ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖର ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଅନ୍ୟତମ ଆତଙ୍କବାଦୀ ଆଦିଲ ଅହମଦ ଥୋକର ୨୦୧୮ରେ ପାକିସ୍ତାନ ଯାଇଥିଲା ଏବଂ ୬ ବର୍ଷ ପରେ ୩ରୁ ୪ ଜଣ ଆତଙ୍କବାଦୀଙ୍କୁ ନେଇ ଫେରିଥିଲା। ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ବିଜବେହଡ଼ାର ଗୁରେ ଗାଁର ଥୋକର ପହଲଗାମ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ମୁଖ୍ୟ ସ୍ରଷ୍ଟା ବୋଲି କୁହାଯାଉଛି। ୨୦୧୮ରେ ଆଦିଲ ଅହମଦ ଥୋକର ଗୁରେରେ ଥିବା ନିଜ ଘର ଛାଡ଼ି ଷ୍ଟୁଡେଣ୍ଟ ଭିସାରେ ପାକିସ୍ତାନ ଯାଇଥିଲା। ଗୁଇନ୍ଦା ଅଧିକାରୀଙ୍କ କହିବା ଅନୁଯାୟୀ, ଥୋକର ଯିବା ପୂର୍ବରୁ ଆତଙ୍କବାଦର ଲକ୍ଷଣ ଦେଖାଇସାରିଥିଲା। ଭାରତ ଛାଡ଼ିବା ପୂର୍ବରୁ ସେ ସୀମାପାରରୁ ସକ୍ରିୟ ଥିବା ନିଷିଦ୍ଧ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିଲା। ପାକିସ୍ତାନରେ ଥୋକର ଆଦର୍ଶଗତ ଓ ଅର୍ଦ୍ଧସାମରିକ ପ୍ରଶିକ୍ଷଣ ନେଇଥିଲା। ସେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲ୍‌ଇଟି) ସହ ଜଡ଼ିତ ହ୍ୟାଣ୍ଡଲରଙ୍କ ସଂସ୍ପର୍ଶରେ ଆସିଥିଲା। ୨୦୨୪ ଶେଷ ବେଳକୁ ଆଦିଲ ଅହମଦ ଥୋକର ଗୁଇନ୍ଦା ଆକଳନରେ ପୁନର୍ବାର ସାମ୍ନାକୁ ଆସିଥିଲା - କିନ୍ତୁ ଏଥର ଭାରତ ଭିତରେ। ସେ ୨୦୨୪ ଅକ୍ଟୋବରରେ ଦୁର୍ଗମ ପୁଞ୍ଚ-ରାଜୌରୀ ସେକ୍ଟର ଦେଇ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅତିକ୍ରମ କରିଥିଲା।

Advertisment

ଥୋକର ସହ ୩ରୁ ୪ ଜଣିଆ ଏକ ଛୋଟ ଗୋଷ୍ଠୀ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରେ ହାସିମ ମୁସା ନାମକ ଜଣେ ପାକିସ୍ତାନୀ ନାଗରିକ ଥିଲା, ଯିଏକି ପହଲଗାମ ଆତଙ୍କବାଦୀ ଆକ୍ରମଣର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ। ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ, ମୁସାକୁ ଭାରତୀୟ ଅଞ୍ଚଳରେ ପ୍ରବେଶ କରାଇବାରେ ଥୋକର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପରେ ଥୋକର ଜଙ୍ଗଲ ଓ ପାହାଡ଼ିଆ ମାର୍ଗ ବ୍ୟବହାର କରି ଚିହ୍ନଟକୁ ଏଡ଼ାଇ ଯାଇଥିଲା। ସମ୍ଭବତଃ ତ୍ରାଲର ପାହାଡ଼ିଆ ଅଞ୍ଚଳ ଦେଇ କିମ୍ବା ଅତୀତରେ ଆତଙ୍କବାଦୀଙ୍କ ଦ୍ୱାରା ବ୍ୟବହୃତ ଆଭ୍ୟନ୍ତରୀଣ ଟ୍ରାକ୍ ଦେଇ ଅନନ୍ତନାଗ ଯିବା ପୂର୍ବରୁ ତାକୁ କିସ୍ତୱାଡ଼ରେ କିଛି ସମୟ ପାଇଁ ଠାବ କରାଯାଇଥିଲା। ସେ ସାଙ୍ଗରେ ଆଣିଥିବା ପାକିସ୍ତାନୀ ନାଗରିକମାନଙ୍କ ମଧ୍ୟରୁ ଅତି କମ୍‌ରେ ଜଣକୁ ସମ୍ଭବତଃ ଜଙ୍ଗଲ କ୍ୟାମ୍ପ କିମ୍ବା ବିଚ୍ଛିନ୍ନ ଗାଁ ଆଶ୍ରୟସ୍ଥଳୀରେ ଆଶ୍ରୟ ଦେଇଥିଲା। ସେ ଅନେକ ସପ୍ତାହ ଧରି ଲୁଚି ରହିଥିଲା, ଯେଉଁ ସମୟରେ ସେ ନିଷ୍କ୍ରିୟ ଆତଙ୍କବାଦୀ ସେଲ୍ ସହ ଯୋଗାଯୋଗକୁ ସକ୍ରିୟ କରିଥିବା ସନ୍ଦେହ କରାଯାଉଛି। ସେ ସକ୍ରିୟ ଭାବରେ ଏକ ଉପଯୁକ୍ତ ସ୍ଥାନ ଖୋଜୁଥିଲା ଯେଉଁଠି ପ୍ରଭାବଶାଳୀ ଭାବେ ଆକ୍ରମଣ କରି ବ୍ୟାପକ କ୍ଷୟକ୍ଷତି କରିପାରିବ ଏବଂ ଅନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିପାରିବ। 

ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ବନ୍ଦ ଥିବା ବୈସାରଣ ଘାଟିରେ ମାର୍ଚ୍ଚ ୨୦୨୫ରୁ ପୁଣି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହାଦ୍ୱାରା ଥୋକର ଓ ତା’ ଟିମ୍‌କୁ ଏକ ସ୍ପଷ୍ଟ ସୁଯୋଗ ମିଳିଥିଲା ବୋଲି ସୁରକ୍ଷା ଏଜେନ୍ସିମାନେ ବିଶ୍ୱାସ କରୁଛନ୍ତି। ଏପ୍ରିଲ ୨୨ ତାରିଖ ଅପରାହ୍ଣ ପ୍ରାୟ ୧ଟା ୫୦ ମିନିଟ୍‌ରେ ଥୋକର ଅନ୍ୟ ଆକ୍ରମଣକାରୀଙ୍କ ସହ ବୈସାରଣ ଆଖପାଖ ଘଞ୍ଚ ପାଇନ୍ ଜଙ୍ଗଲରୁ ବାହାରି ଆସଲ୍ଟ ରାଇଫଲରେ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିଲେ। ଥୋକର ସହ ଏହି ଅକ୍ରମଣରେ ସାମିଲ ଥିବା ଅନ୍ୟ ଦୁଇ ଜଣ ହେଉଛନ୍ତି ପାକିସ୍ତାନୀ ନାଗରିକ ହାସିମ ମୁସା ଓରଫ ସୁଲେମାନ ଓ ଅଲି ଭାଇ ଓରଫ ତାଲହା ଭାଇ। ଏହି ତିନି ଜଣଙ୍କ ସ୍କେଚ୍ ରିଲିଜ୍ ହୋଇଛି। ସେମାନଙ୍କୁ ଧରିବା ପାଇଁ ବିଶ୍ୱସନୀୟ ସୂଚନା ଲାଗି ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଅନନ୍ତନାଗ, ପହଲଗାମ ଓ ସଂଲଗ୍ନ ବନାଞ୍ଚଳରେ ସୁରକ୍ଷା ବାହିନୀ ବ୍ୟାପକ ଚଢ଼ଉ ଆରମ୍ଭ କରିଛି। ଗୁରୁବାର ରାତିରେ ଥୋକର ଓ ଅନ୍ୟ ଜଣେ ଅଭିଯୁକ୍ତ ତ୍ରାଲର ଆସିଫ୍ ଶେଖ୍‌ର ଘରକୁ ଉଡ଼ାଇ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀମାନେ ଘର ଭିତରେ ବିସ୍ଫୋରକ ଗଚ୍ଛିତ ଥିବା ଜାଣିବାକୁ ପାଇଥିଲେ। ଏହା ସମ୍ଭବତଃ ଭବିଷ୍ୟତର ବ୍ୟବହାର ପାଇଁ କିମ୍ବା ପ୍ରତିରକ୍ଷାମୂଳକ ପଦକ୍ଷେପ ଭାବରେ ଉଦ୍ଦିଷ୍ଟ ଥିଲା। ଆସିଫ୍ ଶେଖ୍ ଏକ ସହଯୋଗୀ ଭୂମିକା ଗ୍ରହଣ କରିଥିଲା। ସେ ସମ୍ଭବତଃ ଲଜିଷ୍ଟିକ୍ କିମ୍ବା ବୈଷୟିକ ସହାୟତା ପ୍ରଦାନ କରିଥିଲା ବୋଲି ବିଶ୍ୱାସ କରାଯାଏ। ତା’ର ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି।