୨୪ଘଣ୍ଟା ମଧ୍ୟରେ ଲିଙ୍କଡଇନରୁ ହଟିଲା ୩ଲକ୍ଷ ଆପଲ କର୍ମଚାରୀଙ୍କ ଆକାଉଣ୍ଟ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୨୪ଘଣ୍ଟା ମଧ୍ୟରେ ଲିଙ୍କଡଇନରୁ ପ୍ରାୟ ୩ଲକ୍ଷ ଆପଲ କର୍ମଚାରୀଙ୍କ ଆକାଉଣ୍ଟ ହଟାଇ ଦିଆଯାଇଛି। ପ୍ରତିବର୍ଷ ଲିଙ୍କଡଇନରେ ନକଲି ଆକାଉଣ୍ଟ ସଂଖ୍ୟା ବଢ଼ୁଥିବା ଦେଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଲିଙ୍କଡଇନ ସେହି ଲକ୍ଷ ଲକ୍ଷ ନକଲି ପ୍ରୋଫାଇଲକୁ ଅପସାରଣ କରିଛି, ଯେଉଁମାନେ ଆପଲ କର୍ମଚାରୀ ନହୋଇ ବି ନିଜର ନକଲି ଆକାଉଣ୍ଟ ତିଆରି କରିଥିଲେ। ୨୪ଘଣ୍ଟା ମଧ୍ୟରେ ହଠାତ ୩ଲକ୍ଷ ଆକାଉଣ୍ଟ ଲିଙ୍କଡଇନରୁ ହଟିବା ପରେ ଆପଲ ୩ଲକ୍ଷ କର୍ମଚାରୀଙ୍କୁ ଚାକିରିରୁ ହଟାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏବେ ପ୍ରକୃତ କାରଣ ସାମ୍ନାକୁ ଆସିଛି।

ଲିଙ୍କଡଇନ ପକ୍ଷରୁ କୁହାଯାଇଛି ଯେ, ପ୍ଲାଟଫର୍ମକୁ ନକଲି ଆକାଉଣ୍ଟରୁ ମୁକ୍ତ ରଖିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରୁଛୁ। ଲିଙ୍କଡଇନ୍ ବିଜନେସ୍ ଇନସାଇଡରକୁ ପ୍ରତିକ୍ରିୟା ଦେଇ କହିଛି ଯେ କ୍ରିପ୍ଟୋ ଏକ୍ସଚେଞ୍ଜ୍ କମ୍ପାନି ବିନେନ୍ସର ସିଇଓ ଦ୍ବାରା  ଟ୍ୱିଟରରେ ନକଲି ଆକାଉଣ୍ଟ ବିଷୟରେ କହିବା ପରେ ନକଲି ଆକାଉଣ୍ଟ ଅପସାରଣ କରାଯାଇଛି। ଲିଙ୍କଡଇନରେ ବିନେନ୍ସ କର୍ମଚାରୀଙ୍କ ୭୦୦୦ପ୍ରୋଫାଇଲ୍ ଥିବା ବେଳେ ସେଥିମଧ୍ୟରୁ କେବଳ ୫୦ରୁ ଅଧିକ ଅସଲି ଆକାଉଣ୍ଟ ଥିବା କହିଛି ଲିଙ୍କଡଇନ।

ଲିଙ୍କଡଇଡ଼ରେ ଆପଲ କର୍ମଚାରୀଙ୍କ ସଂଖ୍ୟା ୫,୭୬,୫୬୨ରୁ କମ ହୋଇ ୨,୮୪,୯୯୧ ହୋଇଯାଇଥିବା ବେଳେ ଆମାଜନ କର୍ମଚାରୀଙ୍କ ସଂଖ୍ୟା ୧.୨ମିଲିୟନରୁ କମ ହୋଇ ୮,୩୮,୬୦୧ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର