ପୁଲୱାମା ଆକ୍ରମଣ ଘଟଣାରେ ୫ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍ ପଠାଇବା ପଛରେ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କ ହାତ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ୨୦୧୯ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସଂପର୍କିତ ଏକ ମାମଲାର ଶୁଣାଣି ହୋଇଛି। ଦିଲ୍ଲୀର ଏନ୍‌ଆଇଏର ସ୍ବତନ୍ତ୍ର ଅଦାଲତ ୬ ଜଣଙ୍କୁ ଦୋଷୀ ଘୋଷଣା କରି ଦଣ୍ଡିତ କରିଛନ୍ତି। ସେହି ମାମଲାରେ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ଜଣଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ମାମଲାରେ ତଦନ୍ତକାରୀ ସଂସ୍ଥାର ସଫଳତା ପଛରେ ରହିଛି ଜଣେ ଓଡ଼ିଆ ଆଇପିଏସ୍ ଅଧିକାରୀଙ୍କ କରିସ୍ମା । ଏହି ଘଟଣାର ତଦନ୍ତର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଥିଲେ ଓଡ଼ିଆ ଆଇପିଏସ ଅଫିସର ଡ. ସତ୍ୟଜିତ ନାୟକ। ସେ ସେତେବେଳେ ନ୍ୟାସନାଲ୍ ଇନଭେଷ୍ଟିକେସନ ଏଜେନ୍ସି ( ଏନ ଆଇ.ଏ ) ଏସପି ଭାବେ କାର୍ଯ୍ୟରତ ଥିଲେ ଏବଂ ପୁଲୱାମା ଆକ୍ରମଣ ପରେ ଏହାର ତଦନ୍ତର ଭାର ନେଇଥିଲେ। ଘଟଣାର ତଦନ୍ତ କରି  ଅଭିଯୁକ୍ତଙ୍କ ବିରୋଧରେ ୨୦୦ରୁ ଊର୍ଦ୍ଧ୍ବ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା ଏନଆଇଏ। ଓଡ଼ିଆ ଆଇପିଏସ ସତ୍ୟଜିତ୍‌ ନାୟକଙ୍କ ତତ୍ତ୍ବାବଧାନରେ ହିଁ ତଦନ୍ତ ଏକ ନିର୍ଣ୍ଣୟକସ୍ତରରେ ପହଞ୍ଚିଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପାଇଁ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାମଲା ଥିବା ବେଳେ ଏହାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ ଭାର ନେଇଥିଲେ ତତ୍‌କାଳୀନ ଏନ୍‌ଆଇଏ ଏସ୍‌ପି ଡକ୍ଟର ସତ୍ୟଜିତ୍‌ ନାୟକ। ସେ ଏହାର ତଦନ୍ତ ଭାର ଗ୍ରହଣ କରି ଉକ୍ତ ୬ ଜଣ ଦୋଷୀମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଥିଲେ।

ତେବେ ଦଣ୍ଡାଦେଶ ପାଇଥିବା ଏହି ଦୋଷୀମାନେ ହେଉଛନ୍ତି ଗୁଲାମ ନବୀ ଖାନ୍‌ଙ୍କ ପୁଅ ସଜଦ୍‌ ଅହମ୍ମଦ ଖାନ୍‌, ଗୁଲାମ ମହିଉଦ୍ଦିନ ଗାନିଙ୍କ ପୁଅ ତନଭୀର ଅହମ୍ମଦ ଗାନି, ଫାରୁକ୍‌ ଅହମ୍ମଦ ମିର୍‌ଙ୍କ ପୁଅ ବିଲାଲ୍‌ଅହମ୍ମଦ ମିର୍‌, ଅବଦୁଲ୍‌ ଗାନି ଭଟ୍ଟଙ୍କ ପୁଅ ମୁଜାଫର୍‌ ଅହମ୍ମଦ ଭଟ୍ଟ, ଅବଦୁଲ୍‌ ମାଜିଦ୍‌ ଭଟ୍ଟଙ୍କ ପୁଅ ଅସଫକ୍‌ ଅହମ୍ମଦ ଭଟ୍ଟ ଓ ସ୍ବର୍ଗତଃ ଗୁଲାମ୍‌ ରାସୁଲ ଚୋପାନଙ୍କ ପୁଅ ମେହେରାଜ୍‌-ଉଦ୍‌-ଦିନ୍‌ ଚୋପାନ୍‌। ତେବେ ବିଲାଲ ଏବଂ ମୁଜାଫର ଟାର୍ଗେଟ ସ୍ଥିର କରିବା ସହ ଲୁଚିବା ସ୍ଥାନ ନିର୍ଣ୍ଣୟ କରିବା ଏବଂ ଲଜିଷ୍ଟିକାଲ ସପୋର୍ଟ ଆତଙ୍କବାଦୀ ମାନଙ୍କୁ ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ୨୦୧୯ରେ ପୁଲୱାମାରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଗାଡ଼ି ଉପରେ ଆକ୍ରମଣ କରିବା ଫଳରେ ୪୦ ଜଣ ଯବାନ ସହିଦ ହୋଇଥିଲେ।

ସମ୍ବନ୍ଧିତ ଖବର