ଦୌଡ଼ିଦୌଡ଼ି ଗାଁ ଭିତରକୁ ପଶି ଆସିଥିବା ସିଂହ କବଳରୁ ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ

ନୂଆଦିଲ୍ଲୀ: ଗୁଜୁରାଟର ମାଧବପୁର ଅଞ୍ଚଳରେ ଏକ ସିଂହ ଦୌଡ଼ିଦୌଡ଼ି ଗ୍ରାମ ଭିତରକୁ ପଶି ଆସିଥିଲା। ଯେମିତି ହିଁ ଲୋକଙ୍କ ନଜର ଏହି ସିଂହ ଉପରେ ପଡ଼ିଥିଲା ସମସ୍ତେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। କିଛି ଲୋକ ସୁରକ୍ଷିତ ସ୍ଥାନରେ ରହି ଏହି ଘଟଣାର ଦୃଶ୍ୟକୁ ନିଜ ଫୋନ୍‌ରେ କୈଦ୍‌ କରି ନେଇଥିଲେ। ଯାହାର ଏକ ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ୭ ସେକେଣ୍ଡର ଏହି ଭିଡିଓକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ଏକ ସିଂହ କିଛିଲୋକ ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟ ଦେଇ ଦୌଡ଼ି ଚାଲି ଯାଉଛି। ଏହି ସମୟରେ ଲୋକମାନେ ସିଂହ ହାବୁଡ଼ରୁ ବର୍ତ୍ତିବା ପାଇଁ ଏଣେ ତେଣେ ଧାଇଁବାକୁ ଲାଗୁଛନ୍ତି। କିନ୍ତୁ ସୌଭାଗ୍ୟବଶତଃ ଏହି ସିଂହଟି ଗ୍ରାମ ମଧ୍ୟକୁ ପଶି ଆସିଥିଲେ ହେଁ କାହାକୁ କିଛି କ୍ଷତି ପହଞ୍ଚାଇ ନାହିଁ।

ସୁଶାନ୍ତ ନନ୍ଦାଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ଭିଡିଓକୁ ୬ହଜାରରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ପାଖାପାଖି ୬୦୦ଲାଇକ୍ସ ବି ମିଳି ସାରିଛି। ଏହି ଭିଡିଓକୁ ଦେଖି ପ୍ରତିକ୍ରିୟାରେ କିଛି ବ୍ୟବହାରକାରୀ ସୁଶାନ୍ତ ନନ୍ଦାଙ୍କୁ ପ୍ରଶ୍ନ କରିଛନ୍ତି, ସେ ସୁରକ୍ଷିତ ଅଛନ୍ତି ତ? ଏହାର ଉତ୍ତର ଦେଇ ସୁଶାନ୍ତ ନନ୍ଦା କହିଲେ, ‘ହଁ ମୁଁ ସୁରକ୍ଷିତ ଅଛି’।

ସମ୍ବନ୍ଧିତ ଖବର