ଲକ୍‌ଡାଉନ୍‌ ପରେ ବଦଳିଯିବ ଜୀବନଶୈଳୀ

ନୂଆଦିଲ୍ଲୀ: କରୋନାଭୂତାଣୁ ସଂକ୍ରମଣକୁ ମନ୍ଥର କରିବା ପାଇଁ କେନ୍ଦ୍ର ସରକାର ସାଧାରଣଲୋକଙ୍କ ଜୀବନଯାତ୍ରାକୁ ପୂରା ଦୁଇ ମାସ ପାଇଁ ଲକ୍‌ଡାଉନ୍‌ ନାମରେ ବନ୍ଦ କରିଦେଇଛନ୍ତି। ଲକ୍‌ଡାଉନ୍‌ ପ୍ରତ୍ୟାହୃତ ହେଲେ ବି ପୂର୍ବର ସେଇ ଜୀବନଶୈଳୀ ଆଉ କେବେହେଲେ ଫେରିବନି। ବିମାନଯାତ୍ରା, ଖୁଚୁରା ବ୍ୟବସାୟ, ଖାଦ୍ୟ ଓ ପାନୀୟ ଏବଂ ହୋଟେଲଗୁଡ଼ିକରେ ବିଭିନ୍ନ ଅଫର ଦେଉଥିବା କମ୍ପାନିମାନେ ଆଉ ସେଭଳି ଅଫର ଦେବେ ନାହିଁ। ସରକାର ଅଧିକ କଟକଣା କୋହଳ କଲେ ସୁଦ୍ଧା ବିଭିନ୍ନ ଉଦ୍ୟୋଗ ଓ ଶିଳ୍ପ ଝୁଲା ଅବସ୍ଥାରେ ରହିବ। ଲାଲ୍‌, ନାରଙ୍ଗୀ ଓ ସବୁଜ ଜୋନ୍‌ ଏବଂ ହଟ୍‌ସ୍ପଟ୍ ଭିତ୍ତିରେ ଅଞ୍ଚଳକୁ ଚିହ୍ନଟ କରିବା ପରେ କେବଳ ଗୋଟିକିଆ ଦୋକାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଛି ଲକ୍‌ଡାଉନ୍‌-୩ରେ। ତେଣୁ ମେ ୧୭ ପରେ ମଧ୍ୟ ସବୁ ପ୍ରକାର ଆର୍ଥନୀତିକ କାର୍ଯ୍ୟାବଳୀକୁ ଅନୁମତି ମିଳି ନାହିଁ। ନିମୟିତ ବ୍ୟବଧାନରେ ବର୍ଗୀକରଣ ବଦଳି ଚାଲିଛି, ହେଲେ ସଂପୂର୍ଣ ସ୍ୱାଭାବିକତାକୁ ସୁଯୋଗ ମିଳି ନାହିଁ। କରୋନାଭୂତାଣୁ ସଂକ୍ରମଣ କେଉଁ ଅଞ୍ଚଳରେ କେତେ ମାତ୍ରାରେ ଅଛି, ତାହାକୁ ନେଇ କଟକଣାର ରୂପରେଖ ହେବ। ଭୂତାଣୁ ବ୍ୟାପିବା ପରେ ଉପଭୋକ୍ତା ଓ ବ୍ୟବସାୟଗୁଡ଼ିକର ପ୍ରବୃତ୍ତି, ଆଚରଣ, ଓ ପସନ୍ଦରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଉପଭୋକ୍ତାମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିବେ ଏବଂ ସେବାପ୍ରଦାନକାରୀମାନଙ୍କ ଠାରୁ ସ୍ୱାସ୍ଥ୍ୟରକ୍ଷା ଓ ପରିଚ୍ଛନ୍ନତା ଆଶା କରିବେ। ସପିଙ୍ଗ୍‌ ମଲ୍‌ଗୁଡ଼ିକ ନୂଆ ନିୟମ ଲାଗୁ କରିବେ। ସାମାଜିକ ଦୂରତା ରକ୍ଷା ପାଇଁ ନିଜର ଆଭ୍ୟନ୍ତରୀଣ ସାଜସଜ୍ଜାରେ ପରିବର୍ତ୍ତନ କରିବେ।

