ରାୟ ପରେ ବି ବିବାଦ ରହିବ! ଏଲ୍‌ଜି-ଆପ୍‌ ସରକାର ଲଢ଼େଇ

ନୂଆଦିଲ୍ଲୀ ଦିଲ୍ଲୀ ସରକାର ଏବଂ ଏଲ୍‌୍‌ଜିଙ୍କ କ୍ଷମତା ବିବାଦ ନେଇ ଆଜି ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ଯାଇଛି। ତେବେ ଏହା ସତ୍ତ୍ୱେ ଉପରାଜ୍ୟପାଳ (ଏଲ୍‌ଜି) ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ମଧ୍ୟରେ ବିବାଦ ଲାଗିରହିବ ବୋଲି ଆଶଙ୍କା ରହିଛି। ପ୍ରଥମତଃ ସୁପି୍ରମ୍‌କୋର୍ଟ ଦର୍ଶାଇଛନ୍ତି ଯେ ଉପରାଜ୍ୟପାଳ କୌଣସି ନିଷ୍ପତ୍ତି ଏକଚାଟିଆ ଭାବେ ନେଇପାରିବେ ନାହିଁ। ଏଥିପାଇଁ ରାଜ୍ୟ କ୍ୟାବିନେଟ୍‌ର ପରାମର୍ଶ ନେବେ। କିନ୍ତୁ ସହମତି ହୋଇନପାରିଲେ ଉପରାଜ୍ୟପାଳ ରାଷ୍ଟ୍ରପତିଙ୍କ ମଞ୍ଜୁରି ବି ନେଇପାରିବେ ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇଛନ୍ତି। ଏଭଳି ସ୍ଥଳେ ରାଷ୍ଟ୍ରପତିଙ୍କୁ ଗୃହ ମନ୍ତ୍ରାଳୟର ପରାମର୍ଶ ନେବାକୁ ପଡ଼ିବ। ଏହାଦ୍ୱାରା କେଜ୍ରିଓ୍ଵାଲ୍‌ ସରକାରଙ୍କ କ୍ଷମତା ସଙ୍କୁଚିତ ହେବ ଏବଂ ଏହା ବିବାଦକୁ ଅଯଥା ବଢ଼ାଇବ। ଦ୍ୱିତୀୟତଃ ଏବେ ବି ପୁଲିସ ବାହିନୀ କେନ୍ଦ୍ର ନିୟନ୍ତ୍ରଣରେ ରହିଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ବଳ କାର୍ଯ୍ୟ କରିବ ବୋଲି ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ଏହାର ନଜିର ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଦିଲ୍ଲୀକୁ ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ଭାବେ ଘୋଷଣା କରିବା ପାଇଁ ଆପ୍‌ ସରକାର ନିଜ ଆନ୍ଦୋଳନ ଜାରି ରଖିବ। ଏହାକୁ ନେଇ ଉପରାଜ୍ୟପାଳ ଓ ଆପ୍‌ ସରକାର ମଧ୍ୟରେ ବିବାଦ ବଢ଼ିବ। କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା ଦୃଷ୍ଟିରୁ ଦିଲ୍ଲୀରେ ରାଜ୍ୟ ସମେତ କେନ୍ଦ୍ର ଅଧିକାରୀମାନେ ରହିବେ। ତେଣୁ ଅଧିକାରୀଙ୍କ ନିଯୁକ୍ତି, ବଦଳିକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ସ୍ଥିତି ଲାଗିରହିବ ବୋଲି କୁହାଯାଉଛି।

କେଉଁ ବିଚାରପତି କ’ଣ କହିଲେ
ପ୍ରଧାନ ବିଚାରପତି ଦୀପକ ମିଶ୍ର: ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଖିରେ ରଖି ହିଁ କୋର୍ଟକୁ ସାମ୍ବିଧାନିକ ବ୍ୟାଖ୍ୟ କରିବାକୁ ହୋଇଥାଏ। ରାଜ୍ୟର ତିନିଟି ଅଙ୍ଗ ସମ୍ବିଧାନ ସହିତ ଯୋଡ଼ିହୋଇଛି। ତେଣୁ କୋର୍ଟ ଯେ କୌଣସି ନିଷ୍ପତ୍ତି ନିଅନ୍ତୁ ନା କାହିଁକି ସେ ସବୁ ସମ୍ବିଧାନ ଅନୁସାରେ ହେବା ଆବଶ୍ୟକ। ସେହିଭଳି ସଂଘୀୟ ଢାଞ୍ଚା ଅନୁସାରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଦିଲ୍ଲୀର ଉପରାଜ୍ୟପାଳ ରାଜ୍ୟ କ୍ୟାବିନେଟ୍‌ର ପରାମର୍ଶ ଅନୁସାରେ କାର୍ଯ୍ୟ କରିବା ଦରକାର। ନିର୍ବାଚିତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସେ କାର୍ଯ୍ୟ କରିବେ। ମନ୍ତ୍ରୀ ପରିଷଦ ସହ ତାଳମେଳ ରଖି ଉପରାଜ୍ୟପାଳଙ୍କୁ କର୍ତ୍ତବ୍ୟ କରିବା ଉଚିତ। ତା’ଛଡ଼ା ସମ୍ବିଧାନ ଅନୁସାରେ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ନେବା ପରେ ଏ ନେଇ ଉପରାଜ୍ୟପାଳଙ୍କ ସହ ପରାମର୍ଶ ବା ମଞ୍ଜୁରି ଆଣିପାରିବେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମନ୍ତ୍ରୀ ପରିଷଦ ଉପରାଜ୍ୟପାଳଙ୍କ ଅଧୀନରେ କାର୍ଯ୍ୟ କରିବ। ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼: ସାମ୍ବିଧାନିକ ଝଗଡ଼ାକୁ ନେଇ ଗଣତନ୍ତ୍ର ପ୍ରଭାବିତ ହେବା ଉଚିତ ନୁହେଁ। ଜନତାଙ୍କ କ୍ଷମତା, ଶାସନର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ଧର୍ମନିରପେକ୍ଷତା ହେଉଛି ସମ୍ବିଧାନର ଅବିଚ୍ଛେଦ୍ୟ ଅଙ୍ଗ। ପରସ୍ପରକୁ ସହାୟତା ଓ ପରାମର୍ଶ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ଗଣତାନ୍ତ୍ରିକ ଭାବନାକୁ ସୁଦୃଢ଼ କରିଥାଏ। ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଉପରାଜ୍ୟପାଳ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ମୌଳିକ ନିଷ୍ପତ୍ତି ନେବା ମନ୍ତ୍ରିମଣ୍ଡଳର ମୁଖ୍ୟ ଦାୟିତ୍ୱ ବୋଲି ଉପରାଜ୍ୟପାଳ ଭଲ ଭାବେ ହୃଦୟଙ୍ଗମ କରିବା ଆବଶ୍ୟକ। ବିଚାରପତି ଅଶୋକ ଭୂଷଣ: ରାଜଧାନୀ ଦିଲ୍ଲୀରେ ଆଇନ ପ୍ରସ୍ତୁତ କରିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଧିକାର ରହିଛି। ତେବେ ସମ୍ବିଧାନର ଧାରା ୨୩୯ ଏଏ (୪)କୁ ଛାଡ଼ି ଦିଲ୍ଲୀର ଉପରାଜ୍ୟପାଳ ମନ୍ତ୍ରୀ ପରିଷଦର ପରାମର୍ଶକ୍ରମେ କାର୍ଯ୍ୟ କରିବା ଦରକାର। ଏହି ଧାରା ଅନୁସାରେ ଆବଶ୍ୟକତା ବେଳେ ହିଁ ଉପରାଜ୍ୟପାଳ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ।

ଦିଲ୍ଲୀବାସୀଙ୍କ ବିଜୟ ହୋଇଛି: କେଜ୍ରିଓ୍ଵାଲ୍‌
ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସ୍ୱାଗତ କରିବା ସହିତ ଏଥିରେ ଦିଲ୍ଲୀବାସୀଙ୍କ ବିଜୟ ହୋଇଛି ବୋଲି କହିଛନ୍ତି। ଏହାସହିତ ସୁପ୍ରିମ୍‌କୋର୍ଟ ଏହି ରାୟ ଦେଇ ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି। ପୂର୍ବରୁ ଅଟକି ରହିଥିବା ସରକାରଙ୍କ ସମସ୍ତ ପଦକ୍ଷେପର ସମୀକ୍ଷା କରି ପରବର୍ତ୍ତୀ ଘୋଷଣା କରାଯିବ ବୋଲି ସେ କହିଛନ୍ତି। ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଛି।

ପୂର୍ଣ୍ଣାଙ୍ଗ ରାଜ୍ୟ ଦାବିରୁ ଓହରୁ ଆପ୍‌: ବିଜେପି
ଦିଲ୍ଲୀରେ କ୍ଷମତା ଯୁଦ୍ଧକୁ ନେଇ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟକୁ ସ୍ୱାଗତ କରି ବିଜେପି ନେତା ତଥା ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା କହିଛନ୍ତି, ଏବେ ଆପ୍‌ ସରକାର ଦିଲ୍ଲୀକୁ ପୂର୍ଣ୍ଣାଙ୍ଗ ରାଜ୍ୟ ଘୋଷଣା କରିବା ଦାବିରୁ ଓହରିଯିବା ଆବଶ୍ୟକ। ଏବେ ଆପ୍‌ ସରକାର ନିୟମ ଅନୁସାରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ସେହିଭଳି ଦିଲ୍ଲୀର ବିଜେପି ମୁଖପାତ୍ର ପ୍ରବୀଣ ଶଙ୍କର କପୁର କହିଛନ୍ତି, ସୁପି୍ରମ୍‌କୋର୍ଟଙ୍କ ରାୟ ପରେ ଉଭୟ ରାଜ୍ୟ ସରକାର ଓ ଉପରାଜ୍ୟପାଳ ପରସ୍ପର ସହ ସମନ୍ଵୟ ରଖି କାର୍ଯ୍ୟ କରିବେ। ତା’ଛଡ଼ା ଦିଲ୍ଲୀ ଏବେ ଏକ କେନ୍ଦ୍ରଶାସିତ ଅଞ୍ଚଳ ବୋଲି ସ୍ପଷ୍ଟ ହୋଇଯାଇଛି। କେଜ୍ରିଓ୍ଵାଲ ନିଜର ନାଟକ ଓ ଧାରଣା ଛାଡ଼ି ଲୋକଙ୍କ ପାଇଁ କାମ କରିବା ଜରୁରୀ ବୋଲି ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ପୁଡୁଚେରି ପାଇଁ ୧୦୦% ଲାଗୁ: କଂଗ୍ରେସ
ପୁଡୁଚେରି: ଦିଲ୍ଲୀର ବସ୍‌ ଉପରାଜ୍ୟପାଳ ନୁହେଁ ବୋଲି ଆଜି ସୁପି୍ରମ୍‌କୋର୍ଟ ନିଜ ଶୁଣାଣିରେ ସ୍ପଷ୍ଟ କରିବା ପରେ ପୁଡୁଚେରି ରାଜନୀତି ଚଳଚଞ୍ଚଳ ହୋଇଉଠିଛି। କେନ୍ଦ୍ରଶାସିତ ଅଞ୍ଚଳ ଦୃଷ୍ଟିରୁ ପୁଡୁଚେରିରେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ରହିବ ଏବଂ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ସଙ୍କୁଚିତ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୁଡୁଚେରି ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ କହିଛନ୍ତି। ଏଣିକି ପୁଡୁଚେରି ଉପରାଜ୍ୟପାଳ କିରନ ବେଦୀ ମଧ୍ୟ ରାଜ୍ୟ ମନ୍ତ୍ରୀପରିଷଦର ପରାମର୍ଶକ୍ରମେ କାର୍ଯ୍ୟ କରିବେ ଏବଂ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କ୍ୟାବିନେଟ୍‌ ସହିତ ବିଚାରବିମର୍ଶ କରିବେ ବୋଲି ସେ କହିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ଆଜିର ରାୟ ପୁଡୁଚେରି କ୍ଷେତ୍ରରେ ବି ୧୦୦% ଲାଗୁ ହେବ ବୋଲି ଦର୍ଶାଇଛନ୍ତି। ଉଲ୍ଲେଖଥାଉ କି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଲ୍ଲୀ ଭଳି ପୁଡୁଚେରିରେ ବି ନାରାୟଣସ୍ୱାମୀ ଓ କିରନ ବେଦୀଙ୍କ ମଧ୍ୟରେ ବିବାଦ ଲାଗିରହୁଛି। କିରନ ତାଙ୍କ ସରକାରରେ ବାରମ୍ବାର ହସ୍ତକ୍ଷେପ କରି ଅଯଥା ବିବାଦ ସୃଷ୍ଟି କରୁଥିବା ନାରାୟଣସ୍ୱାମୀ ଅଭିଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର