କାଠମାଣ୍ଡୁ: ନେପାଳରେ ପ୍ରଚଳିତ ପରମ୍ପରା ଅନୁଯାୟୀ ୩ ବର୍ଷୀୟା ଶିଶୁକନ୍ୟା ତୃଷ୍ଣା ଶାକ୍ୟଙ୍କୁ ଗତକାଲି ନୂଆ ଜୀବନ୍ତ ଠାକୁରାଣୀ ଭାବେ ଚୟନ କରାଯାଇଛି। ଆସନ୍ତାକାଲି ଏକ ବିରାଟ ଉତ୍ସବ ଅନୁଷ୍ଠାନରେ ତାଙ୍କୁ ପରବର୍ତ୍ତୀ କୁମାରୀ ଦେବୀ ରୂପେ ଅଭିଷେକ କରାଯିବ। ଏହା ପୂର୍ବରୁ ଥିବା କୁମାରୀ ଦେବୀ ମଧ୍ୟ ୩ବର୍ଷ ବୟସରେ ଚୟନ ହୋଇଥିଲେ। କିନ୍ତୁ ସେ ପ୍ରାପ୍ତବୟସ୍କା ହେବାରୁ ତାଙ୍କ ସ୍ଥାନରେ ତୃଷ୍ଣାଙ୍କୁ ଚୟନ କରାଯାଇଛି। ତୃଷ୍ଣାଙ୍କୁ ଆସନ୍ତାକାଲି ତାଙ୍କ ବାସଭବନରୁ କାଠମାଣ୍ଡୁର ପ୍ରାଚୀନ ଦରବାର ସ୍କୋୟାର ରାଜପ୍ରାସାଦକୁ ବିରାଟ ଶୋଭାଯାତ୍ରାରେ ନିଆଯିବ। ବିଧି ମୁତାବକ ପୂଜାର୍ଚ୍ଚନା ପରେ ସେ କୁମାରୀ ଦେବୀଙ୍କ ସିଂହାସନରେ ଅଭିଷିକ୍ତ ହେବେ।
ନେପାଳର ପରମ୍ପରା ଅନୁଯାୟୀ ନେଓ୍ଵାର ସମ୍ପ୍ରଦାୟରୁ ହିଁ କୁମାରୀ ଦେବୀଙ୍କୁ ଚୟନ କରାଯାଇଥାଏ। ଥରେ କୁମାରୀ ଦେବୀ ହେବାପରେ ତାଙ୍କୁ ବର୍ଷରେ ମାତ୍ର ୧୩ ଥର ଘରକୁ ଯିବାର ଅନୁମତି ଦିଆଯାଇଥାଏ। କୁମାରୀ ଦେବୀ ହିନ୍ଦୁ ଦେବୀ ତାଲେଜୁଙ୍କ ଅବତାର ଓ ତାଙ୍କୁ ପୂଜା କରିବା ଦ୍ୱାରା ଦେଶର ମଙ୍ଗଳ ସାଧିତ ହୋଇଥାଏ ବୋଲି ନେପାଳବାସୀ ବିଶ୍ୱାସ କରନ୍ତି। ତେବେ କୁମାରୀ ଦେବୀଙ୍କ ଚୟନ ପ୍ରକ୍ରିୟା ମଧ୍ୟ ବେଶ୍ ବିସ୍ମୟଜନକ। ସିଂହ ପରି ଛାତି, ହରିଣ ପରି ଜଂଘ ଓ ନିର୍ଦ୍ଦିଷ୍ଟ ଆକାରର ଶରୀର ଗଠନ ଥିବା ଶିଶୁକନ୍ୟା କୁମାରୀ ଦେବୀ ରୂପେ ମନୋନୀତ ହୋଇଥାନ୍ତି। ଏହାବାଦ୍ ଉକ୍ତ ଶିଶୁକନ୍ୟାଙ୍କୁ ସାହସିକତାର ପ୍ରମାଣ ଦେବାକୁ ପଡ଼ିଥାଏ। ଏହି ପ୍ରଥାର ଆରମ୍ଭ ରାଜରାଜୁଡ଼ା ଅମଳରୁ ଆରମ୍ଭ ହୋଇଥିଲା। ୨୦୦୮ ମସିହାରେ ନେପାଳରୁ ହିନ୍ଦୁ ରାଜତନ୍ତ୍ର ଶେଷ ହୋଇଥିଲେ ମଧ୍ୟ ଏହି ପରମ୍ପରା ବଜାୟ ରହିଛି। ତେବେ ଏହି ପରମ୍ପରାକୁ ଶିଶୁ ଅଧିକାର କର୍ମୀମାନେ ସମାଲୋଚନା କରି ଏହାଦ୍ୱାରା ସେମାନଙ୍କ ଶିକ୍ଷା ଏବଂ ବିକାଶ ବାଧାପ୍ରାପ୍ତ ହେଉଛି ବୋଲି ଯୁକ୍ତି ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/nepal-living-goddess.jpg)