କାଠମାଣ୍ଡୁ: ଗତ ରବିବାର ନେପାଳରେ ହୋଇଥିବା ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ଚକିତ କରିଛି। ଏହି ଦୁର୍ଘଟଣାରେ ୭୨ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା | ଦୁର୍ଘଟଣାଗ୍ରସ୍ତ ବିମାନଟି ନେପାଳର ୟେତି ଏୟାରଲାଇନ୍ସର ଥିଲା | ତେବେ ଏହି ବିମାନର ମାଲିକଙ୍କର ମଧ୍ୟ ଦୁଇବର୍ଷ ତଳେ ଠିକ ଏଭଳି ମୃତ୍ୟୁ ଘଟିଥିଲା |
ମିଳିଥିବା ସୂଚନା ମୁତାବକ ୟେତି ଏୟାରଲାଇନ୍ସର ମାଲିକ ଅଙ୍ଗ ଶେରିଙ୍ଗ ଶେର୍ପାଙ୍କର ମଧ୍ୟ ୨୦୧୯ ମସିହାରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ହେଲିକପ୍ଟରରେ ନେପାଳର ତତ୍କାଳୀନ ବିମାନ ମନ୍ତ୍ରୀ ରବୀନ୍ଦ୍ର ଅଧିକାରୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତଙ୍କର ମୃତ୍ୟୁ ଘଟିଥିଲା, ଯେଉଁମାନଙ୍କ ମଧ୍ୟରେ ୟେତି ଏୟାରଲାଇନ୍ସର ମାଲିକ ଅଙ୍ଗ ଶେରିଙ୍ଗ ଶେର୍ପା, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ, ତାଙ୍କ ପିଏସଓ, ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଡେପୁଟି ଡାଇରେକ୍ଟର ଜେନେରାଲ, ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏବଂ ଜଣେ ଡେପୁଟି ସେକ୍ରେଟାରୀଙ୍କର ଜୀବନ ଚାଲିଯାଇଥିଲା |
ଏହି ହେଲିକପ୍ଟରଟି ସକାଳ ପ୍ରାୟ ୬ଟା ସମୟରେ ୬ ଜଣଙ୍କୁ ନେଇ ଉଡାଣ କରିଥିଲା | ଆଉ ଫେରୁଥିବା ସମୟରେ ଏହି ହେଲିକପ୍ଟରଟିର ପର୍ବତର ଶିଖରରେ ଧକ୍କା ହୋଇ ଯାଇଥିଲା । ଏହି ହେଲିକପ୍ଟରଟି ନେପାଳର ସର୍ବପୁରାତନ ହେଲିକପ୍ଟର ଉଦ୍ଧାରକାରୀ କମ୍ପାନୀ ଏୟାର ଡାଇନେଷ୍ଟି ହେଲି ସର୍ଭିସର ଥିଲା। ୟେତି ଏୟାରଲାଇନ୍ସ ବ୍ୟତୀତ ଅଙ୍ଗ ଶେରିଙ୍ଗ ଶେର୍ପା ମଧ୍ୟ ନେପାଳର ଏକମାତ୍ର ଆନ୍ତର୍ଜାତୀୟ ବିମାନ କମ୍ପାନୀ ହିମାଲୟାନ ଏୟାରଲାଇନ୍ସ ଓ ତାରା ଏୟାରଲାଇନ୍ସର ମାଲିକ ଥିଲେ।
ଉଲ୍ଲେଖ ଥାଉ କି ନେପାଳର ପୋଖରାରେ ରବିବାର ଘଟିଥିବା ବିମାନ ଦୁର୍ଘଟଣା ଗତ ୫ ବର୍ଷ ଭିତରେ ସବୁଠାରୁ ବଡ଼ ଓ ଭୟାନକ। ଏଥିରେ ସମସ୍ତ ୭୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଗତ ୧୦ ବର୍ଷ ମଧ୍ୟରେ ନେପାଳରେ ୧୧ଟି ବିମାନ ଦୁର୍ଘଟଣା ଘଟିଥିବା ସୂଚନା ରହିଛି|