ନୂଆଦିଲ୍ଲୀ: ନିରବଚ୍ଛିନ୍ନ ଭାବେ ପେନସନ ସୁବିଧା ଜାରି ରଖିବାକୁ କର୍ମଚାରୀ ଭବିଷ୍ୟନିଧି ସଂସ୍ଥା (ଇପିଏଫଓ) ର ୭୮ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ବା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିଥାଏ । ପୂର୍ବରୁ ପେନସନଧାରୀମାନଙ୍କୁ ବ୍ୟକ୍ତିଗତ ଭାବେ ବ୍ୟାଙ୍କକୁ ଯିବାକୁ ପଡ଼ୁଥିଲା, ଯାହାକି କଷ୍ଟଦାୟକ ଥିବାର ଅଭିଯୋଗ ମିଳୁଥିଲା । ଜୀବନର ଚଳଣିକୁ ସହଜ କରିବାକୁ ଇପିଏଫଓ ପକ୍ଷରୁ ୨୦୧୫ ମସିହାରେ ପେନସନଧାରୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟ (ଡିଏଲଓ) ବ୍ୟବସ୍ଥା ଆରମ୍ଭ କରାଗଲା । ଇପିଏସ୍ ପେନସନଧାରୀଙ୍କ ପାଖରୁ ଇପିଏଫଓ ବାୟୋମେଟ୍ରିକ ପ୍ରମାଣନ ପ୍ରକ୍ରିୟାରେ ଡିଏଲସି ଗ୍ରହଣ କଲା । ବାୟୋମେଟ୍ରିକ ଭିତ୍ତିକ ଡିଏଲସି ଦାଖଲ କରିବାକୁ ହେଲେ ଜଣେ ପେନସନଧାରୀଙ୍କୁ ଯେକୌଣସି ବ୍ୟାଙ୍କ, ଡାକଘର, ସାଧାରଣ ସେବା କେନ୍ଦ୍ର କିମ୍ବା ଇପିଏଫଓ କାର୍ଯ୍ୟାଳୟ ଯିବାକୁ ପଡ଼ିଥାଏ, କାରଣ ସେଠାରେ ଆଙ୍ଗୁଠି ଛାପ ଓ ଆଖି ଡୋଳାର ଚିତ୍ର ଗ୍ରହଣ କରିବାକୁ ଯନ୍ତ୍ର ଉପଲବ୍ଧ ହୋଇଥାଏ । ବ୍ୟାଙ୍କ ଓ ଡାକଘରକୁ ବ୍ୟକ୍ତିଗତ ଭାବେ ଯିବାରେ ବରିଷ୍ଠ ନାଗରିକ ମାନେ ସମୁଖୀନ ହେଉଥିବା ସମସ୍ୟାକୁ ହ୍ରାସ କରିବା ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏବଂ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଥ ଇଣ୍ଡିଆ ପକ୍ଷରୁ ଜୀବନ ପ୍ରମାଣପତ୍ର ଦାଖଲ ସକାଶେ ଫେସ୍ ଅଥେଣ୍ଟିକେସନ ଟେକ୍ନୋଲୋଜିର ବିକାଶ କରାଯାଇଛି । ପେନସନଧାରୀଙ୍କୁ ଘରେ ବସି ଡିଏଲସି ଦାଖଲ କରିବା ଦିଗରେ ଏହି ନୂତନ ବ୍ୟବସ୍ଥା ବେଶ୍ ଗ୍ରହଣୀୟ, ସହଜ ଏବଂ ଆରାମଦାୟକ ।

Advertisment

ଯେକୌଣସି ଆଣ୍ଡ୍ରଏଡ ଫୋନ୍ ମାଧ୍ୟମରେ ସେମାନେ ଏହା ଦାଖଲ କରିପାରିବେ, ଯଦ୍ୱାରା ପରିଣତ ବୟସରେ ବ୍ୟାଙ୍କ, ଡାକଘର କିମ୍ବା ଅନ୍ୟ କୌଣସି ସ୍ଥାନକୁ ଏଥିପାଇଁ କଷ୍ଟଦାୟକ ଯାତ୍ରାରୁ ମୁକ୍ତି ମିଳିପାରିବ । ଏହି ପ୍ରକ୍ରିୟା ଜଣେ ପେନସନଧାରୀଙ୍କୁ ନିଜ ଘରେ ବସ ସୁବିଧାନୁସାରେ ଏକ ସ୍ମାର୍ଟଫୋନ ବ୍ୟବହାର କରି ଫେସିଆଲ ସ୍କାନ ଦ୍ୱାରା ପରିଚୟ ପ୍ରମାଣନ ସମ୍ପନ୍ନ କରିବାର ସୁବିଧା ଦେଉଛି । ଏହି ପ୍ରକ୍ରିୟା ୟୁଆଇଡିଏଆଇର ଫେସ୍ ରିକୋଗନେସନ ଆପ୍ ଦ୍ୱାରା ୟୁଆଇଡିଏଆଇର ଥିବା ଆଧାର ଡାଟାବେସ ସହାୟତାରେ ସମ୍ପନ୍ନ ହୋଇଥାଏ । ଫେସିଆଲ ଅଥେଣ୍ଟିକେସନ ପ୍ରକ୍ରିୟା ବ୍ୟବହାର କରିବାକୁ ହେଲେ ସ୍ମାଟ ଫୋନରେ ‘ଆଧାର ଫେସ୍ ଆରଡି’ ଏବଂ ‘ଜୀବନ ପ୍ରମାଣନ’ ନାମକ ଦୁଇଟି ଆପ୍ଲିକେସନ ଇନଷ୍ଟଲ କରିବାକୁ ପଡ଼ିବ । ଆଧାର ଲିଙ୍କ ହୋଇଥିବା ମୋବାଇଲ ଫୋନ ଗୁଡ଼ିକରେ ଏହି ଆପ୍ଲିକେସନ ବ୍ୟବହାର ସହଜ । ସଫଳତାର ସହ ଫେସ ସ୍କାନ କରିବାକୁ ଏହି ଆପ ରେ ସମ୍ପୂର୍ଣ୍ଣ ନିୟମାବଳୀ ଉପଲବ୍ଧ । ଥରେ ଫେସ ସ୍କାନ ଶେଷ ହୋଇଗଲେ ଡିଏଲସି ଦାଖଲ ହୋଇଯାଇଥାଏ ଏବଂ ମୋବାଇଲ ସ୍କିନରେ ଏହା ସୂଚିତ ହୋଇଥାଏ । ଏଥିସହ ଘରେ ବସି ଜୀବନ ପ୍ରମାଣନ ଆଇଡି ଏବଂ ପିପିଓ ନମ୍ବର ମଧ୍ୟ ମିଳିଯାଇଥାଏ ।