Rockstar@Rocksta63271241 ଟ୍ବିଟର୍ ଆକାଉଣ୍ଟରୁ ଯୁଗ୍ମନଗରୀର ପୁଲିସ କମିସନର ଓ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ(@cpbbsrctc @dcpbbsr @prsprateek)ଙ୍କୁ ଜୁଲାଇ ୧୨ ତାରିଖରେ ଭୁବନେଶ୍ବର ସହରର ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ କ‌ଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ଅନୁରୋଧ କରାଯାଇଛି। ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ବିପରୀତ/ଓଲଟା ଦିଗ/ରଙ୍ଗ୍-ରୁଟ୍‌ରେ ଗାଡ଼ିମଟର ଚଲାଉଥିବା ଲୋକଙ୍କୁ ଦଣ୍ଡ ଦିଆଯାଉ ବୋଲି କୁହାଯାଇଛି। ଗତ ୧୨ ତାରିଖରେ ‘ସମ୍ବାଦ’ ମହାନଗର ପୃଷ୍ଠାରେ ପ୍ରକାଶିତ ‘କାଳ ହେଉଛି ରଙ୍ଗ୍-ରୁଟ୍‌ ଡ୍ରାଇଭିଂ’ ଶୀର୍ଷକ ଖବରର କ୍ଲିପିଂକୁ ମଧ୍ୟ ସଂଲଗ୍ନ କରାଯାଇଛି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ପ୍ରକାଶିତ ଖବର ଓ ଟ୍ବିଟର୍‌କାରୀଙ୍କ ସହ ଏକମତ ହୋଇଛନ୍ତି। @dcpbbsr @DCP_TRAFFIC @cpbbsrctc @BBSRBuzz @AMITABHTHAKUR21 @arunbothra ପ୍ରମୁଖ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏହି ପ୍ରସଙ୍ଗରେ ନିଜ ଉତ୍ତରର ସାକ୍ଷୀ ରଖିଛନ୍ତି। ରଙ୍ଗ-ରୁଟ୍ ଡ୍ରାଇଭିଂ ଆତ୍ମଘାତୀ ବୋଲି ଡିସିପି ସହମତ ହେବା ସହ ପ୍ରକାଶିତ ଖବରରେ ନିରାକରଣ ପ୍ରସ୍ତାବ ଦିଆଯାଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ‘କଡ଼ାକଡ଼ି ଲାଗୁ କରନ୍ତୁ’ ଅନୁରୋଧର ଉତ୍ତରରେ ଶ୍ରୀ ସିଂହ ନିଜସ୍ବ ଭିନ୍ନ ମତ ରଖିଛନ୍ତି। ସେ କହିଛନ୍ତି, ପ୍ରଥମତଃ, ଏହା ଆମ ନିଜ ସାମାଜିକ କର୍ତ୍ତବ୍ୟ। ଖାଲି ଟ୍ରାଫିକ୍ ସିଗ୍ନାଲ, ସଫା ରାସ୍ତା ଓ ପ୍ରଯୁକ୍ତିର ସଦ୍ୟତମ ଉପଯୋଗ ହୋଇଗଲେ କୌଣସି ସହର ସ୍ମାର୍ଟ ହୋଇଯାଏ ନାହିଁ। ଲୋକଙ୍କୁ ମଧ୍ୟ କିଛି ସିଭିକ୍ ସେନ୍ସ ଆଣିବାକୁ ହେବ। ଏଥିପାଇଁ କିଛି ଅସୁବିଧା ଭୋଗ କରିବାକୁ ପଡ଼ିପାରେ। ନିଜକୁ ଏକ ଉନ୍ନତ ସଭ୍ୟ ସମାଜ କହିବାକୁ ହେଲେ କିଛି ତ ମୂଲ୍ୟ ଦେବାକୁ ପଡ଼ିବ! ବିଶେଷ ଦ୍ରଷ୍ଟବ୍ୟରେ ସେ ଆହୁରି ଲେଖିଛନ୍ତି, ‘‘ଗୋଟିଏ ବଡ଼ କଥା ହେଲା ସମାଜର ଗୋଟିଏ ଅଂଶ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରନ୍ତି। ଏମିତିରେ ଆମକୁ ମଧ୍ୟ ଏନ୍‌ଫୋର୍ସମେଣ୍ଟ ଭଲ ଲାଗେନି। ଜୀବନ ରକ୍ଷା କରିବାକୁ ହେଲେ ଏହା ଏବେ କିନ୍ତୁ ଏକମାତ୍ର ରାସ୍ତା। ନିରାପଦ ଗାଡ଼ି ଚଲାନ୍ତୁ, ସୁରକ୍ଷିତ ରହନ୍ତୁ।’ ଉପରୋକ୍ତ ଭଲ ପ୍ରସ୍ତାବଟିକୁ ସାମାଜିକ ଗଣମାଧ୍ୟମରେ ଗ୍ରହଣ କରିବା ଓ ସେଠି ଲୋକଙ୍କ ସହ ନିଜସ୍ବ ବିଚାର ଖୋଲିବା ଶ୍ରୀ ସିଂହଙ୍କୁ ଜଣେ ପିପୁଲ୍‌ସ ପୁଲିସ ହେବାରେ ସହାୟକ ହେବାର ସୂଚନା ମିଳୁଛି।

Advertisment

publive-image

ତାଙ୍କ ସହ ଏକମତ ହୋଇଥିବା ଲୋକେ ମଧ୍ୟ ଯୋଡ଼ିଛନ୍ତି, ପିଲାଙ୍କୁ ସ୍କୁଲ୍‌କୁ ଛାଡ଼ିବାକୁ ଯାଉଥିବା ବାପାମା ମଧ୍ୟ ରଙ୍ଗ୍‌-ରୁଟ୍‌ରେ ଗାଡ଼ି ଚଲାନ୍ତି। ଅନ୍ୟ ପକ୍ଷରେ ୱାନ୍‌ୱେର କଟ୍‌ଠାରେ ୟୁ-ଟର୍ନ କରିବାକୁ ଥିବା ଲୋକେ ସବୁ ଲେନ୍‌କୁ ଏପରି ଆବୋରି ଦିଅନ୍ତି ଯେ ବାମପଟକୁ ଯିବାକୁ ଚାହୁଥିବା ଗାଡ଼ି କିମ୍ବା ମଝିଲେନ୍‌ରେ ରହି ସିଧା ଯିବାକୁ ଥିବା ଗାଡ଼ି ମଧ୍ୟ ଅଯଥାରେ ଅଟକିବାକୁ ବାଧ୍ୟ ହୁଏ। ତେଣୁ ଲେନ୍‌-ଡ୍ରାଇଭିଂ ବ୍ୟବସ୍ଥା ଜରୁରି। ଭୁବନେଶ୍ବର ପରି ଛୋଟ ସହରରେ ସହଜରେ ସିଭିକ୍ ଓ ଟ୍ରାଫିକ୍ ସେନ୍ସ ଆସେନାହିଁ। ନିୟମ ଉଲ୍ଲଂଘନକାରୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ହିଁ ଲୋକଙ୍କୁ ଠିକଣା ବାଟକୁ ଆଣିବ। କିଛିଲୋକ ରୋଡ୍‌-ସ୍ପାଇକ୍‌ର ପୁନଃପ୍ରବର୍ତ୍ତନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଫାଇନ୍‌ ବଦଳରେ ଗାଡ଼ିକୁ ସପ୍ତାହେ କାଳ ଥାନାରେ ପକେଇରଖିଲେ ଉଲ୍ଲଂଘନକାରୀ ବୁଦ୍ଧି ଶିଖିଯିବେ ବୋଲି କୁହାଯାଇଛି। ସମଲୋଚନାକୁ ଖାତିର କରନ୍ତୁ ନାହିଁ ବୋଲି ଉପଦେଶ ବି ଦିଆଯାଇଛି ଡିସିପିଙ୍କୁ।
ତେବେ ଏହି ଟୁଇଟ୍‌ରେ ଏକ ଛୋଟ ବିତର୍କ ଉଲ୍ଲେଖନୀୟ। ଜଣେ ନେଟିଜେନ୍‌ଙ୍କ ଗୋଟିଏ ନିର୍ଦ୍ଦିଷ୍ଟ କଥା ସହ ଏକମତ ନହୋଇ ପରୋକ୍ଷରେ ଏକ ବିତର୍କ ସୃଷ୍ଟି କରିଛନ୍ତି ଶ୍ରୀ ସିଂହ। ‘ସତେ ଯେମିତି ସମାଜର କେବଳ ସାଧାରଣ ଲୋକଙ୍କ ପାଇଁ ନିୟମମାନ ତିଆରି ହୋଇଛି; ବଡ଼ଲୋକଙ୍କୁ ସାତଖୁଣ ମାଫ୍‌’ ବୋଲି ଦିଆଯାଇଥିବା ଏକ ମନ୍ତବ୍ୟ ସହ ଏକମତ ହୋଇନାହାନ୍ତି ଡିସିପି ଶ୍ରୀ ସିଂହ। ‘ଆର୍ୟାନ୍ ଖାଁ, ସଲମାନ ଖାଁ ଓ ଆଶାରାମ ବାପୁଙ୍କୁ ଏହିକଥା କୁହାଯାଉ, ସେମାନେ ସହମତ ହେବେନାହିଁ’ ବୋଲି ଯୁକ୍ତି ବାଢ଼ିଛନ୍ତି ଡିସିପି। ତେବେ ‘ଯିଏ ଭୋଗିଛି, ସେ ହିଁ ଜାଣେ ସତ କଣ, ଆଶାରାମଙ୍କ ଉଦାହରଣ କେବଳ ଉପହାସ’ ବୋଲି ଜଣେ କହିଛନ୍ତି। ଏହି ଟ୍ବିଟର-ପ୍ରସଙ୍ଗଟିର ଭଲ ଦିଗ ହେଲା, ଜଣେ ଆଇପିଏସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଶାଳୀନତାର ସହ ନିଜିନିଜ ମତମନ୍ତବ୍ୟ ଉପସ୍ଥାପନ କରିବା ନେଇ ସମସ୍ତେ ସଚେତନ ଅଛନ୍ତି।