ଡେରାଡୁନ୍: ୟୁନିଫର୍ମ ସିଭିଲ୍ କୋଡ୍ ନିୟମ ବିଷୟରେ ବିଜ୍ଞପ୍ତି ପ୍ରକାଶ ହେବାର ୩୦ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ସମସ୍ତ ଲିଭ୍-ଇନ୍ ସମ୍ପର୍କର ପଞ୍ଜିକରଣ ବାଧ୍ୟତାମୂଳକ ହେବ। ଏହି ନିୟମ ଉପରେ ନଅ ସଦସ୍ୟ ବିଶିଷ୍ଟ ୟୁସିସି ପ୍ୟାନେଲ ରାଜ୍ୟ ସରକାରଙ୍କ ପାଖ‌ରେ ରିପୋର୍ଟ ଦାଖଲ କରିଛନ୍ତି। ପ୍ୟାନେଲ ପ୍ରସ୍ତାବ ଦେଇଛନ୍ତି ଯେ ସମସ୍ତ ଲିଭ-ଇନ୍ ସମ୍ପର୍କ  ୟୁସିସି ବିଜ୍ଞପ୍ତିର ଏକ ମାସ ମଧ୍ୟରେ ପଞ୍ଜିକୃତ ହେବା ଉଚିତ୍। ଯଦି ଏହା କରା ନ ଯାଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment

ଅନଲାଇନରେ ଲିଭ-ଇନ୍ ପଞ୍ଜିକରଣ କରାଯାଇ ପାରିବ। ଲିଭ୍-ଇନ୍ ଏବଂ ସରକାରୀ ଯାଞ୍ଚ ପାଇଁ ୟୁସିସି ବ୍ୟବସ୍ଥା ଅନୁଯାୟୀ ଦମ୍ପତିଙ୍କୁ ପଞ୍ଜିକରଣ କରିବା ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଯୁବବର୍ଗମାନଙ୍କ ମଧ୍ୟରେ ଚର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲା। ପୂର୍ବତନ ମୁଖ୍ୟ ଶାସନ ସଚିବ ଶତ୍ରୁଘ୍ନ ସିଂଙ୍କ ନେତୃତ୍ୱରେ ଏକ ନଅ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି।

ଯଦି ଲିଭ୍-ଇନ୍ ସମ୍ପର୍କରେ ରହୁଥିବା ଲୋକମାନଙ୍କ ମଧ୍ୟରୁ ଜଣେ ୨୧ ବର୍ଷରୁ କମ୍, ତେବେ ତାଙ୍କ ପିତାମାତା ଏବଂ ଅଭିଭାବକମାନେ ରେଜିଷ୍ଟ୍ରାରଙ୍କ ଦ୍ବାରା ସୂଚନା ପାଇବେ। ୟୁନିଫର୍ମ ସିଭିଲ୍ କୋଡ୍ ଲିଭ୍-ଇନ୍ ସମ୍ପର୍କରେ ଭାରତରେ ରହୁଥିବା ସହଭାଗୀଙ୍କୁ ତାଙ୍କ ଅଞ୍ଚଳର ରେଜିଷ୍ଟ୍ରାରଙ୍କ ନିକଟରେ ଧାରା ୩୮୧ (୧) ଅନୁଯାୟୀ ଏକ ବିବୃତି ଦାଖଲ କରିବାକୁ ପଡିବ। ଏହିପରି ଦମ୍ପତିଙ୍କ ଯାଞ୍ଚ ପାଇଁ ରେଜିଷ୍ଟ୍ରାର ଅର୍ଡର ଦେଇପାରିବେ। ୩୦ଦିନ ମଧ୍ୟରେ ସେମାନଙ୍କର ପାର୍ଟନର ସମ୍ବନ୍ଧରେ ଅନୁସନ୍ଧାନ ପ୍ରକ୍ରିୟା ଶେଷ କରିବେ। ଏଥିପାଇଁ  ଆବେଦନକାରୀ କିମ୍ବା ଅନ୍ୟମାନଙ୍କୁ ଡକାଯାଇ ପାରିବ।

ଏକ ପଞ୍ଜିକୃତ ଲିଭ-ଇନ୍ ସମ୍ପର୍କକୁ ମଧ୍ୟ 'ଶେଷ' କରିବା ସହଜ ହେବ ନାହିଁ। ଏଥିପାଇଁ 'ନିର୍ଦ୍ଦିଷ୍ଟ ଫର୍ମାଟରେ' ଏକ ଲିଖିତ ବିବୃତ୍ତି ଦାଖଲ କରିବାକୁ ପଡିବ। ଯଦି ରେଜିଷ୍ଟ୍ରାର ଅନୁଭବ କରନ୍ତି ଯେ ସମ୍ପର୍କଗୁଡିକ "ଭୁଲ" କିମ୍ବା "ସନ୍ଦେହଜନକ", ତେବେ ଏହାର ପୁଲିସ ତଦନ୍ତ ମଧ୍ୟ କରାଯାଇପାରେ। ୨୧ ବର୍ଷରୁ କମ୍ ବୟସର କମ୍ ଲିଭ୍-ଇନ୍ ପାର୍ଟନରଙ୍କ କ୍ଷେତ୍ରରେ ପିତାମାତା ଅବା  ଅଭିଭାବକଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯିବ।

ଲିଭ-ଇନ୍ ସମ୍ପର୍କରେ ରହିବା ପାଇଁ ଦିଆଯାଇଥିବା ଭୁଲ ସୂଚନା ମଧ୍ୟ ଦମ୍ପତିଙ୍କୁ ଅସୁବିଧାରେ ପକାଇପାରେ। ମିଥ୍ୟା ସୂଚନା ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ତିନିମାସ ଜେଲ ଦଣ୍ଡ, ୧୫,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ। ଲିଭ-ଇନ୍ ସମ୍ପର୍କ ପଞ୍ଜିକରଣ କରିବାରେ ବିଫଳ ହେଲେ ସର୍ବାଧିକ ୬ ମାସ ଜେଲଦଣ୍ଡ ହେବ। ଏହା ସହିତ ୨୫,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ହେବ। ଏପରିକି ପଞ୍ଜିକରଣରେ ଏକ ମାସରୁ କମ୍ ବିଳମ୍ବ ହେଲେ ତିନିମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ, ୧୦,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଲାଗୁ ହୋଇପାରେ।

ଲିଭ୍-ଇନ୍ ସମ୍ପର୍କ ସମୟରେ ଜନ୍ମ ହୋଇଥିବା ପିଲାମାନଙ୍କୁ ଆଇନଗତ ସନ୍ତାନ ଭାବରେ ବିବେଚନା କରାଯିବ। ଲିଭ-ଇନ୍ ସମ୍ପର୍କରେ ଜନ୍ମିତ ପିଲାମାନେ ସମସ୍ତ ଅଧିକାର ପାଇବେ ଯାହା ବିବାହରୁ ଜନ୍ମ ହୋଇଥିବା ପିଲାମାନେ ପାଇବେ। କୌଣସି ଶିଶୁକୁ ଅବୈଧ ବୋଲି ବିବେଚନା କରାଯାଇପାରିବ ନାହିଁ। ପିତାମାତାଙ୍କ ଉତ୍ତରାଧିକାରୀ ସୂତ୍ରରେ ପିଲାମାନେ ସମାନ ଅଧିକାର ପାଇବେ।

ଯଦି ଜଣେ ମହିଳା ତାଙ୍କ ଲିଭ୍-ଇନ୍ ସାଥୀଙ୍କ ଦ୍ୱାରା ପରିତ୍ୟକ୍ତ ହୁଅନ୍ତି, ତେବେ ସେ ରକ୍ଷଣାବେକ୍ଷଣ ଦାବି କରିପାରିବେ। ଅସନ୍ତୁଷ୍ଟ ମହିଳା ସେହି ଅଞ୍ଚଳର କୋର୍ଟରେ ଏକ ଦାବିପତ୍ର ଦାଖଲ କରିପାରିବେ, ଯେଉଁଠାରେ ଏକ ଲିଭ୍-ଇନ୍ ସମ୍ପର୍କରେ ସେମାନେ ଶେଷରେ ରହୁଥିଲେ।