ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତ ଏବେ ଭୀଷଣ ଶୀତ ଲହର ପ୍ରକୋପ ଭିତରେ ରହିଛି।  ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ଶୂନ୍ୟକୁ ଖସି ଆସିଥିବା ବେଳେ ଆଜି ୧୫ଟି ବିମାନ ବାତିଲ କରାଯାଇଛି। ୧୮୦ରୁ ଅଧିକ ବିମାନ ବିଳମ୍ବ ହୋଇଛି। କୁହୁଡ଼ି ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଦିଲ୍ଲୀରୁ ଆସୁଥିବା ୬୦ରୁ ଅଧିକ ଟ୍ରେନ୍ ବିଳମ୍ବରେ ଚାଲିଛି। ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ  ପ୍ରବଳ ତୁଷାରପାତ ଯୋଗୁଁ ସମଗ୍ର ଉତ୍ତର ଭାରତରେ ଶୀତର ପ୍ରଭାବ ତୀବ୍ର ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶରେ ୮ ଜଣ ଏବଂ ବିହାରରେ ୨ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ଦିଲ୍ଲୀରେ  ଅଭୂତପୂର୍ବ ୯ ଘଣ୍ଟାର ଶୂନ୍ୟ ଦୃଶ୍ୟମାନତା ଅବଧି ଦେଖିବାକୁ ମିଳିଥିଲା, ଯାହା ଚଳିତ ଶୀତ ଋତୁର ସବୁଠାରୁ ଲମ୍ବା  ଥିଲା।   ଆଜି ସକାଳ ୮ଟାରେ ଆଇଜିଆଇ ବିମାନବନ୍ଦରରେ ଦୃଶ୍ୟମାନତା ସାମାନ୍ୟ ବୃଦ୍ଧି ପାଇ ୫୦ ମିଟରରେ ପହଞ୍ଚିଥିଲା। ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ଶୂନ୍ୟ ଦୃଶ୍ୟମାନତା ଦେଖିବାକୁ ମିଳିଥିଲା। 

Advertisment

ୟୁପି, ବିହାରରେ ୧୦ ମୃତ, ୬୦ ଟ୍ରେନ୍ ପ୍ରଭାବିତ
ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ୧୫ଟି ବିମାନ ବାତିଲ, ୧୮୦ରୁ ଅଧିକ ବିଳମ୍ବ

ଗତକାଲିର ୯ ଘଣ୍ଟାର ଶୂନ୍ୟ ଦୃଶ୍ୟମାନତା ତୁଳନାରେ ଆଇଜିଆଇ ବିମାନ ବନ୍ଦରରେ ଆଜି ୪ ଘଣ୍ଟା ଶୂନ୍ୟ ଦୃଶ୍ୟମାନତା ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ସକାଳ ସାଢ଼େ ୮ଟାରେ ସଫଦରଜଙ୍ଗ ଷ୍ଟେସନରୁ ସର୍ବନିମ୍ନ ତାପମାତ୍ରା ୯.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ରବିବାର ସକାଳ ସାଢ଼େ ୫ଟାରେ ପାରଦ ୧୦ ଡିଗ୍ରି ସେଲସିୟସକୁ ଖସି ଆସିଥିବା ବେଳେ ଶନିବାର ଏହି ସମୟରେ ତାପମାତ୍ରା ୧୦.୨ ଡିଗ୍ରି ସେଲସିୟସ ରହିଥିଲା।  କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଆଜି ସକାଳ ୬ଟା ସୁଦ୍ଧା ଦିଲ୍ଲୀର ପ୍ରଦୂଷଣ ସ୍ତର ‘ ଅତି ଖରାପ’ଶ୍ରେଣୀରେ ରହିଛି ଏବଂ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଆଜି ସକାଳ ୬ଟା ସୁଦ୍ଧା ୩୭୭ ରହିଛି। ଦିଲ୍ଲୀ ବିମାନବନ୍ଦରରେ ଅବତରଣ ଓ ଉଡ଼ାଣ ଜାରି ରହିଥିବା ବେଳେ ଶତାଧିକ ବିମାନ ପ୍ରଭାବିତ ହୋଇଛି।  ଯାତ୍ରୀମାନେ ବିମାନର ଅପଡେଟ୍ ସୂଚନା ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।  ଦିଲ୍ଲୀର ବାୟୁର ଗୁଣବତ୍ତା 'ଅତ୍ୟନ୍ତ ଖରାପ' ଶ୍ରେଣୀରେ ରହିଛି। ଆଜି ଦିଲ୍ଲୀ ସହରର ୨୪ ଘଣ୍ଟାର ହାରାହାରି ଏକ୍ୟୁଆଇ ୩୭୮ ରେକର୍ଡ କରାଯାଇଛି।