ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଗିରଫ ହୋଇଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ନାଁରେ ଥିବା ଗୋଟିଏ ପରେ ଗୋଟିଏ ଫ୍ଲାଟରୁ ନଗଦ ଟଙ୍କା ଜବତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଅର୍ପିତା ମୁଖାର୍ଜୀଙ୍କ ଘରୁ ଏପର୍ଯ୍ୟନ୍ତ ୫୦କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫କିଲୋଗ୍ରାମ ସୁନା ଜବତ କରାଯାଇଛି।
ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଯେ ଲୋକମାନେ ନିଜ ଘରେ କେତେ ସୁନା ଓ ନଗଦ ଟଙ୍କା ରଖିପାରିବେ। ଏହାର ସୀମା କେତେ? ଯଦି ଆପଣ ନଗଦ ଟଙ୍କା ଏବଂ ସୁନା ରଖିବାକୁ ଭଲ ପାଆନ୍ତି, ତେବେ ଏହାର ସୀମା ଜାଣିବା ଅତ୍ୟନ୍ତ ଜରୁରୀ।
ଘରେ ନଗଦ ଟଙ୍କା ଓ ସୁନା ରଖିବାର ସୀମା କେତେ?
ସରକାରୀ ନିୟମ ଅନୁଯାୟୀ ଜଣେ ବିବାହିତା ମହିଳା ୫୦୦ଗ୍ରାମ ସୁନା ରଖିପାରିବା ସହ ଅବିବାହିତା ମହିଳା ୨୫୦ଗ୍ରାମ ଏବଂ ବିବାହିତ ପୁରୁଷ ୧୦୦ ଗ୍ରାମ ସୁନା ରଖିପାରିବେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ଆୟର ପ୍ରମାଣ ପ୍ରଦାନ କରିବାକୁ ପଡ଼ିବ ନାହିଁ। ଯଦି ଆପଣ ଏହି ସୀମା ମଧ୍ୟରେ ଘରେ ସୁନା ରଖନ୍ତି, ତେବେ ଆୟକର ବିଭାଗ ଏହି ସୁନାକୁ ଜବତ କରିବ ନାହିଁ। ହେଲେ ଯଦି କୌଣସି ବ୍ୟକ୍ତି ତାଙ୍କ ଘରେ ଏହାଠାରୁ ଅଧିକ ପରିମାଣରେ ସୁନା ରଖନ୍ତି, ତେବେ ତାଙ୍କୁ ଆୟକର ବିଭାଗକୁ ଏହାର ଉତ୍ସ ବିଷୟରେ ସୂଚନା ଦେବାକୁ ପଡିବ। ଯଦି ବ୍ୟକ୍ତିଜଣକ ଏହାର ଉତ୍ସ ବିଷୟରେ ସୂଚନା ନଦେଇପାରନ୍ତି ତେବେ ଆୟକର ବିଭାଗ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ସେହିଭଳି ଘରେ ନଗଦ ଟଙ୍କା ରଖିବା ପାଇଁ କୌଣସି ସୀମା ସ୍ଥିର କରାଯାଇ ନାହିଁ, କିନ୍ତୁ ଆପଣଙ୍କୁ ଏହି ନଗଦ ଟଙ୍କାର ଉତ୍ସ ବିଷୟରେ ଜଣାଇବାକୁ ପଡିବ। କେଉଁ ମାଧ୍ୟମରେ ଆପଣ ଏହି ଟଙ୍କା ଅର୍ଜନ କରିଛନ୍ତି, ତାହା ଜଣାଇବାକୁ ପଡ଼ିବ। ନୂତନ ନିୟମ ଅନୁଯାୟୀ, ଯଦି କେହି ନଗଦ ଟଙ୍କା ବିଷୟରେ ସୂଚନା ଦେବାରେ ସକ୍ଷମ ନହୁଅନ୍ତି, ତେବେ ସେମାନଙ୍କୁ ୧୩୭ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ।