ବାହାରିନ ଓଡ଼ିଆ ସମାଜର ଲିଟିଲ୍‌ ଇଣ୍ଡିଆ ମହୋତ୍ସବ

ମାନାମା : ବାହାରିନ ଠାରେ ‘ଲିଟିଲ୍‌ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ୍’ ଅନୁଷ୍ଠିତ ହୋଇଯାଇଛି। ସପ୍ତାହବ୍ୟାପୀ ଚାଲିଥିବା ଏହି ସମାରୋହକୁ ବାହାରିନ ଅଥରିଟି ଅଫ କଲଚର ଏଣ୍ଡ ଆଣ୍ଟିକ୍ବିଟିଜ୍ (ବାକା), ବାହାରିନସ୍ଥିତ ଭାରତୀୟ ଦୂତାବାସ (ଇଓଆଇବି), ବାହାରିନର ବିଭିନ୍ନ ସାଂସ୍କୃତିକ ସଂଘ ଏବଂ ବାହାରିନ ଓଡ଼ିଆ ସମାଜ (ବସ୍) ସମେତ ସେଠାକାର ଭାରତୀୟ ସଂପ୍ରଦାୟ ସଂଗଠନମାନଙ୍କ ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା। ଲିଟିଲ୍‌ ଇଣ୍ଡିଆ କଲଚରାଲ ଫେଷ୍ଟିଭାଲ, ଭାରତ ଓ ବାହାରିନ ମଧ୍ୟରେ କୂଟନୈତିକ ସଂପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା।

ଏହି ମହୋତ୍ସବକୁ ସମ୍ବୋଧନ କରି ବାକାର ସଭାପତି ଶେଖା ମାଇ ବିନ୍ତ ମହମ୍ମଦ ଆଲ ଖଲିଫା ଭାରତ ଓ ବାହାରିନର ଇତିହାସ ଓ ଐତିହ୍ୟ ମଧ୍ୟରେ ଥିବା ସାମଞ୍ଜସ୍ୟ ଏହି ଦୁଇଟି ରାଷ୍ଟ୍ରକୁ ପରସ୍ପରକୁ ନିବିଡ଼ତର କରିବା ସହିତ ଆମର ସମ୍ମିଳିତ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ପାଇଁ ମହାର୍ଘ ସୁଯୋଗ ପ୍ରଦାନ କରିଆସୁଛି ବୋଲି ଦର୍ଶାଇଥିଲେ।
ମାନାମାର ବାବ ଆଲ୍‌ ବାହାରିନ ସୁକଠାରେ ଆୟୋଜିତ ଏହି ଉତ୍ସବରେ ବାହାରିନ ଓଡ଼ିଆ ସମାଜ ଗତ ୧୭ ତାରିଖରେ ଅଂଶ ଗ୍ରହଣ କରିଥିଲା। ସମାବେଶକୁ ସମ୍ବୋଧନ କରି ବସ୍‌ର ସଭାପତି ଦୀନେଶ ମହାନ୍ତି ବାହାରିନ ଓଡ଼ିଆ ସମାଜକୁ ଏଭଳି ସମ୍ମାନସ୍ପଦ ବିଶ୍ବ ମଞ୍ଚରେ ଭାଗ ନେବାର ସୁଯୋଗ ଦେଇଥିବାରୁ ବାକା ଓ ଇଓଆଇବି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବସ୍‌ର ପ୍ରତିଭା ସମ୍ପନ୍ନ କଳାକାରମାନେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ସଂରଚନା ଏବଂ ଢେମ୍‌ସା, ଡାଲଖାଇ ଓ ରଙ୍ଗବତୀ ଆଦି ଲୋକନୃତ୍ୟ ଓ ସଙ୍ଗୀତକୁ ଆଧାର କରି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ।

ନୃତ୍ୟଶିଳ୍ପୀ ନନ୍ଦିନୀ ଦାଶ, ପ୍ରିୟମ୍ବଦା ସାହୁ ଏବଂ ମିନତୀ କୁମାରୀ ସାହୁ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ଇପ୍ସିତା ନାୟକ, ନିବେଦିତା ନନ୍ଦ, ଅଙ୍କିତା ନାୟକ, ସାଗରିକା ମହାନ୍ତି, ଶିବଶ୍ରୀ ଦାସ, ପ୍ରଭାକର ପାଢ଼ୀ, ଲକ୍ଷ୍ମୀକାନ୍ତ ନନ୍ଦ, ଶାରଦା ପଟ୍ଟନାୟକ, ଅମରେଶ ପଣ୍ଡା ଓ ଦୀପକ ସାହୁ ପ୍ରମୁଖ ଆଦିବାସୀ ଲୋକନୃତ୍ୟ ଢେମ୍‌ସା ପରିବେଷଣ କରିଥିଲେ। ଯଶସ୍ୱୀ ଜେନା, ଆଦିତି ସାହୁ ଓ ଅନୁଶ୍ରୀ ପାଢ଼ୀ ଲୋକପ୍ରିୟ ରଙ୍ଗବତୀ ଓ ଡାଲଖାଇ ନୃତ୍ୟ ମଞ୍ଚସ୍ଥ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। ଅର୍ପିତା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବସ୍‌ର ସାଧାରଣ ସମ୍ପାଦକ ଜୟଦୀପ ଜେନା କଳାକାରମାନଙ୍କୁ ଧନ୍ୟବାଦ ଦେଇଥିଲେ। ବସ୍‌ର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ବାହାରିନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବଙ୍କ ପତ୍ନୀ ମୋନିକା ଶ୍ରୀବାସ୍ତବ ଏବଂ ବିଭିନ୍ନ ଦେଶର କୂତନୈତିକ କର୍ମକର୍ତ୍ତାମାନେ ବିଶିଷ୍ଟ ଅତିଥି ଭାବେ ସମାରୋହରେ ସାମିଲ ହୋଇ ବସ୍‌ର କଳାକାରମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର