ୱାସିଂଟନ: ବିଶ୍ୱର ୧୦ ଶକ୍ତିଶାଳୀ ବାୟୁସେନାର ତାଲିକା ପ୍ରକାଶ ପାଇଛି। ଏହାକୁ ୱେବସାଇଟ୍ ‘ଗ୍ଲୋବାଲଫାୟାର୍‌ପାୱାରଡଟ୍‌କମ୍’ ପ୍ରକାଶ କରିଛି। ନିକଟରେ ପ୍ରକାଶିତ ଏହି ରିପୋର୍ଟ ଲଢୁଆ ବିମାନ, ହେଲିକପ୍ଟର ଓ ସପୋର୍ଟ ଏୟାରକ୍ରାଫ୍ଟ ସମେତ ମାନ୍ୟତାପ୍ରାପ୍ତ ଦେଶମାନଙ୍କ ପାଖରେ ଥିବା ବିମାନ ତାଲିକା ଉପରେ ନିର୍ଭର କରି ପ୍ରକାଶ କରାଯାଇଛି। ଖାସ କଥା ହେଉଛି ଭାରତୀୟ ବାୟୁସେନା ବିଶ୍ୱର ଶ୍ରେଷ୍ଠ ୫ ଶକ୍ତିଶାଳୀ ବାୟୁସେନା ମଧ୍ୟରେ ସ୍ଥାନ ପାଇଛି। ଏହା ସହ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନର ବାୟୁସେନାର ମାନ୍ୟତା ମଧ୍ୟ ପ୍ରଦାନ କରାଯାଇଛି। ଆସନ୍ତୁ ଜାଣିବା କେଉଁ ଦେଶ ମାନ୍ୟତାରେ କେଉଁ ସ୍ଥାନରେ ରହିଛି।

Advertisment

ଆମେରିକା ଶୀର୍ଷରେ, ପଛକୁ ରୁଷ୍ ଓ ଚୀନ୍ 
ରିପୋର୍ଟ ଅନୁଯାୟୀ, ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାୟୁସେନା ମାନ୍ୟତା ହାସଲ କରିଛି। ଏହା ପରେ ରୁଷ୍ ଓ ଚୀନ୍ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଭାରତର ବାୟୁସେନା ଚତୁର୍ଥ ଓ ଦକ୍ଷିଣ କୋରିଆ ପଞ୍ଚମ ସ୍ଥାନରେ ରହିଛି। ରୁଷ୍, ଚୀନ୍, ଭାରତ, ଦକ୍ଷିଣ କୋରିଆ ଓ ଜାପାନର ମିଳିତ ବାୟୁ କ୍ଷମତାଠାରୁ ଅଧିକ ଫ୍ଲିଟ୍ (ଯୁଦ୍ଧ ବିମାନ) ଥିବା ଆମେରିକୀୟ ସେନାକୁ ଏହି ରିପୋର୍ଟରେ ଶ୍ରେଷ୍ଠତ୍ବ ପ୍ରଦାନ କରାଯାଇଛି। ଜାପାନ ବାୟୁସେନା ଷଷ୍ଠ ସ୍ଥାନରେ ରହିଛି।
ଆମେରିକାରେ ଏକ ବିରାଟ ବାୟୁସେନା ରହିଛି
ଆମେରିକା ବାୟୁସେନା ପାଖରେ ୫୭୩୭ ହେଲିକପ୍ଟର, ୧୮୫୪ ଲଢୁଆ ବିମାନ ଓ ୩୭୨୨ ସପୋର୍ଟ ଏୟାରକ୍ରାଫ୍ଟ ରହିଛି। ଏହାର ବାର୍ଷିକ ବଜେଟ୍ ୮୦୦ ବିଲିୟନ ଡଲାର, ଯାହା କି ବିଶ୍ୱ ସାମରିକ ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ। ରୁଷ୍‌ର ବାୟୁସେନା ହେଉଛି ଆମେରିକାର ଏକ ତୃତୀୟାଂଶ। ରୁଷ୍ ପାଖରେ ୮୦୯ଟି ଲଢୁଆ ବିମାନ, ୧୫୫୪ଟି ହେଲିକପ୍ଟର ଓ ୬୧୦ଟି ସପୋର୍ଟ ଏୟାରକ୍ରାଫ୍ଟ ସମେତ ୪୨୯୨ଟି ବିମାନ ରହିଛି। ତୃତୀୟ ସ୍ଥାନରେ ଥିବା ଚୀନ୍ ଏହାର ବାୟୁ ଆଧୁନିକୀକରଣରେ ବ୍ୟାପକ ପୁଞ୍ଜିନିବେଶ କରୁଛି।
ଚତୁର୍ଥ ସ୍ଥାନରେ ଭାରତୀୟ ବାୟୁସେନା
ଭାରତୀୟ ବାୟୁସେନା ୨୦୨୯ଟି ବିମାନ ସହ ବିଶ୍ୱର ଚତୁର୍ଥ ଶକ୍ତିଶାଳୀ ସେନା ଭାବରେ ପରିଚିତ। ଭାରତୀୟ ବାୟୁସେନା ପାଖରେ ୫୩ଟି ଲଢୁଆ ବିମାନ, ୮୯୯ଟି ହେଲିକପ୍ଟର ଓ ୮୩୧ଟି ସହାୟକ ବିମାନ ରହିଛି। ପଞ୍ଚମ ସ୍ଥାନରେ ଥିବା ଦକ୍ଷିଣ କୋରିଆ ବାୟୁସେନା ପାଖରେ ମୋଟ ୧୫୯୨ଟି ବିମାନ ରହିଛି। ସେହିପରି ମାନ୍ୟତାରେ ଷଷ୍ଠ ସ୍ଥାନରେ ଥିବା ଜାପାନ ପାଖରେ ମୋଟ ୧୪୪୩ଟି ବିମାନ ରହିଛି।
ପାକିସ୍ତାନ ବାୟୁସେନାର ସ୍ଥାନ କେଉଁଠି?
ଭାରତର ବାୟୁଶକ୍ତି ତୁଳନାରେ ପାକିସ୍ତାନ ବହୁତ ପଛରେ ରହିଛି। ବିଶ୍ୱ ବାୟୁଶକ୍ତି ମାନ୍ୟତାରେ ପାକିସ୍ତାନ ଭାରତଠାରୁ ତିନି ଅଙ୍କ ତଳେ ସପ୍ତମ ସ୍ଥାନରେ ଥିଲେ ମଧ୍ୟ ବିମାନ ସଂଖ୍ୟାରେ ବହୁତ ପଛରେ ରହିଛି। ପାକିସ୍ତାନ ପାଖରେ ୩୨୮ଟି ଲଢୁଆ ବିମାନ, ୩୭୩ଟି ହେଲିକପ୍ଟର ଓ ୭୫୦ଟି ସପୋର୍ଟ ଏୟାରକ୍ରାଫ୍ଟକୁ ମିଶାଇ ମୋଟ ୧୩୯୯ଟି ବିମାନ ରହିଛି। ଏହା ପରେ ଇଜିପ୍ଟ ୧୦୯୯ ବିମାନ, ତୁର୍କୀ ୧୦୮୩ ଏବଂ ଫ୍ରାନ୍ସ ୯୭୬ ବିମାନ ସହ ମାନ୍ୟତାରେ ତଳକୁ ତଳ ରହିଛନ୍ତି।