ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅନକ୍ଲେମଡ୍ ରାଶିର (ଯାହାର କେହି ଦାବିଦାର ନାହାନ୍ତି) ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ଉପସ୍ଥାପନ କରିଛି । ଏଲଆଇସି କହିଛି ଯେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ପାଖରେ ପ୍ରାୟ ୮୮୦.୯୩ କୋଟି ଟଙ୍କାର ମାଚ୍ୟୁରିଟି ରାଶି ପଡ଼ିରହିଛି , ଯାହାର କେହି ଦାବିଦାର ନାହାନ୍ତି । 

Advertisment

ଏହି ସଂଖ୍ୟା ପରେ ପ୍ରଶ୍ନ ଉଠୁଛି, ଏତେ ପରିମାଣର ଟଙ୍କା  କେଉଁ ଲୋକମାନଙ୍କର ଏବଂ ଯଦି କେହି ଏଥିପାଇଁ ଦାବି କରନ୍ତି ନାହିଁ, ତେବେ ଭାରତୀୟ ଜୀବନ ବୀମା ନିଗମ ଏହି ଟଙ୍କାରେ କ'ଣ କରିବ? 

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଦେଇଥିବା ସୂଚନା ଅନୁଯାୟୀ, ୨୦୨୩-୨୪ ଆର୍ଥିକ ବର୍ଷରେ ଏଲଆଇସି ପାଖରେ ପଡିଥିବା ୮୮୦.୯୩ କୋଟି ଟଙ୍କା ୩.୭୨ ଲକ୍ଷ ପଲିସିଧାରୀଙ୍କ ଅଟେ, ଯେଉଁମାନେ ଏପର୍ଯ୍ୟନ୍ତ ଏଥିପାଇଁ ଦାବି କରିନାହାଁନ୍ତି । ଯଦି ୧୦ ବର୍ଷ ପର୍ଯ୍ୟନ୍ତ କେହି ଏହି ଟଙ୍କା ପାଇଁ ଦାବି ନ କରନ୍ତି, ତେବେ ଏହାକୁ ଫେରସ୍ତ ପାଇବା ବହୁତ କଷ୍ଟକର ହେବ ।

ଯଦି ୧୦ ବର୍ଷ ପର୍ଯ୍ୟନ୍ତ ଏହି ରାଶି ଦାବି କରାନଯାଏ ତେବେ ଏହି ରାଶି ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠିକୁ ଟ୍ରାନ୍ସଫର କରାଯାଏ । ଏହି ପାଣ୍ଠିକୁ ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ବ୍ୟବହୃତ କରାଯାଏ । ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ସମସ୍ତ ବୀମା କଂପାନିମାନଙ୍କୁ ସେମାନଙ୍କ ୱେବସାଇଟରେ ୧୦୦୦ ଟଙ୍କା କିମ୍ବା ତା'ଠାରୁ ଅଧିକ ଟଙ୍କାର ଅଣଦାବି ପରିମାଣ ପ୍ରଦର୍ଶନ କରିବାକୁ ବାଧ୍ୟତାମୂଳକ କରିଛି।