ଚଣ୍ଡିଗଡ଼ : ପଞ୍ଜାବର ଆଇନ-ଶୃଙ୍ଖଳା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କିନ୍ତୁ ଏବେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାପ୍ରତି ପ୍ରଶ୍ନଚିହ୍ନ ଦେଖାଗଲାଣି । ଚଣ୍ଡିଗଡ଼ସ୍ଥିତ ପଂଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାରୀ ବାସଭବନର କିଛି ଦୂରରୁ ଏକ ଅଫୁଟା ବୋମା ଜବତ ହୋଇଛି ।

Advertisment

ସେକ୍ଟର ୨ରେ ଥିବା ମୁଖ୍ୟମନ୍ତ୍ରୀ ଆବାସର କିଛି ଦୂରରେ ଥିବା ରଜନୀନ୍ଦ୍ର ପାର୍କରେ ଏହି ବୋମା ମିଳିଥିଲା। ବୋମା ମିଳିବା ଖବର ପାଇବା ସହିତ ଚାରିଆଡେ ଆତଙ୍କ ସୃଷ୍ଟି ହୋଇଛି । ଚଣ୍ଡିଗଡ଼ ପୋଲିସ, ବୋମା ସ୍କ୍ୱାର୍ଡ ଏବଂ କୁକୁର ସ୍କ୍ୱାର୍ଡଦଳକୁ ଘଟଣାସ୍ଥଳକୁ ଡକାଯାଇଥିଲା। ଏଥିସହିତ ଘଟଣା ସଂପର୍କରେ ସେନାକୁ ସୂଚନା ଦିଆଯାଇଛି । ସେନା ବୋମା ନିରୋଧକାରୀ ଦଳ ଏଠାରେ ପହଞ୍ଚିଛନ୍ତି ।

ଏହି ଅଫୁଟା ବୋମା ସେଲ୍ ଯେଉଁଠାରୁ ମିଳିଥିଲା ସେଠାରୁ ମାତ୍ର ୨ କିଲୋମିଟର ଦୂରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ।

ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍ ଘଟଣାସ୍ଥଳଠାରୁ ଅଳ୍ପ ଦୂରରେ, ତେଣୁ ଏହା ତାଙ୍କ ସୁରକ୍ଷାରେ ଏକ ବଡ଼ ଉଲ୍ଲଂଘନ ବୋଲି ବିବେଚନା କରାଯାଉଛି । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବାସଭବନ ମଧ୍ୟ ନିକଟରେ ଅବସ୍ଥିତ ।

ଚଣ୍ଡିଗଡ଼ର ସେକ୍ଟର ୨ର କୋଥିଠାରୁ ଅଳ୍ପ ଦୂରରେ ଥିବା ରଜନୀନ୍ଦ୍ର ପାର୍କ ନିକଟରେ ଜଣେ ବ୍ୟକ୍ତି ପ୍ରଥମେ ବୋମା ସେଲଟିକୁ ଦେଖିଥିଲେ। ସେ ତୁରନ୍ତ ଏହି ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ। ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ବୋମା ସେଲ ଚାରିପାଖରେ ବାଲିରେ ଭର୍ତ୍ତି ବସ୍ତା ରଖି ବୋମା ନିଷ୍କାସନ ସ୍କ୍ୱାଡ୍ କୁ ଡାକିଥିଲେ। ଏହି ମାମଲାକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳକୁ ସିଲ୍ କରାଯାଇଛି। ଏଥିସହିତ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିଲା ।