ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଶୂନ୍ୟକାଳରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗ ନେଇ କରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କିଶନ ରେଡ୍ଡୀ।
ଏହି ଉତ୍ତରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ନିଷିଦ୍ଧାଞ୍ଚଳରେ ଭକ୍ତମାନଙ୍କ ପାଇଁ ସୁବିଧା (ପାଣି,ବିଦ୍ୟୁତ, ଡ୍ରେନ, ଶୌଚାଳୟ) ବ୍ୟତୀତ ଅନ୍ୟ କୌଣସି ବୃହତ ନିର୍ମାଣ ହୋଇ ପାରିବ ନାହିଁ।
/sambad/media/post_attachments/wp-content/uploads/2022/06/ee574039-11f8-4d26-b78d-d952a6da2a99.jpg)
ସବୁଠାରୁ ବଡ଼ କଥା ହେଲା ଯେ ପୁରୀ ସାଂସଦ ପିନାକୀ ମିଶ୍ର ଏନଏମଏର ଯେଉଁ ଏନଓସିକୁ ସଂସଦରେ ବାରମ୍ବାର ଦେଖାଉଥିଲେ ତାକୁ ଖାରଜ କରିବା ସହ ଏହି ପତ୍ରକୁ ଏନଓସି ନୁହେଁ ବୋଲି ଅପରାଜିତା ସ୍ପଷ୍ଟ କରିଛନ୍ତି।
ଲୋକସଭାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଶୂନ୍ୟକାଳରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଶ୍ରୀମନ୍ଦିର ନିକଟରେ ଚାଲିଥିବା ନିର୍ମାଣକୁ ବେଆଇନ ଦର୍ଶାଇ ଏହାକୁ ବନ୍ଦ କରିବାକୁ ଦାବି କରିଥିବା ବେଳେ ଏହାର କଡ଼ା ଜବାବ ଦେଇଥିଲେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର। ପିନାକୀ ଅପରାଜିତାଙ୍କର ଅଭିଯୋଗକୁ ଅସତ୍ୟ ବୋଲି ବର୍ଣ୍ଣନା କରିବା ସହିତ ରାଜ୍ୟ ସରକାର କେବେ ବି କୌଣସି ବେଆଇନ କାମକୁ ପ୍ରଶୟ ଦିଅନ୍ତି ନାହିଁ ବୋଲି କହିଛନ୍ତି। ଆଜି ଏ ପ୍ରସଙ୍ଗରେ ବିଜେଡି-ବିଜେପି ତର୍କ ଗୃହରେ ସରଗରମ ପରିସ୍ଥିତି ସୃଷ୍ଟି କରିଥିଲା।
/sambad/media/post_attachments/wp-content/uploads/2022/04/aparajita-750x340.jpg)
ଐତିହ୍ୟ କରିଡର ପ୍ରସଙ୍ଗ ଉଠାଇ ଅପରାଜିତା କହିଥିଲେ, ଦେଶର ଚାରିଧାମରୁ ପୁରୀ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ। ଏହା ହିନ୍ଦୁମାନଙ୍କର ଆସ୍ଥାର କେନ୍ଦ୍ର। ଦ୍ବାଦଶ ଶତାବ୍ଦୀରୁ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ରକ୍ଷା କରିବା ସମସ୍ତଙ୍କର କର୍ତ୍ତବ୍ୟ। ୧୯୫୮ରେ ସଂସଦରେ ଆମ୍ସାର୍ ଆଇନ ପାରିତ ହୋଇଥିଲା। ଏହି ଆଇନରେ ବ୍ୟବସ୍ଥା ରହିଛି ଯେ କୌଣସି ଐତିହ୍ୟସ୍ଥଳରେ ୧୦୦ ମିଟର ନିଷିଦ୍ଧାଞ୍ଚଳ। ଏହା ମଧ୍ୟରେ କୌଣସି ପ୍ରକାର ନୂଆ ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। ଏହାପରେ ୨୦୦ ମିଟରର ରେଗୁଲେଟେଡ ଏରିଆରେ ଯଦି ନିର୍ମାଣ କାର୍ଯ୍ୟ କରାଯିବ ତେବେ ନ୍ୟାସନାଲ ମନ୍ୟୁମେଣ୍ଟର ଅନୁମତି ନେବାକୁ ପଡିଥାଏ। କିନ୍ତୁ ପୁରୀ ଶ୍ରୀମନ୍ଦିର କ୍ଷେତ୍ରରେ ସେପରି କିଛି ହୋଇନାହିଁ। ଆହୁରି ବିଡ଼ମ୍ବନା ହେଲା ସବୁ ନିୟମକୁ ଅଣଦେଖା କରି ତଥା ବେଆଇନଭାବେ ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ଏବଂ ନିୟନ୍ତ୍ରିତ ଅଞ୍ଚଳରେ ବ୍ୟାପକଭାବେ ଖନନ ଓ ଭଙ୍ଗାରୁଜା କାର୍ଯ୍ୟ ଜାରି ରଖିଛନ୍ତି। ଏଏସଆଇ ଓ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିର ଅନୁମତି ନିଆଯାଇନାହିଁ।
ସାଂସଦ ଆହୁରି କହିଥିଲେ, ବିକାଶ ଓ ସୌନ୍ଦର୍ଯୀକରଣ କାର୍ଯ୍ୟକୁ ଆମେ ସମର୍ଥନ କରୁଛୁ। ହେଲେ ଆଇନର ଉଲ୍ଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଇପାରିବ ନାହିଁ। ମନ୍ଦିରକୁ କ୍ଷତି ପହଞ୍ଚାଇବା କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ। ଯେତେବେଳେ ଏହି ନିର୍ମାଣ ଆରମ୍ଭ ହେଲା ସେତେବେଳେ ପରାମର୍ଶଦାତା କମିଟି ଗଠନ କରାଯାଇଥିଲା। ହେଲେ ସେଥିରେ ଏଏସ୍ଆଇର କୌଣସି ସଦସ୍ୟଙ୍କୁ ରଖାଗଲା ନାହିଁ। ବିନା ଏଏସଆଇରେ କାର୍ଯ୍ୟ କିଭଳି ସଂପାଦିତ କରାଯାଉଛି ସେ ନେଇ ଅପରାଜିତା ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ସେହିପରି ପ୍ରକଳ୍ପର ପ୍ରଭାବ ଆକଳନ ଅଧ୍ୟୟନ କରାଯାଇନାହିଁ। ଏଥି ସହିତ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ ହୋଇନାହିଁ ବୋଲି ଅପରାଜିତା ଅଭିଯୋଗ କରିଥିଲେ।
/sambad/media/post_attachments/wp-content/uploads/2022/03/puri-ssss-300x189.jpg)
ସାଂସଦ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିରର ଏହା ସୁରକ୍ଷାର ପ୍ରଶ୍ନ। ଏହା ସାଢ଼େ ଚାରି କୋଟି ଓଡିଆଙ୍କ ଭାବାବେଗ ସହିତ ଜଡ଼ିତ। ଏହି ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ବିକାଶର କାର୍ଯ୍ୟ ଆଇନର ପରିଧିରେ ହେଉ। ନ୍ୟାସନାଲ ମନ୍ୟୁମେଣ୍ଟ ଅଥିରିଟିର ଅନୁମତି ନେବା ଅପରିହାର୍ଯ୍ୟ। ବର୍ତ୍ତମାନ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୧୦୦ ମିଟର ଭିତର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ସେ ଦାବି କରିଥିଲେ।
ଅପରାଜିତାଙ୍କ ଅଭିଯୋଗ ଉପରେ ପିନାକୀ ମିଶ୍ର ଜବାବ ରଖିଥିଲେ। ପିନାକୀ କହିଥିଲେ, ଶ୍ରୀଜଗନ୍ନାଥ ଐତିହ୍ୟ କରିଡରରେ ଯେଉଁ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ସେଥିପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟିରୁ ଏନ୍ଓସି ହାସଲ କରାଯାଇଛି। ଏହି କାର୍ଯ୍ୟରେ ଏଏସ୍ଆଇ ସାମିଲ ରହିଛି। ସେଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନାହିଁ ବୋଲି ସୂଚାଇ ଶ୍ରୀ ମିଶ୍ର ସିଧାସଳଖ ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ସେଠାରେ କେବଳ ୪ ଟି ଶୌଚାଳୟ ନିର୍ମାଣ କରାଯାଉଥିବା କହିଥିଲେ ପିନାକୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-23.png)