ପ୍ରବେଶ ଦ୍ୱାରରେ ଥର୍ମାଲ ସ୍କ୍ରିନିଂ କରିବା ସହ ମେଟାଲ ଡିଟେକ୍ଟର ଭଳି ସାନିଟାଇଜର କିଓସ୍କ ଲଗାଇବେ। ଫିଟ୍‌ନେସ୍‌ ନଥିଲେ ଯେମିତି ଆଜିକାଲି କ୍ରିକେଟ୍‌, ହକି ବା ଫୁଟ୍‌ବଲ୍‌ ଦଳର ୧୧ ଜଣିଆ ଦଳ ଭିତରେ ରହିହେଉ ନାହିଁ। ସେମିତି ଫିଟ୍‌ନେସ୍‌ ନଥିଲେ ବା ରୁଗ୍‌ଣ ଥିଲେ ଆପଣ ବଜାର, ମଲ୍‌ ବା ସପିଂ କଂପ୍ଲେକ୍ସ ଭିତରକୁ ବି ପଶିବାକୁ ଯୋଗ୍ୟ ହେବେ ନାହିଁ। ଯେଉଁମାନେ ମାସ୍କ ପିନ୍ଧି ନଥିବେ, ସେମାନେ ପ୍ରବେଶାଧିକାର ପାଇବେ ନାହିଁ। ଯେଉଁମାନଙ୍କର ଶରୀରର ତାପମାତ୍ରା ୯୯ରୁ ୧୦୦ ଡିଗ୍ରୀ ଫାରେନ୍‌ହାଇଟ୍‌ ବା ତାହାଠୁ ଉପରେ ଥିବ, ସେମାନେ ଫାଟକରୁ ଫେରିବାଯିବାକୁ ବାଧ୍ୟ ହେବେ। ପ୍ରତି ଘଣ୍ଟାରେ ସୀମିତ ସଂଖ୍ୟାରେ ଗ୍ରାହକଙ୍କୁ ପ୍ରବେଶାନୁମତି ମିଳିବ। ସିନେମାଘର ଓ ମଲ୍ଟିପ୍ଳେକ୍ସରେ ମଧ୍ୟ ସମାନ ପ୍ରକାର କଟକଣା ଲାଗୁ ହେବ। ସିନେମା ଶିଳ୍ପ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ସ୍ୱାଭାବିକତା ଫେରିବାକୁ ସମୟ ଲାଗିବ। କେତେକ ରାଜ୍ୟରେ ଲମ୍ବା ଲକ୍‌ଡାଉନ୍‌ ଲାଗୁ ହେବାକୁ ଥିବାରୁ ବିମାନସେବା ସ୍ୱାଭାବିକ ହେବ ନାହିଁ। ଯେଉଁ ଅଳ୍ପ କେତେକ ସ୍ଥାନକୁ ଉଡ଼ିବ, ସେଥିରେ ସାମାଜିକ ଦୂରତା, ମାସ୍କ ପିନ୍ଧା, ଗ୍ଲୋଭ୍‌ସ ପିନ୍ଧା ଭଳି କଟକଣା ରହିବ। ୧ ଜୁନ୍‌ ୨୦୨୦ରୁ ଦେଶ ଭିତରେ ବିମାନଯାତ୍ରା ପାଇଁ ସ୍ପାଇସ୍‌ଜେଟ୍‌, ଇଣ୍ଡିଗୋ, ଭିସ୍ତାରା ବୁକିଂ ମଧ୍ୟ ଆରମ୍ଭ କରିଦେଲେଣି। ସର୍ବସାଧାରଣ ସମାବେଶ ଉପରେ କଟକଣା ରହୁଥିବାରୁ ହୋଟେଲମାନେ ସେଭଳି ସମାଗମ/ ସମାବେଶକୁ ବାରଣ କରିବେ। କୌଣସି ପ୍ରକାର ସାମାଜିକ ଓ ବ୍ୟାବସାୟିକ ସମାବେଶ ଉପରେ ପ୍ରତିବନ୍ଧକ ରହିବ। କେବଳ ରହଣି ଓ ଭୋଜନ ସେବାରେ ହୋଟେଲ ଶିଳ୍ପ ସୀମିତ ରହିବ। ସଭ୍ୟ ମଣିଷର ଜୀବନ ଆଉ ମୁକ୍ତ ଓ ଅବାଧ ହୋଇ ରହିପାରିବ ନାହିଁ। ବଦଳିଯିବ ନିତିଦିନିଆ ଜୀବନ ଶୈଳୀ। କଟକଣା ଓ ଅନୁଶାସନ ଭିତରେ ବଞ୍ଚିବାକୁ ହେବ।

ସମ୍ବନ୍ଧିତ ଖବର