ଦିଲ୍ଲୀରେ ଏଲ୍‌ଜି-ମୁଖ୍ୟମନ୍ତ୍ରୀ ଟକ୍କର

ନୂଆ ଅବକାରୀ ନୀତିର ସିବିଆଇ ତଦନ୍ତ ହେବ, ଆମେ ଜେଲ୍‌କୁ ଭୟ କରୁନୁ: ‌କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱା‌ଲଙ୍କ ନେତୃତ୍ବାଧୀନ ଆପ୍‌ ସରକାରର ନୂଆ ଅବକାରୀ ନୀତି ( ୨୦୨୧-୨୦୨୨) ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆଜି ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳଙ୍କ ଅଫିସ ପକ୍ଷରୁ ଜାରି ହୋଇଥିବା ଏକ ଗଣମାଧ୍ୟମ ବିବୃତି ଅନୁଯାୟୀ ଆପ୍‌ ସରକାରର ଅବକାରୀ ନୀତି ୨୦୨୧-୨୦୨୨ରେ ଅନେକ ନିୟମର ଉଲ୍ଲଂଘନ ହୋଇଛି ଏବଂ ଆବଶ୍ୟକ ଆଇନଗତ ପ୍ରକ୍ରିୟା ପାଳନ ହୋଇନାହିଁ। ତେଣୁ ଉକ୍ତ ଘଟଣାର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ସୁପାରିସ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅଫିସ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ କେବଳ ଆର୍ଥିକ ଫାଇଦା‌ ପାଇଁ ଏହି ନୂ୍ଆ‌ ଅବକାରୀ ନୀତି ଅଣାଯାଇଛି। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟେଣ୍ଡର ମିଳିବା ପରେ ଲିକର ଲାଇସେନ୍ସଧାରୀଙ୍କୁ ବେଆଇନ ଭାବେ ଆର୍ଥିକ ଫାଇଦା ଦେଇଛନ୍ତି। ଏହାଦ୍ବାରା ସରକାରୀ ଅର୍ଥର ବ୍ୟାପକ ଅପଚୟ ହୋଇଛି ବୋଲି ଅଭିଯୋଗ ହୋଇଛି।

ତେବେ ଆପ୍‌ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସାକ୍ସେନା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ବୋଲି ଆପ୍‌ ଅଭିଯୋଗ କରିଛି। ଏକ ପ୍ରେସ ବିବୃତି ଜାରି କରି କେଜ୍ରିୱାଲ କହିଛନ୍ତି, ସେମାନେ ମନୀଷ ସିସୋଦିଆଙ୍କୁ ଗିରଫ କରିବେ ବୋଲି ମୁଁ ପୂର୍ବରୁ କହୁଥିଲି। ଭାରତରେ ଏବେ ଏକ ନୂଆ ପଦ୍ଧତି ଆରମ୍ଭ ହୋଇଛି। କାହାକୁ ଜେଲ୍‌ ହେବ ସେମାନେ ନିଷ୍ପତ୍ତି ନେବେ। ତା’ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଆରମ୍ଭ ହେବ। କେଜ୍ରିୱାଲ କହିଛନ୍ତି- ଏବେ ଯେଉଁ ଅଭିଯୋଗ ଉଠିଛି ତାହା ମିଛ। ଏଥିରେ କୌଣସି ସତ୍ୟତା ନାହିଁ। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦିଲ୍ଲୀ ସରକାରରେ ଅବକାରୀ ବିଭାଗ ମୁଖ୍ୟ। ତେବେ ଆମେ ଜେଲ୍‌କୁ ଭୟ କରୁନାହୁଁ ସେମାନେ ଆମ ଲୋକଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିଛନ୍ତି। କିନ୍ତୁ ପଂଜାବରେ ବିଜୟ ପରଠାରୁ ଆପ୍‌ ଆଗକୁ ବଢ଼ୁଛି। ଆପ୍‌ର ସମୟ ଆଗକୁ ଆସୁଛି। ସେମାନେ ଆମକୁ ଜାତୀୟସ୍ତରରେ ଆଗକୁ ବଢ଼ିବା ଦେଖିପାରିବେନି । ତେଣୁ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। କିନ୍ତୁ ଆମକୁ କେହି ବାଧା ଦେଇପାରିବେନି ବୋଲି କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର