ଅପରାଧିକ ମାମଲାରେ ଜଡ଼ିତ ସାଂସଦ ଓ ବିଧାୟକଙ୍କ ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ ହେଉ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୁଧବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି, ଯାହା ମାଧ୍ୟମରେ ବିଭିନ୍ନ ଅପରାଧରେ ଜଡ଼ିତ ବିଧାୟକ ଓ ସାଂସଦଙ୍କ ତ୍ୱରିତ ବିଚାର ଲାଗି ସ୍ୱତନ୍ତ୍ର ଅଦାଲତ ଗଠନ ହୋଇପାରିବ। ଏହି ଅଦାଲତ ପ୍ରତିଷ୍ଠା ପାଇଁ କେତେ ସମୟ ଓ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ସୂଚନା ୬ ସପ୍ତାହ ମଧ୍ୟରେ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶୀର୍ଷ ଅଦାଲତ। ଏହାପରେ ଏହି ସ୍ୱତନ୍ତ୍ର ଅଦାଲତରେ ବିଚାରପତି ନିୟୁକ୍ତି ଓ ଢ଼ାଞ୍ଚା କିପରି ହେବ, ତାହା ସ୍ଥିର ହେବ।

ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି, ଏହି ମାମଲାରେ ନିର୍ବାଚନ କମିସନ ଓ ଆଇନ କମିସନଙ୍କ ସୁପାରିଶ ସହ ସରକାର ଏକମତ ଅଛନ୍ତି। ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେଉଥିବା ରାଜନେତାଙ୍କ ଉପରେ ଜୀବନବ୍ୟାପି ପ୍ରତିବନ୍ଧକ ଲାଗୁ ପ୍ରସ୍ତାବ ଉପରେ ସକ୍ରିୟ ଭାବେ ବିଚାର-ବିମର୍ଷ କରାଯାଉଛି।

ବିଚାରପତି ରଞ୍ଜନ ଗୋଗୋଇ ଓ ନବୀନ ସିହ୍ନାଙ୍କ ଖଣ୍ଡପୀଠ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେଉଥିବା ସାଂସଦ ଓ ବିଧାୟକଙ୍କ ବିଚାର ପାଇଁ ଏକ ସ୍ୱତନ୍ତ୍ର ଅଦାଲତ ପ୍ରସ୍ତୁତ ହେବ ବୋଲି କହିଛନ୍ତି। ସ୍ୱତନ୍ତ୍ର ଅଦାଲତର ପ୍ରସଙ୍ଗ ଉପରେ କେନ୍ଦ୍ରସରକାର ବି ସମର୍ଥନ ଜଣାଇଛନ୍ତି।

ସୁପ୍ରିମକୋର୍ଟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି, ୨୦୧୪ରେ ସାଂସଦ ଓ ବିଧାୟକଙ୍କ ଉପରେ ୧୫୮୧ଟି ମାମଲା ରୁଜୁ ହୋଇଥିଲା ବେଳେ କେତେଟିର ସମାଧାନ ହୋଇଛି, ତାହା ଜଣାଯାଉ। ଏହାବାଦ୍‌ କୋର୍ଟ ୨୦୧୪ରୁ ୨୦୧୭ ମଧ୍ୟରେ ରାଜନେତାଙ୍କ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ମାମଲାର ତାଲିକା ବି ମାଗିଛନ୍ତି।

ସମ୍ବନ୍ଧିତ ଖବର