ସମଗ୍ର ଦେଶ ପାଇଁ କଟକର ଡି. ପ୍ରକାଶ ରାଓଙ୍କ ଜୀବନ ଏକ ପ୍ରେରଣା: ମନ୍‌ କି ବାତ୍‌ରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଅନ୍ୟମାନଙ୍କର ସ୍ୱପ୍ନକୁ ଗ୍ରହଣ କରି ତାକୁ ବାସ୍ତବ ରୂପ ଦେବା ପାଇଁ ସର୍ବସ୍ୱ ତ୍ୟାଗ କରିଥିବା କଟକର ଏକ ବସ୍ତିରେ ବାସ କରୁଥିବା ଡି. ପ୍ରକାଶ ରାଓଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ୍‌କି ବାତ୍‌’ର ୪୪ତମ ସଂସ୍କରଣରେ ଶୁଭେଚ୍ଛା ଜଣାଇଛନ୍ତି।

‘ଆଇଏନ୍‌ଏସ୍‌ଭି ତାରିଣୀ’ ଯୋଗେ ୮ ମାସ ମଧ୍ୟରେ ବିଶ୍ୱ ପରିକ୍ରମା କରିଥିବା ଭାରତୀୟ ନୌବାହିନୀର ମହିଳା ଟିମ୍‌କୁ ପ୍ରଥମେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଭାରତ ଅଦ୍ୱିତୀୟ ବୋଲି ସେମାନେ ପ୍ରତିପାଦିତ କରିଥିବା କଥା ମୋଦି କହିଛନ୍ତି।

ମାନବ ବିକାଶ ଯାତ୍ରାରୁ ଜଣାପଡ଼େ ଯେ ଆଡ୍‌ଭେଞ୍ଚର୍‌ ଗର୍ଭରୁ ହିଁ ପ୍ରଗତି ଜାତ ହୋଇଥାଏ। ଆଡ୍‌ଭେଞ୍ଚର୍‌ ବିଷୟରେ ସମସ୍ତେ ସଚେତନ ବୋଲି ସେ କହିଛନ୍ତି।

ଗତ କେଇ ସପ୍ତାହ ମଧ୍ୟରେ କେତେକ ଏଭରେଷ୍ଟ୍‍ ଆରୋହଣ କରି ଭାରତକୁ ଗୌରବାନ୍ଵିତ କରିଥିବା ସମସ୍ତ ପର୍ବତାରୋହୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଚନ୍ଦ୍ରପୁର, ମହାରାଷ୍ଟ୍ରର ୫ ଜଣ ଜନଜାତି ଛାତ୍ର ଅଜିତ ଏବଂ ଦୀୟା ବଜାଜ, ସଙ୍ଗୀତା ବହଲ ଏବଂ ଜଣେ ବିଏସ୍‌ଏଫ୍‌ କଣ୍ଟିଜେଣ୍ଟ୍‌ ଏଭରେଷ୍ଟ୍‍ ଚଢ଼ିଥିବାରୁ ସେ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି: ‘ଫିଟ୍‌ ଇଣ୍ଡିଆ’ ଏଡ଼େ ଜନପ୍ରିୟ ହେବ ବୋଲି ଭାବି ନ ଥିଲି। ଲୋକେ କ୍ଲିପ୍‌ ସେୟାର୍‌ କରିବାରୁ ଏହା ଖୁବ୍‌ ଜନପ୍ରିୟ ହୋଇ ଚାଲିଛି। ମୋତେ ଭାରତୀୟ କ୍ରିକେଟ୍‌ ଦଳର କପ୍ତାନ୍‌ ବିରାଟ କୋହଲି ଫିଟ୍‌ନେସ୍‌ ଚାଲେଞ୍ଜ୍‌ ଦେଇଛନ୍ତି। ତାକୁ ମୁଁ ଖୁସିରେ ଗ୍ରହଣ କରିଛି।

ଭାରତର ପାରମ୍ପରିକ ଖେଳକୁଦ କଥା କହିବା ସହ ଗ୍ରୀଷ୍ମବକାଶକୁ ସେଥିରେ ବିନିଯୋଗ କରିବାକୁ ପିଲାମାନଙ୍କୁ କହିଛନ୍ତି ମୋଦି। ତରୁଣମାନେ ଖେଳକୁଦରେ ନିଜକୁ ସୁନ୍ଦର ଭାବେ ପ୍ରତିପାଦିତ କରି ପାରିବେ। ଆମର ପାରମ୍ପରିକ ଖେଳକୁଦ ଆମର ବିଚାରଗତ ଭାବନାକୁ ବଢ଼ାଏ। ଆମେ ଆମର ଐତିହ୍ୟ ଭୁଲିବା ଅନୁଚିତ। ଚାଲନ୍ତୁ କ୍ରାଉଡ୍‌ ସୋର୍ସିଙ୍ଗ୍‌ ଜରିଆରେ ଆମ ପାରମ୍ପରିକ ଖେଳକୁଦର ଅଭିଲେଖାଗାର କରିବା ବୋଲି ସେ କହିଛନ୍ତି।

ଭାରତ ଆନୁଷ୍ଠାନିକ ଭାବେ ବିଶ୍ୱ ପରିବେଶ ଦିବସ ଆୟୋଜନ କରିବ। ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ଏହା ଭାରତର କ୍ରମବର୍ଦ୍ଧିଷ୍ଣୁ ନେତୃତ୍ୱକୁ ପ୍ରଦର୍ଶନ କରୁଛି।

ମୋଦି କହନ୍ତି, ଏବର୍ଷର ଥିମ୍‌ ହେଉଛି ପ୍ଲାଷ୍ଟିକ୍‌ ଆବର୍ଜନା ନାଶ କର। ନିର୍ମଳତର ଓ ସବୁଜତର ଆଗାମୀ ଦିନ ପାଇଁ ସମ୍ଭବ ସମସ୍ତ ଜିନିଷ ଭାରତ କରିବ।

ଗତ କେତେ ସପ୍ତାହ ହେବ ଭାରତରେ ଅଦିନ ବତାସ ପ୍ରବାହିତ ହୋଇଛି। ଧନଜନ କ୍ଷୟ ହୋଇଛି। ଏହା ଜଳବାୟୁ ପରିବର୍ତ୍ତନର କୁଫଳ।
ପ୍ରକୃତି ସହ ସହାବସ୍ଥାନ ପାଇଁ ମୋଦି ଏପରି କହିଛନ୍ତି। ପ୍ରକୃତି ବିରୋଧରେ ଲଢ଼ିବାକୁ ନୁହେଁ, ସହାବସ୍ଥାନ କରିବାକୁ ଆମ ସଂସ୍କୃତି, ଆମ ପରମ୍ପରା ଆମକୁ ଶିକ୍ଷା ଦିଏ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଜୁନ୍‌ ୨୧ ତାରିଖକୁ ସମଗ୍ର ବିଶ୍ୱ ସ୍ମରଣ କରେ। କାରଣ ଯୋଗ ଯେଉଁ ଉପାୟରେ ବିଶ୍ୱକୁ ଏକଜୁଟ କରେ ବିଶ୍ୱ ତାହା ଦେଖିଛି।

ମୃତ୍ୟୁ ବାର୍ଷିକରେ ଜବାହରଲାଲ୍‌ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି।

ସେ ଆହୁରି କହିଛନ୍ତି: ୧୮୫୭ର ଐତିହାସିକ ଘଟନା ସହ ମେ’ ମାସ ସଂଶ୍ଳିଷ୍ଟ। ଅନେକେ ଏହାକୁ ଖାଲି ବିଦ୍ରୋହ ବା ସିପାହୀ ବିଦ୍ରୋହ ବୋଲି କହନ୍ତି। ବୀର ସବରକର ହିଁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଥିଲେ। ମହାନ୍‌ ସବରକରଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋଦି ବୀର ସବରକରଙ୍କୁ ଅନେକ ଲେଖା ପ୍ରସୂତକାରୀ ଲେଖକ ଏବଂ ସମାଜ ସଂସ୍କାରକ ଭାବେ ସ୍ମରଣ କରିଛନ୍ତି।

ଅନ୍ୟମାନଙ୍କର ସ୍ୱପ୍ନକୁ ଗ୍ରହଣ କରି ତାକୁ ବାସ୍ତବ ରୂପ ଦେବା ପାଇଁ ସର୍ବସ୍ୱ ତ୍ୟାଗ କରିଥିବା କଟକର ଏକ ବସ୍ତିରେ ବାସ କରୁଥିବା ଡି. ପ୍ରକାଶ ରାଓଙ୍କ କଥା ମଧ୍ୟ ପ୍ରଧାମନ୍ତ୍ରୀ ମୋଦି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି: କଠିନ ପରିଶ୍ରମ, ଉଦ୍ୟମ ଓ ତାଙ୍କ ସ୍କୁଲ୍‌କୁ ଆସୁଥିବା ଗରିବ ପିଲାମାନଙ୍କୁ ନୂତନ ଦିଗ୍‌ଦର୍ଶନ ଦେଉଥିବା ଡି. ପ୍ରକାଶ ରାଓଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ସମଗ୍ର ଦେଶ ପାଇଁ ତାଙ୍କ ଜୀବନ ଏକ ପ୍ରେରଣାା

ରମଜାନରେ ମାସେ ବ୍ୟାପୀ ଉପବାସ ପାଳନ କରିବା ପରେ ଚାନ୍ଦ ଦେଖିବା ହେଉଛି ଏହାକୁ ପାଳନ କରିବାର ବିଧି। ଆଶା କରୁଛି ଇଦ୍‌ ପର୍ବ ଆମ ସମାଜରେ ଶୁଭେଚ୍ଛାର ବନ୍ଧନକୁ ମଜଭୂତ କରିବ।

ସମ୍ବନ୍ଧିତ ଖବର