ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦାଖଲ କରିପାରି ନଥିବାରୁ ଅଯୋଗ୍ୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ ୨୪

ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ତାଲିକା ଘୋଷଣା

 

ନୂଆଦିଲ୍ଲୀ : ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ବାଚନୀ ଖର୍ଚ୍ଚ ବିବରଣୀ ଦାଖଲ କରିପାରି ନଥିବାରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଓଡ଼ିଶାର ୨୪ ଜଣ ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ ର ଧାରା ୧୦ (କ) ଆଧାରରେ ଏହି ଘୋଷଣା କରାଯାଇଛି।

୨୦୧୯ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିବା ଏହି ୨୪ ଜଣଙ୍କ ମଧ୍ୟରୁ ୨୦୨୨ ଫେବ୍ରୁଆରିରେ ଜଣେ, ୨୦୨୪ ଫେବ୍ରୁଆରିରେ ୫ ଜଣ, ୨୦୨୪ ଜୁନ୍‌ରେ ୫ ଜଣ, ୨୦୨୪ ଡିସେମ୍ବରରେ ୩ ଜଣ, ୨୦୨୫ ଜାନୁଆରିରେ ୧୦ ଜଣଙ୍କ ଅଯୋଗ୍ୟ ଅବଧି ଶେଷ ହେବ। ତାଲିକାରେ ବିଜେପୁର ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିଥିବା ରିପୁନାଥ ସେଠଙ୍କ ନାମ ରହିଛି। ଗତ ବର୍ଷ ଡିସେମ୍ବର ୨୮ରେ ଶ୍ରୀ ସେଠଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ତାଙ୍କର ଏହି ଅବଧି ୨୦୨୪ ଡିସେମ୍ବର ୨୮ରେ ଶେଷ ହେବ। ଅନ୍ୟ ଅଯୋଗ୍ୟ ଘୋଷିତ ପ୍ରାର୍ଥୀମାନେ ହେଲେ ରାଇରଙ୍ଗପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିବା ଉମାକାନ୍ତ ନାଏକ, ବଡ଼ଚଣାରୁ ଦୀପକ ସାହୁ , ମୃତ୍ୟୁଞ୍ଜୟ ସାହୁ ଓ ଦୀପକ ସାହୁ, ସମ୍ବଲପୁରରୁ ଲଖନ କୁମାର ଭୋଇ, ଘସିପୁରାରୁ କିଶୋର କୁମାର ପଲେଇ, ଜି. ଉଦୟଗିରିରୁ ଆଶିଷ ମଲ୍ଲିକ, ବୌଦ୍ଧରୁ ଲକ୍ଷଣ ବେହେରା, ବାଲିଗୁଡ଼ାରୁ ସୁଷମା କହଁର, ଯାଜପୁରରୁ ଆଦିତ୍ୟ ପ୍ରତାପ ଧିର ଦେଓ, ସୋନପୁରରୁ ଟଙ୍କଧର ଖମାରୀ, ଆଳିରୁ ସତ୍ୟଜିତ ସ୍ବାଇଁ, ବାଲିକୁଦା-ଏରସମାରୁ ମୃତ୍ୟୁଞ୍ଜୟ ସ୍ବାଇଁ, କରଞ୍ଜିଆରୁ ବୈଦନାଥ ସିଂହ, ପାଲଲହଡ଼ାରୁ ବିନୋଦ ବିହାରୀ ବୋଇତ, ଢେଙ୍କାନାଳରୁ ଭଜମନ ରାଉତ, ଯଶିପୁରରୁ ଜଗନ୍ନାଥ ସୋରେନ ଓ ସୁନାରାମ ମୁର୍ମୁ, ବାଙ୍ଗିରିପୋଷିରୁ ଦେବେନ୍ଦ୍ରନାଥ ସିଂହ, କାମାକ୍ଷନଗରରୁ ରୋଜାଲିନ ମହାରଣା, ବିଞ୍ଝ‌ାରପୁରରୁ ରଶ୍ମିତା ଜେନା ଓ କରଞ୍ଜିଆରୁ ସୁବାସ ଚନ୍ଦ୍ର ହେମ୍ବ୍ରମ। ଅଯୋଗ୍ୟ ପ୍ରାର୍ଥୀଙ୍କ ତାଲିକାରେ ଉତ୍ତର ପ୍ରଦେଶରୁ ସର୍ବାଧିକ ୧୬୭ ଜଣ ରହିଛନ୍ତି। ଚଳିତ ମାସରେ ଆୟୋଗ ଅଯୋଗ୍ୟ ତାଲିକାକୁ ଅପଡେଟ୍‌ କରିବା ସହ ଏ ସମ୍ପର୍କରେ ରାଜ୍ୟମାନଙ୍କୁ ଅବଗତ କରିଛନ୍ତି।

ସମ୍ବନ୍ଧିତ ଖବର