ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କୁ ଟିକେଟ୍ ଦେବାର କାରଣ ଦର୍ଶାଅ: ସୁପ୍ରିମ୍ କୋର୍ଟ
ନୂଆଦିଲ୍ଲୀ: ଅପରାଧିକ ମାମଲା ଥିବା ପ୍ରାର୍ଥୀମାନଙ୍କୁ କେଉଁ କାରଣରୁ ଟିକେଟ ଦିଆଯାଉଛି ତାହା ଦର୍ଶାଇବାକୁ ଗୁରୁବାର ଦିନ ସୁପ୍ରିମ୍ କୋର୍ଟ ରାଜନୈତିକ ଦଳମାନଙ୍କୁ କହିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର େଓ୍ଵବ୍ସାଇଟ୍ରେ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ବିବରଣୀ ରହିଛି।
ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଆଞ୍ଚଳିକ ଏବଂ ଜାତୀୟ ଖବରକାଗଜରେ ପ୍ରକାଶ କରାଯିବା ଉଚିତ। ଏହାଛଡ଼ା ସମ୍ପୃକ୍ତ ରାଜନୈତିକ ଦଳର ଫେସ୍ବୁକ୍ ଏବଂ ଟୁଇଟର୍ ଆଦି ସାମାଜିକ ଗଣମାଧ୍ୟମରେ ମଧ୍ୟ ଉକ୍ତ ତଥ୍ୟ ପୋଷ୍ଟ୍ ହେବା ଉଚିତ।
ସୁପ୍ରିମ୍ କୋର୍ଟ ଆହୁରି କହିଛନ୍ତି ଯେ ଜଣେ ପ୍ରାର୍ଥୀଙ୍କୁ ମନୋନୀତ କରାଯିବାର ତିନି ଦିନ ମଧ୍ୟରେ ତାଙ୍କର ଅପରାଧିକ ମାମଲାର ବିବରଣୀଗୁଡ଼ିକ ଭାରତର ନିର୍ବାଚନ କମିସନ୍ଙ୍କ ପାଖରେ ଦାଖଲ କରାଯିବା ଉଚିତ।
ଏଥିରେ ବ୍ୟତିକ୍ରମ ହେଲେ ନିର୍ବାଚନ କମିସନ୍ ରାଜନୈତିକ ଦଳମାନଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିପାରିବେ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି।
ଏଠାରେ ଉଲ୍ଲେଖ କରାଯିବା କଥା ଯେ ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଅର୍ଦ୍ଧାଧିକ ବିଧାୟକଙ୍କ ନାମରେ ଅପରାଧିକ ମାମଲା ଚାଲିଛି। ଏ କଥା ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ’ ନାମକ ଏକ ସଂଗଠନ କହିଛି।
୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅପରାଧିକ ପୃଷ୍ଠଭୂମି ଥିବା ବିଧାୟକଙ୍କ ସଂଖ୍ୟା ଥିଲା ୨୪। ୨୦୨୦ ବିଧାନସଭା ନିର୍ବାଚନରେ ଏମାନଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି।