ନୂଆ ସେନାମୁଖ୍ୟ ଭାବେ ଦାୟିତ୍ବ ନେଲେ ଲେଫ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ବିଦାୟୀ ସେନାମୁଖ୍ୟ ଜେନେରାଲ୍‌ ଏମ୍‌. ଏମ୍‌. ନରୱଣେଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି।

ପୂର୍ବରୁ ଜେନେରାଲ୍‌ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ବ ନିର୍ବାହ କରୁଥିଲେ। ଲେଫ୍‌ନାଣ୍ଟ୍‌ ଜେନେରାଲ୍‌ ସି.ପି. ମହାନ୍ତି ଅବସର ଗ୍ରହଣ କରିବା ପରେ ଗତ ଫେବ୍ରୁଆରି ମାସରେ ସ‌େ ଉକ୍ତ ପଦବୀରେ ନିଯୁକ୍ତି ପାଇଥିଲେ।

ଭାରତୀୟ ସେନାର ଶୀର୍ଷ ପଦବୀରେ ନିଯୁକ୍ତି ପାଇବାରେ ଜେନେରାଲ୍‌ ପାଣ୍ଡେ ହେଉଛନ୍ତି ‘କର୍ପସ୍‌ ଅଫ୍‌ ଇଞ୍ଜିନିୟର୍ସ’ ବା ‘ସାପର୍ସ’ର ପ୍ରଥମ ଅଧିକାରୀ। ପୂର୍ବରୁ ‘ସାପର୍ସ’ର ଅଧିକାରୀମାନେ କମାଣ୍ଡର୍‌ ଓ ଉପ-ମୁଖ୍ୟ ଭାବେ ନିଯୁକ୍ତି ପାଇଥିଲେ ସୁଦ୍ଧା କଦାପି ସେନା ମୁଖ୍ୟ ଭାବେ ନିଯୁକ୍ତ ହୋଇ ନ ଥିଲେ।

Image Courtesy of Deccan Herald

୧୯୬୨ ମସିହା ମେ ୬ ତାରିଖରେ ଜନ୍ମିତ ଜେନେରାଲ୍‌ ପାଣ୍ଡେ ହେଉଛନ୍ତି ୨୯ତମ ସେନାମୁଖ୍ୟ ଯେ, ୨ ବର୍ଷରୁ ଅଧିକକାଳ ପଦବୀରେ ରହିବେ। ନିୟମ ଅନୁସାରେ, ‘ସର୍ଭିସ୍‌ ଚିଫ୍‌’ମାନଙ୍କ କାର୍ଯ୍ୟକାଳ ସାଧାରଣତଃ ୩ ବର୍ଷ। କିନ୍ତୁ, ତାହା ପୂର୍ବରୁ ଯଦି ତାଙ୍କୁ ୬୨ ବର୍ଷ ପୂରି ଯାଉଥିବ, ସେ ଅବସର ଗ୍ରହଣ କରିବେ।

ସୂଚନାଯୋଗ୍ୟ, ମେ ୧ ତାରିଖ ଦିନ ଜେନେରାଲ୍‌ ବି.ଏସ୍‌. ରାଜୁ ପରବର୍ତ୍ତୀ ସେନା ଉପ-ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ। ତାଲିମପ୍ରାପ୍ତ ହେଲିକପ୍ଟର୍‌ ପାଇଲଟ୍‌ ଜେନେରାଲ୍‌ ରାଜୁ ସମ୍ପ୍ରତି ସେନାର ‘ଡାଇରେକ୍ଟର୍‌‌ ଜେନେରାଲ୍‌ ଅଫ୍‌ ମିଲିଟାରି ଅପରେସନ୍‌ସ୍‌’ର ନିର୍ଦେଶକ ଅଛନ୍ତି। ଏହି ପଦବୀରେ ଥାଇ ସେ ଲଦାଖ ସେକ୍ଟର୍‌ ଅନ୍ତର୍ଗତ ଚୀନ୍‌-ଭାରତ ସୀମା ବିବାଦ ଉପରେ ଦୃଷ୍ଟି ରଖିଛନ୍ତି।

ସମ୍ବନ୍ଧିତ ଖବର