ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଖୋଲିବା ଆତ୍ମଘାତୀ ସଦୃଶ: ମାନସିକ ରୋଗ ବିଶେଷଜ୍ଞ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଅବଧିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେତେକ ସର୍ତ୍ତରେ ଦେଶବ୍ୟାପୀ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହାପରେ ଦିଲ୍ଲୀ ସମେତ କେତେକ ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ମଦ କିଣିବା ପାଇଁ ଲୋକମାନଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଅଧିକାଂଶ ସ୍ଥାନରେ ଲୋକମାନେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ସହିତ ସାମାଜିକ ଦୂରତାକୁ ମଧ୍ୟ ମାନୁନାହାନ୍ତି। ତେଣୁ ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେବା ଆତ୍ମଘାତୀ ସଦୃଶ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ କରୋନା ମହାମାରୀ ସମୟରେ ମାନସିକ, ସ୍ବାସ୍ଥ୍ୟଗତ, ଘରୋଇ ହିଂସା ତଥା ପାରିବାରିକ ହିତ ଦୃଷ୍ଟିରୁ ମଦ ଦୋକାନ ଖୋଲିବା ନିଷ୍ପତ୍ତି ସାଂଘାତିକ ବୋଲି ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏମ୍‌ସର ମାନସିକ ରୋଗ ବିଶେଷଜ୍ଞ ଡା. ଶ୍ରୀନିବାସ ରାଜକୁମାରଙ୍କ କହିବାନୁସାରେ ଲକ୍‌ଡାଉନ୍‌ ସମୟରେ ନିଶା ସେବନ କରୁଥିବା ବ୍ୟକ୍ତିମାନଙ୍କର ନିଶା ଛାଡ଼ିବାର ଏକ ଅପୂର୍ବ ସୁଯୋଗ ଥିଲା। କିନ୍ତୁ ବର୍ତ୍ତମାନ ମଦ ଦୋକାନ ଖୋଲିବା ସହିତ ଯେଉଁଭଳି ଭାବେ ଲୋକମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମଦ କିଣୁଛନ୍ତି ଏହା ସାମାଜିକ ଦୂରତା ବଜାୟ ରଖିବା ସ୍ଲୋଗାନକୁ ଅପମାନ କରୁଛି; ଯାହାର ପ୍ରଭାବ ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଡା. ଶ୍ରୀନିବାସ ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲକ୍‌ଡାଉନ୍‌ କାରଣରୁ ନିଶାଖୋରମାନଙ୍କର ଚିକିତ୍ସାରେ ଡାକ୍ତରମାନେ ବ୍ୟସ୍ତ ରହିବା ସହ ସେମାନଙ୍କୁ ଉଚିତ ଚିକିତ୍ସା କରି ଘରକୁ ପଠାଇ ଦିଆଯାଇଥିଲା। ଚିକିତ୍ସିତ ହୋଇ ଘରକୁ ଫେରିଥିବା ନିଶାଖୋରମାନେ ମଦ ମିଳିନଥିଲେ ସବୁ ସମୟ ପାଇଁ ତାହାକୁ ତ୍ୟାଗ କରିପାରିଥାନ୍ତେ। ମାତ୍ର ମଦ ଦୋକାନ ଖୋଲିବା ନିଷ୍ପତ୍ତି ଘାତକ ସାବ୍ୟସ୍ତ ହୋଇପାରେ।

ଏମ୍‌ସର ନ୍ୟାସନାଲ ଡ୍ରଗ୍ସ ଡିପେଣ୍ଡେନ୍ସ ଟ୍ରିଟମେଣ୍ଟ ସେଣ୍ଟରର ଡା. ୟଦନପାଲ ସିଂହ ବଲହାରାଙ୍କ କହିବା ଅନୁସାରେ ଲକ୍‌ଡାଉନ୍‌ କାରଣରୁ ନିଶା ସାମଗ୍ରୀର ବିକ୍ରି ଉପରେ କଟକଣା ଲାଗିପାରେ ଏବଂ କିଛି ସମୟ ପରେ ତାହାକୁ ଉଠାଇ ନିଆଯାଏ। କିନ୍ତୁ ଅଭ୍ୟାସଗତ ନିଶାଖୋରମାନଙ୍କ ପ୍ରତି ଏଭଳି କଟକଣା ବିଶେଷ ଫଳପ୍ରଦ ହୋଇନଥାଏ। ହେଲେ ଲକ୍‌ଡାଉନ୍‌ ସମୟରେ ଯେଉଁମାନେ ମଦ ଓ ନିଶା ବର୍ଜନ କରିବା ପାଇଁ ଚାହାନ୍ତି ଏହା ସେମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଅନ୍ୟ କେତେକ ବିଶେଷଜ୍ଞଙ୍କ କହିବା ଅନୁସାରେ ଆର୍ଥିକ କ୍ଷତିକୁ ହ୍ରାସ କରିବା ଯୁକ୍ତି ଆଧାରରେ ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଖୋଲିବା ଅନୁମତି ଦେବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ସେମାନଙ୍କ ମତରେ ମଦ ସାମାଜିକ ଦୂରତା ସିଦ୍ଧାନ୍ତର ସମ୍ପୂର୍ଣ୍ଣ ବିପରୀତ। କାରଣ ଲୋକମାନେ ଏକତ୍ର ବସି ମଦ୍ୟପାନ କରିଥାନ୍ତି ତଥା ପରସ୍ପର ମଧ୍ୟରେ ଖାଦ୍ୟପେୟର ଆଦାନପ୍ରଦାନ କରିଥାନ୍ତି। ଯେଉଁଥିରେ କରୋନା ବୃଦ୍ଧି ହେବାର ଆଶଙ୍କା ରହିଥାଏ ତଥା ନିଶାସକ୍ତ ଅବସ୍ଥାରେ ସେମାନେ ସନ୍ତୁଳନ ହରାଇଥାନ୍ତି। ମଦ୍ୟପମାନଙ୍କୁ ଉତ୍ସାହିତ କରିବାର କୁଫଳ ପରିବାରବର୍ଗଙ୍କୁ ଉଠାଇବାକୁ ପଡ଼ିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର