି। ରେଟିଂ ଦେବା ବେଳେ ତାହାକୁ ବିଚାରକୁ ନଦେବା ଲାଗି ରଜିର୍ଭ ବ୍ୟାଙ୍କ ସମସ୍ତ ରେଟିଂ ଏଜେନ୍ସିକୁ କହିଛି। ଏହା ହେଉଛି ଏଭଳି ଏକ ଆର୍ଥିକ ଉପକରଣ ଯାହାକୁ ମୂଳ କଂପାନି ନିଜର ସହଯୋଗୀ କିମ୍ବା ଶାଖା କଂପାନି ପାଇଁ ଜାରି କରିଥାନ୍ତି। ମୁଖ୍ୟତଃ ବିଦେଶୀ କଂପାନିଗୁଡ଼ିକ ନିଜ ଭାରତୀୟ ଶାଖା କଂପାନି ପାଇଁ ‘ଲେଟର ଅଫ୍‌ କମ୍ଫର୍ଟ’ ଜାରି କରନ୍ତି। ସେହି ‌ଚିଠିକୁ ପ୍ରଦର୍ଶିତ କରି ଭାରତୀୟ ଶାଖା କଂପାନି ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଠାରୁ ଋଣ ନେଇଥାନ୍ତି।

‌ଲେଟର ଅଫ୍‌ କମ୍ଫର୍ଟ ଜାରି କରୁଥିବା ମୂଳ ସଂସ୍ଥା ଏହା ଜଣାଇବାକୁ ଚାହାନ୍ତି ଯେ ସହଯୋଗୀ କିମ୍ବା ଶାଖା କଂପାନି ଯେଉଁ ଋଣ ହାସଲ କରୁଛି ସେ ବିଷୟରେ ଆମେ ଭଲ ଭାବେ ଜାଣିଛୁ। କିନ୍ତୁ, କୌଣସି ପରିସ୍ଥିତିରେ ଯଦି ସେହି ଋଣ ବୁଡ଼ିଯିବ ତେବେ ତାହା ପରିଶୋଧ କରିବାର ଦାୟିତ୍ବ କିନ୍ତୁ ମୂଳ କଂପାନି ନିଜ ମୁଣ୍ଡକୁ ନେଉନାହିଁ। ଏହି ଚିଠି ଜରିଆରେ ହାସଲ କରାଯାଉଥିବା ଋଣ ବୁଡ଼ିଯିବାର ଆଶଙ୍କା ଥିବାରୁ ତାହାକୁ ରିଜର୍ଭ ବ୍ୟାଙ୍କ ନିଷିଦ୍ଧ ଘୋଷଣା କରିଛନ୍ତି।

ଲେଟର ଅଫ୍‌ କମ୍ଫର୍ଟ ବ୍ୟବହାର ଉପରେ କଟକଣା ଲଗାଯାଇଥିବାରୁ ପ୍ରାୟ ୩୫ ହଜାର କୋଟି ଟଙ୍କାର ଋଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଋଣର ୬୦ ପ୍ରତିଶତ ଶକ୍ତି, ସ୍ବାସ୍ଥ୍ୟସେବା, ଇଞ୍ଜିନିୟରିଂ, ନିର୍ମାଣ ଓ ସଡ଼କ କ୍ଷେତ୍ରରେ ସକ୍ରିୟ ଥିବା ସଂସ୍ଥାଗୁଡ଼ିକ ନେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୧ରେ ଲେଟର ଅଫ୍ କମ୍ଫର୍ଟ ଜାରି ନକରିବାକୁ ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗକୁ ଅର୍ଥ ମନ୍ତ୍ରାଳୟ କହିଥିଲେ। ସରକାରୀ ସ୍ତରରେ ଏଭଳି ଲେଟର ଜାରି କରିବାକୁ ବାରଣ କରାଯାଇଛି। ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଲେଟର ଅଫ୍‌ କମ୍ଫର୍ଟ ଜରିଆରେ ପାଣ୍ଠି ହାସଲ କରିବାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପାଇଁ ବାରଣ କରାଯିବ।

ସମ୍ବନ୍ଧିତ ଖବର