ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦିଲ୍ଲୀର ତିସହଜାରୀ କୋର୍ଟ ଆଜି ଏହି ମାମଲାର ଦଣ୍ଡଶୁଣାଣି କରି ‌ଦୋଷୀସାବ୍ୟସ୍ତ ସେଙ୍ଗାରଙ୍କୁ ଆଜୀବନ ଜେଲ୍ ସହ ୨୫ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। ଗତ ଡିସେମ୍ବର ୧୬ ତାରିଖରେ ଆଇପିସିର ଧାରା ୩୭୬ ଏବଂ ପୋକ୍‌ସୋ ଆଇନର ଧାରା ୫ ଏବଂ ୬ ଅଧୀନରେ କୋର୍ଟ ସେଙ୍ଗର୍‌ଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ।

ଆଜି କୋର୍ଟ ଦଣ୍ଡଶୁଣାଣି କରିବା ପରେ ସମଗ୍ର ଦେଶରେ ଆନନ୍ଦ ପ୍ରକାଶ ପାଇଛି । ତେବେ ଦୀର୍ଘ ଦୁଇବର୍ଷ ଧରି ପୀଡ଼ିତା ନ୍ୟାୟ ପାଇଁ ଯେଉଁ ସଂଘର୍ଷ କରିଛନ୍ତି ଏବଂ ସେଙ୍ଗରଙ୍କ ଭଳି ଜଣେ ଟାଣୁଆ ନେତା ବିରୋଧରେ ପୀଡ଼ିତା ଯେଭଳି ଲଢ଼ିଛନ୍ତି ସେଥିପାଇଁ କୋର୍ଟ ପୀଡ଼ିତାଙ୍କୁ ପ୍ରଶଂସା କରିଥିଲେ । ୨୦୧୭ରେ ଉନ୍ନାଓ ନାବାଳିକା ସେଙ୍ଗରଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟ ବାରମ୍ବାର ପୁଲିସରେ ଅଭିଯୋଗ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ପୁଲିସ ଅଭିଯୋଗ ଗ୍ରହଣ କରି ନଥିଲା। ସେଙ୍ଗର ସ୍ଥାନୀୟ ଅଂଚଳର ଜଣେ ଟାଣୁଆ ନେତା ହୋଇଥିବାରୁ ପୁଲିସ ଅଭିଯୋଗ ରଖି ନଥିଲା ‌ବୋଲି ପୀଡ଼ିତା ଅଭିଯୋଗ କରିଥିଲେ। ତେବେ ସେଙ୍ଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତା ବାରମ୍ବାର ଦାବି କରିବା ପରେ ତାଙ୍କ ବାପାଙ୍କୁ ସେଙ୍ଗରଙ୍କ ଭାଇ ଗୁଣ୍ଡା ଲଗାଇ ମାରପିଟ୍‌ କରିଥିଲା ଏବଂ ତାଙ୍କୁ ମିଥ୍ୟା ମାମଲାରେ ଏପ୍ରିଲ ୩ରେ ଗିରଫ କରି ଜେଲ୍‌ ପଠ‌ା ଯାଇଥିଲା। ଶେଷରେ ଉନ୍ନାଓ ପୀଡ଼ିତା ଉପାୟଶୂନ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହାପରେ ଏପ୍ରିଲ ୯ ତାରିଖରେ ଜେଲ୍‌ ହାଜତରେ ପୀଡ଼ିତାଙ୍କ ପିତାଙ୍କ ମୃତ୍ୟୁ ହୋଇଯାଇଥିଲା।

पर्दाफाश

ଉକ୍ତ ଘଟଣାରେ  ବିଧାୟକ ସେଙ୍ଗର, ତାଙ୍କ ଭାଇ ଅତୁଲ ଏବଂ ଅନ୍ୟ ୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୁଲିସ ପ୍ରଥମେ ଅତୁଲକୁ ଗିରଫ କରିଥିଲା। । ତେବେ ପରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ସେଙ୍ଗରଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା ଏବଂ ଏହି ମାମଲାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା। ପ୍ରଥମେ ଲକ୍ଷ୍ନୌ କୋର୍ଟରେ ଉକ୍ତ ମାମଲାରେ ଶୁଣାଣି ଚାଲିଥିଲେ ମଧ୍ୟ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲକ୍ଷ୍ନୌ କୋର୍ଟରୁ ସମସ୍ତ ମାମଲା ଦିଲ୍ଲୀ କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଉକ୍ତ ଦୁଷ୍କର୍ମ ମାମଲା ବାଦ୍‌ ଅନ୍ୟ ୪ଟି ମାମଲା ତଥା ପୀଡ଼ିତାଙ୍କ ବାପାଙ୍କୁ ବେଆଇନ ଅସ୍ତ୍ର କାରବାର ମାମଲାରେ ଫସାଇବା ଏବଂ ଜେଲ୍‌ରେ ତାଙ୍କର ମୃତ୍ୟୁ ମାମଲା, ଗତ ଜୁଲାଇରେ ପୀଡ଼ିତାଙ୍କ କାର୍‌ ଦୁର୍ଘଟଣାରେ ସେଙ୍ଗରଙ୍କ ଷଡ଼ଯନ୍ତ୍ର ଏବଂ ଅନ୍ୟ ୩ ଜଣଙ୍କ ଦ୍ବାରା ପୀଡ଼ିତାଙ୍କୁ ଦୁଷ୍କର୍ମ ମାମଲାରେ ବିଚାର ଜାରି ରହିଛି। ଉକ୍ତ ମାମଲାରେ ପୀଡ଼ିତାଙ୍କ ମା’ ଏବଂ ତାଙ୍କ ମାମୁଁ ମୁଖ୍ୟ ସାକ୍ଷୀ ଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ଉତ୍ତରପ୍ରଦେଶର ରାଏବରେଲିରେ ପୀଡ଼ିତାଙ୍କ କାର୍‌କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେଇଥିଲା। ଏହା ଫଳରେ ପୀଡ଼ିତାଙ୍କ ଦୁଇ ମାଉସୀଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପୀଡ଼ିତା ଓ ତାଙ୍କ ଆଇନଜୀବୀ ଗୁରୁତର ଥିଲେ। ‌ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସିଆରପିଏଫ୍‌ ସୁରକ୍ଷା ଦିଆଯାଉଛି।

ସମ୍ବନ୍ଧିତ ଖବର