କୋଭିଡ- ୧୯ ମହାମାରୀ କାରଣରୁ ବିଶ୍ୱର ସାଢ଼େ ୫ କୋଟିରୁ ଅଧିକ ଘରୋଇ ସହାୟକଙ୍କ ଜୀବନ ଓ ଜୀବିକା ବିପଦରେ: ଆଇଏଲଓ

ଜେନିଭା: କୋଭିଡ୍‌-୧୯ ମହାମାରୀ କାରଣରୁ ସମଗ୍ର ବିଶ୍ୱରେ ପ୍ରାୟ ତିନି ଚତୁର୍ଥାଂଶ (ସାଢ଼େ ୫ କୋଟି ବା ୫୫ ମିଲିୟନ)ରୁ ଅଧିକ ଘରୋଇ ସହାୟକ/ ସହାୟକା ସେମାନଙ୍କର ଚାକିରି ଏବଂ ଆୟ ହରାଇବାର ବିପଦ ରହିଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ନୂତନ ଆକଳନ ଅନୁଯାୟୀ ଲକ୍‌ଡାଉନ୍‌ ଏବଂ କୋଭିଡ୍‌- ୧୯ ସଂକ୍ରମଣକୁ ପ୍ରତିହତ ପାଇଁ ସାମାଜିକ ଦୂରତା କାରଣରୁ ସେମାନଙ୍କର ନିଯୁକ୍ତି ଓ ଆୟ ହରାଇବାକୁ ପଡ଼ିଛି। ଚାକିରି ହରାଇଥିବା ଏହି ଘରୋଇ ସହାୟକମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା।

ଆଇଏଲଓ ପକ୍ଷରୁ ଚଳିତ ଜୁନ୍‌ ମାସ ଆରମ୍ଭରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଏ କ୍ଷେତ୍ରରେ ସର୍ବାଧିକ ପ୍ରଭାବିତ ଅଞ୍ଚଳ ହେଉଛି ଦକ୍ଷିଣ- ପୂର୍ବ ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ। ଉଭୟ ଆନୁଷ୍ଠାନିକ ଏବଂ ଅଣ ଆନୁଷ୍ଠାନିକ ନିଯୁକ୍ତିରେ ଘରୋଇ ସହାୟକମାନେ ପ୍ରଭାବିତ ହୋଇଥିବାବେଳେ, ଅଣଔପଚାରିକ ଚାକିରି କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୬ ପ୍ରତିଶତ ମଧ୍ୟ ନିଜର ଚାକିରି ହରାଇଛନ୍ତି। ଯେଉଁ ଦେଶରେ କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ କଠୋର ଲକ୍‌ଡାଉନ୍‌ ନିୟମ ଲାଗୁ ହୋଇଥିଲା, ସେହି ଦେଶମାନଙ୍କରେ ଏବେ ଏମାନଙ୍କର ସ୍ଥିତି ଅତ୍ୟନ୍ତ ସଂଗୀନ୍‌ ଅବସ୍ଥାରେ ଅଛି। କାରଣ, ଲକ୍‌ଡାଉନ୍‌ କାରଣରୁ ଗୋଟିଏ ପଟେ ସେମାନେ ନିଜ ନିଜର ଚାକିରି ହରାଇଥିବା ବେଳେ ଅନ୍ୟପଟେ ଏହି ସମୟ ମଧ୍ୟରେ ସେମାନଙ୍କର ସମସ୍ତ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରି ଦେଇଛନ୍ତି। ତେଣୁ, ସେମାନଙ୍କ ପାଇଁ ତୁରନ୍ତ ଅନ୍ୟ ବିକଳ୍ପ ବ୍ୟବସ୍ଥା କରାଯିବା ସହ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି କହିଛି ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)।

ସମ୍ବନ୍ଧିତ ଖବର