ବରେଲି: ଉତ୍ତରପ୍ରଦେଶ ସମ୍ଭଲର ଜଣେ ୨୬ ବର୍ଷୀୟା ମହିଳା ତାଙ୍କ ସ୍ୱାମୀଙ୍କୁ ୪ ବର୍ଷ ତଳେ ନିଆଁରେ ପୋଡ଼ି ହତ୍ୟା କରିବା ଅଭିଯୋଗ ହୋଇଥିଲା ଏବଂ ଏହି ମାମଲାରେ ମହିଳାଙ୍କୁ ଆଜି ଆଜୀବନ କାରାଦଣ୍ଡାଦେଶ ମିଳିଛି। ଫତେଗଡ଼ର ବିଚେତାନିବାସୀ ୨୫ ବର୍ଷୀୟ ସତ୍ୟବୀର ସିଂହଙ୍କୁ ୨୦୧୭ ମସିହାରେ ବିବାହ କରିଥିବା ପ୍ରେମଶ୍ରୀ ସ୍ୱାମୀଙ୍କ ଅସୁନ୍ଦର କଳା ରଙ୍ଗକୁ ଦେଖି ଅସନ୍ତୁଷ୍ଟ ହେବା ସହ ତାଙ୍କୁ ବାରମ୍ବାର ଛାଡ଼ପତ୍ର ମାଗିଥିଲେ। ବାରମ୍ବାର ଝଗଡ଼ା ସତ୍ତ୍ୱେ ସତ୍ୟବୀର ବିବାହ ପ୍ରତି ନିଜର ପ୍ରତିବଦ୍ଧତାରେ ଅଟଳ ରହିଥିଲେ ଏବଂ ନଭେମ୍ବର ୨୦୧୮ରେ ଏହି ଦମ୍ପତିଙ୍କର ଏକ ଝିଅ ହୋଇଥିଲା। ତେବେ ସ୍ୱାମୀଙ୍କ ରୂପକୁ ନେଇ ପ୍ରେମଶ୍ରୀଙ୍କ ଅସନ୍ତୋଷ ଲାଗି ରହିଥିଲା। ୨୦୧୯ ଏପ୍ରିଲ ୧୫ ତାରିଖରେ ସତ୍ୟବୀର ଶୋଇଥିବା ବେଳେ ସେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସତ୍ୟବୀର ଗୁରୁତର ଅବସ୍ଥାରେ କିଛି ଘଣ୍ଟା ଧରି ଡାକ୍ତରଖାନାରେ ଥିଲେ ଏବଂ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ସତ୍ୟବୀରଙ୍କ ଭାଇ ହରବୀର ଆଇପିସିର ଧାରା ୩୦୨ (ହତ୍ୟା) ଅନୁଯାୟୀ ଏତଲା ଦାଏର କରିବା ପରେ ପ୍ରେମଶ୍ରୀଙ୍କୁ ଗିରଫ କରାଯାଇଥିଲା। ୩୨ ପୃଷ୍ଠାର ଅଦାଲତ ରାୟରେ ସତ୍ୟବୀରଙ୍କ ମୃତ୍ୟୁକାଳୀନ ବୟାନ ରହିଛି, ଯେଉଁଥିରେ ସେ ତାଙ୍କ ପତ୍ନୀଙ୍କୁ ତାଙ୍କ ହତ୍ୟାକାରୀ ବୋଲି ଦର୍ଶାଇଛନ୍ତି। ସେ କହିଛନ୍ତି, ମୋ ଅସୁନ୍ଦର ଚେହେରା କାରଣରୁ ଆମେ ବିବାହ କରିବା ପରଠାରୁ ମୋ ପତ୍ନୀ ମୋତେ କେବେ ବି ପସନ୍ଦ କରିନଥିଲେ ଏବଂ ଅନେକ ସମୟରେ ମୋ ସହ ଝଗଡ଼ା କରୁଥିଲେ। ମୁଁ ତାଙ୍କୁ ଛାଡପତ୍ର ନ ଦେଲେ ସେ ମୋତେ ପୋଡ଼ି ମାରିଦେବେ ବୋଲି ମଧ୍ୟ ଧମକ ଦେଇଥିଲେ, ଯାହା ସେ କାର୍ଯ୍ୟରେ କରି ଦେଖାଇଛନ୍ତି। ଏହି ସାକ୍ଷ୍ୟ ଦେବାର କିଛି ସମୟ ପରେ ସତ୍ୟବୀରଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରେ ପୁଲିସ ପ୍ରେମଶ୍ରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ କୋର୍ଟ ପ୍ରକ୍ରିୟା ସମୟରେ ୧୦ ଜଣ ସାକ୍ଷୀ ତାଙ୍କ ବିରୋଧରେ ସାକ୍ଷ୍ୟ ଦେଇଥିଲେ।