ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ ଅଧ୍ୟକ୍ଷ ଇମ୍ରାନ୍ ଖାଁଙ୍କୁ ପୁଲିସର ଗିରଫ ଉଦ୍ୟମକୁ ନେଇ ପାକିସ୍ତାନ ରାଜନୀତି ସରଗରମ ରହିଛି । ତେବେ ଏହି ଘଟଣାରେ ଲାହୋର ହାଇକୋର୍ଟ ହସ୍ତକ୍ଷେପ କରି ଆସନ୍ତା କାଲି (ଗୁରୁବାର) ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ଇମ୍ରାନଙ୍କ ବିରୋଧରେ କୌଣସି ପ୍ରକାରର ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି । ପିଟିଆଇ ନେତା ଫଓ୍ବାଦ୍ ଚୌଧୁରୀଙ୍କ ଦ୍ବାରା ଆଗତ ଆବେଦନର ବିଚାର କରି ଲାହୋର ହାଇକୋର୍ଟର ବିଚାରପତି ତାରିକ୍ ସଲିମ ସେଖ ଏହି ରୋକ୍ ଲଗାଇଛନ୍ତି । ଏହା ସହିତ ବୁଧବାର ଅପରାହ୍ଣ ୩ଟା ବେଳେ କୋର୍ଟରେ ହାଜର ହେବାକୁ ପଞ୍ଜାବ ଆଇଜି, ମୁଖ୍ୟସଚିବଙ୍କୁ ନୋଟିସ ଜାରି କରାଯାଇଛି ।

Advertisment

ଇମ୍ରାନଙ୍କୁ ଗିରଫ କରିବାକୁ ମଙ୍ଗଳବାରଦିନ ପୁଲିସ ଓ ପାକିସ୍ତାନ ରେଞ୍ଜର୍ସ ତାଙ୍କ ଲାହୋରସ୍ଥିତ ଜମାନ ପାର୍କରେ ପହଞ୍ଚିବା ପରେ ପିଟିଆଇ କର୍ମୀମାନେ ତାହାର ବିରୋଧ କରିଥିଲେ । ଏହି ବିରୋଧ କ୍ରମେ ପାକିସ୍ତାନର ଅନ୍ୟ ସହରକୁ ବି ବ୍ୟାପିଯାଇଥିଲା । ମଙ୍ଗଳବାର ବିଫଳ ହେବା ପରେ ପୁଲିସ ବୁଧବାରଦିନ ବି ନିଜର ଉଦ୍ୟମ ଜାରି ରଖିଥିଲା । ତେବେ ଆଜି ମଧ୍ୟ ପିଟିଆଇ କର୍ମୀମାନେ ଏହାକୁ ପ୍ରତିରୋଧ କରିଥିଲେ । ଏହା ପରେ ପିଟିଆଇ ନେତା ତଥା ପୂର୍ବତନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଲାହୋର ହୋଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଜରୁରୀ ଶୁଣାଣି କରି ଇମ୍ରାନଙ୍କୁ ସାମୟିକ ଆଶ୍ବସ୍ତି ଦେଇଥିଲେ ।