ଲାହୋର: ଚଳିତ ବର୍ଷ ପାକିସ୍ତାନରେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏବେ ଠାରୁ ବିଭିନ୍ନ ସ୍ଥାନରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ସଭାମାନ ଆୟୋଜନ କରାଯାଉଛି। ଏହିକ୍ରମରେ ଖୈବର ପଖ୍ତୁନଖ୍ବା ପ୍ରଦେଶର ବଜୌର ଜିଲ୍ଲା ଖାର୍ଠାରେ ଜମିୟତ ଉଲେମା ଇସ୍ଲାମ-ଫଜଲ (ଜେୟୁଆଇ-ଏଫ୍)ର ଏକ ସମାବେଶର ଆୟୋଜନ କରାଯାଇଥିଲା।
ଏହି ସମାବେଶ ଚାଲିଥିଲା, ଲୋକେ ଜିନ୍ଦାବାଦ... ଜିନ୍ଦାବାଦ ନାରା ଦେଉଥିଲେ। ଠିକ ଏତିକି ବେଳେ କେହି କିଛି ବୁଝିବା ପୂର୍ବରୁ ସେଠାରେ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଚାରିଆଡେ ଧୁଆଁ ଭରି ଯାଇଥିଲା, ଘଟଣାସ୍ଥଳ ଥରି ଉଠିଥିଲା। ଏହି ବିସ୍ଫୋରଣରେ ଦେଖୁଦେଖୁ ଘଟଣାସ୍ଥଳରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଥିଲେ। ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅଧିକାରିକ ସୂତ୍ରରୁ ସୂଚନା ମିଳିଛି।
ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିବା କୁହାଯାଉଛି । ତେବେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କୌଣସି ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରି ନଥିବା ସୂଚନା ରହିଛି। ଏହି କ୍ରମରେ ଆତ୍ମଘାତୀ ବିସ୍ଫୋରଣର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସମାବେଶ ଚାଲିଥିବା ବେଳେ କିଭଳି ଲୋମଟାଙ୍କୁରା ବିସ୍ଫୋରଣ ଘଟିଥିଲା ଓ ତା’ପରେ ପରିସ୍ଥିତି କିଭଳି ଲୋମଟାଙ୍କୁରା ଥିଲା ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।
ଲୋକେ ରକ୍ତାକ୍ତ ହୋଇ ଏଣେତେଣେ ଦୌଡ଼ୁଥିବା ବେଳେ ଆମ୍ବୁଲାନ୍ସରେ କ୍ରମାଗତ ଭାବେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଉଛି। କେହି କେହି ଛଟପଟ ହୋଇ ତଳେ ଗଡ଼ି ଯାଉଛନ୍ତି ଇତ୍ୟାଦି ଦୃଶ୍ୟ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି।