ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼: ଲିଜ୍ ଟ୍ରସ୍‌ଙ୍କୁ ମିଳିଲା କ୍ୟାବିନେଟ୍‌ର ସମର୍ଥନ

ଳଣ୍ଡନ : ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଦୌଡ଼ରେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ଏବେ ଆଗରେ ଅଛନ୍ତି ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ୍। ସୋମବାର ଭୋଟିଂ ଆରମ୍ଭ ହୋଇଥିବା ବେଳେ ଟ୍ରସ୍‌ଙ୍କୁ କ୍ୟାବିନେଟ୍‌ର ସମର୍ଥନ ମିଳିଛି ଯାହା ତାଙ୍କ ପାଇଁ ଆଉ ଏକ ବଡ଼ ସଫଳତା।

ନିଜର ହାର୍‌କୁ ଜିତ୍‌ରେ ବଦଳାଇବା ପାଇଁ ସୁନକ ଭବିଷ୍ୟତରେ ଟିକସ କାଟ କରିବା ଏବଂ ଏକ ଭବିଷ୍ୟତ ମହିଳା ଫୁଟ୍‌ବଲ୍ ବିଶ୍ବକପ୍‌ ବ୍ରିଟେନରେ ଆୟୋଜନ କରିବା ଓ ସେଥି ଲାଗି ପାଣ୍ଠି ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରବିବାରର ଫାଇନାଲ ମ୍ୟାଚ୍‌ରେ ଜର୍ମାନୀକୁ ହରାଇ ଇଂଲଣ୍ଡ ୧୯୬୬ ପରେ ଏକ ବୃହତ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବାରୁ ସବୁ ଗଣମାଧ୍ୟମରେ ତାହା ପ୍ରମୁଖ ଖବର ହୋଇ ବାହାରିଲା। ସୁନକଙ୍କ ଭବିଷ୍ୟତର ଟିକସ କାଟ ଖବର ଡେଲି ଟେଲିଗ୍ରାଫ୍ ଛଡ଼ା ଆଉ କେହି ପ୍ରକାଶ କଲେ ନାହିଁ।

ସୋମବାରଠାରୁ ଦୁଇ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ମୁହାଁମୁହିଁ ଲଢ଼େଇ ଆରମ୍ଭ ହୋଇଛି। ଦକ୍ଷିଣପଶ୍ଚିମ ଏକ୍ସଟରରୁ ଏହା ଆରମ୍ଭ ହୋଇଛି। ୧୨ଟି ଏପରି କାର୍ଯ୍ୟକ୍ରମରୁ ଏହା ହେଉଛି ଦ୍ବିତୀୟ। ସବା ଶେଷରେ ସେପ୍ଟେମ୍ବର ୫ରେ ଫଳ ଘୋଷଣା କରାଯିବ।

ସୁନକ ଜଣେ ପୋଖତ ବକ୍ତା। ତଥାପି ଟିକସ କାଟ ପ୍ରସଙ୍ଗକୁ ନେଇ ସେ ପଛରେ ପଡ଼ିଗଲେ। ଏବେ ସଂବେଗ ବଢ଼ାଇବା ପାଇଁ ତାଙ୍କୁ ଲାଗିବାକୁ ପଡ଼ିବ। ଅର୍ଥମନ୍ତ୍ରୀ ନଦିମ ଜାହାୱି ବୋରିସ ଜନସନଙ୍କ କ୍ୟାବିନେଟ୍‌ର ଅନ୍ୟ ସଦସ୍ୟଙ୍କ ସହ ସୁନକଙ୍କ ବିରୋଧରେ ଯାଇ ଟ୍ରସ୍‌ଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଜାହାୱି ଟେଲିଗ୍ରାଫ୍‌ରେ ପ୍ରଥମେ ମୁଦ୍ରାସ୍ଫୀତି ସହ ମୁକାବିଲା ଓ ପରେ ଟିକସ କାଟ ନେଇ ସୁନକଙ୍କ ନିଷ୍ପତ୍ତିକୁ ସମାଲୋଚନା କରି ଏକ ନିବନ୍ଧ ଲେଖିଛନ୍ତି।

ସମ୍ବନ୍ଧିତ ଖବର