ଲଣ୍ଡନ : ବ୍ରିଟିଶ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି । ବ୍ରିଟେନରେ ଶାସନ କରୁଥିବା କଂଜରଭେଟିଭ ଦଳ ପକ୍ଷରୁ ତାଙ୍କୁ ନେତା ନିର୍ବାଚିତ କରାଯିବା ପରେ ସେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
ଗତ ୨ ମାସ ଧରି ଚାଲିଥିବା ତୀବ୍ର ପ୍ରତିଦ୍ବନ୍ଦିତା ପରେ ଟ୍ରସ୍ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ କଂଜରଭେଟିଭ ଦଳର ନେତା ନିର୍ବାଚିତ ହୋଇଛନ୍ତି । ଲିଜଙ୍କୁ ୮୧,୩୨୬ଟି ଭୋଟ ମିଳିଥିବାବେଳେ ସୁନକଙ୍କୁ ୬୦,୩୯୯ଟି ଭୋଟ ମିଳିଥିଲା ।
ଶକ୍ତି ସଂକଟ, ମାନ୍ଦାବସ୍ଥା ପରି କେତେକ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ରିଟେନର ଅର୍ଥନୀତିକୁ ସଜାଡ଼ିବା ନୂଆ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।
ପ୍ରଧାନମନ୍ତ୍ରୀ ପଦ ପାଇଁ ନାମ ଘୋଷଣା ହେବା ପରେ ଲିଜ କହିଛନ୍ତି ଯେ ସେ ଟିକସ ହ୍ରାସ, ଅର୍ଥନୀତିକୁ ଆଗକୁ ନେବା ଓ ଶକ୍ତି ସଂକଟ ଓ ଲେକଙ୍କ ବିଦ୍ୟୁତ ବିଲ ବାବଦରେ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ । ଏହାଛଡ଼ା ଜାତୀୟ ସ୍ବାସ୍ଥ୍ୟ ସେବା ମଧ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି ।
ଲିଜ୍ ଟ୍ରସଙ୍କ ସଂପୂର୍ଣ୍ଣ ନାମ ହେଉଛି ମେରି ଏଲିଜାବେଥ ଟ୍ରସ୍ । ୨୬ ଜୁଲାଇ, ୧୯୭୫ରେ ଇଂଲଣ୍ଡର ଅକ୍ସଫୋର୍ଡରେ ଜନ୍ମ ଗ୍ରହଣ କରିଥିବା ଟ୍ରସ୍ ଗତ ୨୦୨୧ରୁ ବ୍ରିଟେନର ବିଦେଶ, ରାଜ୍ୟଗୋଷ୍ଠୀ ଓ ଉନ୍ନୟନ ବ୍ୟାପାର ମନ୍ତ୍ରୀ ଅଛନ୍ତି । ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟରେ ପଢିଥିବା ଟ୍ରସ ପୂର୍ବରୁ ତୈଳ କମ୍ପାନି ସେଲରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାମ କରିଥିଲେ ।
ଗତ ୧୭ ଜୁଲାଇରେ ବୋରିସ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।