ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ୨୧୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଚୈତନ୍ୟ ଗିରଫ ହୋଇଛନ୍ତି। ପିଏମ୍ଏଲ୍ଏର ଧାରା ୧୯ ଅଧୀନରେ ପ୍ରଥମେ ବଘେଲଙ୍କ ଭିଲାଇସ୍ଥିତ ବାସଭବନରେ ଚଢ଼ଉ କରିବା ପରେ ଇଡି ଚୈତନ୍ୟଙ୍କୁ ଗିରଫ କରିଛି। ଇଡି ଅଧିକାରୀଙ୍କ ସୂଚନା ଅନୁଯାୟୀ ଚୈତନ୍ୟ ବଘେଲ ସର୍ଚ ଅପରେସନ୍ ସମୟରେ ସହଯୋଗ ନ କରିବାରୁ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା। ଚୈତନ୍ୟଙ୍କୁ ଏହା ପରେ କୋର୍ଟରେ ହାଜର କରାଯାଇଥିଲା ଏବଂ ପୁଲିସ ତାଙ୍କୁ ୫ ଦିନ ରିମାଣ୍ଡରେ ନେଇଛି। ଆଜି ଭିଲାଇସ୍ଥିତ ବାସଭବନରେ ଚଢ଼ଉ ସମୟରେ କଡ଼ା ସୁରକ୍ଷା ଗ୍ରହଣ କରାଯାଇଥିଲା। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚୈତନ୍ୟ ବଘେଲଙ୍କ ଜନ୍ମଦିନରେ ଆଜି ତାଙ୍କ ପୁଅଙ୍କୁ ଇଡି ଗିରଫ କରିଛି।
ଭିଲାଇସ୍ଥିତ ବାସଭବନ ବାହାରେ ଗଣମାଧ୍ୟମକୁ ଟିପ୍ପଣୀ ଦେଇ ବଘେଲ କହିଛନ୍ତି,‘ଆମେ ସତ୍ୟର ଲଢ଼େଇ ଲଢ଼ିବୁ। ସେମାନେ ଗୋଟିଏ ପଟେ ବିହାରରେ ନିର୍ବାଚନ କମିସନ ସହାୟତାରେ ଭୋଟରମାନଙ୍କୁ ତାଲିକାରୁ ହଟାଇ ଦେଉଛନ୍ତି ଏବଂ ଅନ୍ୟପକ୍ଷେ ବିରୋଧୀ ନେତାଙ୍କୁ ଦବାଇବା ପାଇଁ ଇଡି, ଆଇଟି, ସିବିଆଇ, ଡିଆର୍ଆଇର ଅପବ୍ୟବହାର କରୁଛନ୍ତି। ବଘେଲ କହିଛନ୍ତି, ସେମାନେ ଆମକୁ ବିଶ୍ବାସ କରନ୍ତୁ କି ନ କରନ୍ତୁ ଆମେ ପୂର୍ଣ୍ଣ ସହଯୋଗ କରିବୁ। ଆମେ ଗଣତନ୍ତ୍ର ଓ ନ୍ୟାୟପାଳିକାରେ ବିଶ୍ବାସ କରୁଛୁ। ସେମାନେ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଛନ୍ତି, କିନ୍ତୁ ଆମେ ସେମାନଙ୍କୁ ସହଯୋଗ କରୁଛୁ। ବଘେଲ ପୁଣି ଥରେ ଚଢ଼ଉ ସମୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବଘେଲ କହିଛନ୍ତି, ବିଶ୍ବରେ ଏମିତି ଭାବେ କୌଣସି ବି ଗଣତନ୍ତ୍ରରେ ମୋଦୀ ଏବଂ ଶାହଙ୍କ ଭଳି ଉପହାର କେହି ଦେଇପାରିବେନି। ମୋ ଜନ୍ମଦିନରେ ଏହି ୨ ଶ୍ରେଷ୍ଠ ନେତା ମୋର ଜଣେ ଉପଦେଷ୍ଟା ଏବଂ ୨ ଜଣ ଓଏସ୍ଡିଙ୍କ ଘରକୁ ଇଡି ଟିମ୍ ପଠାଇଥିଲେ। ଏବେ ପୁଣି ମୋ ପୁଅ ଚୈତନ୍ୟର ଜନ୍ମଦିନରେ ଇଡି ଚଢ଼ଉ କରିଛି। ଏଭଳି ଉପହାର ପାଇଁ ଧନ୍ୟବାଦ। ଏହାକୁ ମୁଁ ସାରା ଜୀବନ ପାଇଁ ମନେ ରଖିବି ବୋଲି ବଘେଲ କହିଛନ୍ତି। ଅନ୍ୟପକ୍ଷେ ଚୈତନ୍ୟ ବଘେଲଙ୍କ ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କଂଗ୍ରେସ ଆଜି ଛତିଶଗଡ଼ ବିଧାନସଭା କାର୍ଯ୍ୟକୁ ବର୍ଜନ କରିଛି। ବିରୋଧୀ ନେତାଙ୍କୁ ନିର୍ଯାତନା ଦେବାପାଇଁ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି ବୋଲି ଦଳ ଅଭିଯୋଗ କରିଛି। ଏହି ଗିରଫ ପ୍ରତିଶୋଧମୂଳକ ରାଜନୀତି ବୋଲି କଂଗ୍ରେସ କହିଛି।