ଆଉ  ଦିନକ ପାଇଁ ବଢିଲା ଇମ୍ରାନଙ୍କ ଅନ୍ତରୀଣ ସୁରକ୍ଷା, ଶୁକ୍ରବାର ପର୍ଯ୍ୟନ୍ତ ଗିରଫ କରିପାରିବ ନାହିଁ ପୁଲିସ୍

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଇମ୍ରାନ ଖାଁଙ୍କ ଉପରେ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ଆଉ ଦିନକ ପାଇଁ ବୃଦ୍ଧି କରିଛନ୍ତି ଲାହୋର ହାଇକୋର୍ଟ । ଅର୍ଥାତ୍ ଶୁକ୍ରବାର ୧୭ ମାର୍ଚ୍ଚ ସୁଦ୍ଧା ତାଙ୍କ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ । ଗତ ବୁଧବାରଦିନ ଲାହୋର ହାଇକୋର୍ଟ ଇମ୍ରାନଙ୍କୁ ଗୁରୁବାର ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିଥିଲେ ।

ଇମ୍ରାନଙ୍କ ଗିରଫଦାରି ଉପରେ କୋର୍ଟ ରୋକ ଲଗାଇଥିଲେ ବି ଜମାନ ପାର୍କ ଅଂଚଳରେ ଉତ୍ତେଜନା ଲାଗି ରହିଛି । ଉକ୍ତ ଅଞ୍ଚଳରେ ପୁଲିସ ଛାଉଣୀ ହୋଇରହିଥିବାବେଳେ ପିଟିଆଇ କର୍ମୀମାନେ ବି ସେଠାରେ ଜମା ହୋଇଛନ୍ତି ।

ଇମ୍ରାନଙ୍କ ବିରୋଧରେ କୋର୍ଟ ଏକ ଜାମିନ ବିହୀନ ପରଓ୍ବାନା ଜାରି କରିବା ପରେ ତାଙ୍କୁ ଗିରଫ କରିବାକୁ ମଙ୍ଗଳବାରଦିନ ପୁଲିସ ଓ ପାକିସ୍ତାନ ରେଞ୍ଜର୍ସ ତାଙ୍କ ଲାହୋରସ୍ଥିତ ଜମାନ ପାର୍କରେ ପହଞ୍ଚିବା ପରେ ପିଟିଆଇ କର୍ମୀମାନେ ତାହାର ବିରୋଧ କରିଥିଲେ । ଏହି ବିରୋଧ କ୍ରମେ ପାକିସ୍ତାନର ଅନ୍ୟ ସହରକୁ ବି ବ୍ୟାପିଯାଇଥିଲା । ମଙ୍ଗଳବାର ବିଫଳ ହେବା ପରେ ପୁଲିସ ବୁଧବାରଦିନ ବି ନିଜର ଉଦ୍ୟମ ଜାରି ରଖିଥିଲା । ତେବେ ବୁଧବାର ବି ପିଟିଆଇ କର୍ମୀମାନେ ତାହାର ପ୍ରତିରୋଧ କରିଥିଲେ । ଏହା ପରେ ପିଟିଆଇ ନେତା ତଥା ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଲାହୋର ହୋଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତାଙ୍କ ଦଳର ସଭାପତିଙ୍କ ଉପରେ ପୁଲିସର ଅତ୍ୟାଚାର ବନ୍ଦ ହେଉ ବୋଲି ଦାବି କରି ସେ ଏହି ଆବେଦନ କରିଥିଲେ ।

 

ସମ୍ବନ୍ଧିତ ଖବର