ଲଣ୍ଡନ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା କଞ୍ଜରଭେଟିଭ୍ ଦଳର ନେତୃତ୍ବ ଦୌଡ଼ରେ ବିଜୟୀ ହୋଇଥିବା ବୈଦେଶିକ ମନ୍ତ୍ରୀ ଥିବା ଲିଜ୍ ଟ୍ରସ୍ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଲିଜ୍ ଟ୍ରସ୍ ହେବେ ବ୍ରିଟେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ପୂର୍ବରୁ ୨ ମହିଳା ମାର୍ଗାରେଟ୍ ଥାଟ୍ଚେର୍ ଓ ଥେରେସା ମେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି।
ସୋମବାର ଘୋଷିତ ଫଳାଫଳରେ ସେ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ବିଜୟ ହାସଲ କରିଛନ୍ତି। ଗତ କିଛି ସପ୍ତାହ ଭିତରେ ଦଳର ସଦସ୍ୟମାନଙ୍କୁ ସେମାନଙ୍କ ପ୍ରିୟ ନେତା ବାଛିବା ପାଇଁ କୁହାଯାଇଥିଲା। ଟ୍ରସ୍ଙ୍କ ସପକ୍ଷରେ ୮୧,୩୨୬ ଜଣ ଭୋଟ ଦେଇଥିବା ବେଳେ ସୁନକଙ୍କୁ ପସନ୍ଦ କରିଥିଲେ ୬୦,୩୯୯ ଜଣ। ମୋଟ ପଡ଼ିଥିବା ୮୨.୬ ପ୍ରତିଶତ ଭୋଟ ମଧ୍ୟରୁ ଟ୍ରସ୍ ୫୭ ପ୍ରତିଶତ ଭୋଟ ପାଇଥିବା ବେଳେ ସୁନକ ପାଇଥିଲେ ୪୨ ପ୍ରତିଶତ ଭୋଟ।
ସୋମବାର ଏକ ସାଧାରଣ ସଭାରେ ଟ୍ରସ୍ ତାଙ୍କ ସମର୍ଥକମାନଙ୍କୁ ଧନ୍ୟବାଦ ଦେବା ସହ ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ତାଙ୍କର ବନ୍ଧୁ ବୋଲି କହିଥିଲେ। ଜଣେ କଞ୍ଜରଭେଟିଭ୍ ଭାବେ ସେ ଦେଶ ଶାସନ କରିବେ ଏବଂ ୨୦୧୯ରେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରିବା ଲାଗି କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ। ଏଥିସହ ଟିକସ ହ୍ରାସ ଲାଗି ସେ ସାହସିକ ପଦକ୍ଷେପ ନେବେ ଓ ରାଜସ୍ବ ବୃଦ୍ଧି ପାଇଁ ମଧ୍ୟ ଚେଷ୍ଟା କରିବେ ବୋଲି କହିଥିଲେ। ତାଙ୍କ ନେତୃତ୍ବରେ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ମଧ୍ୟ ଦଳ ଜିତିବ ବୋଲି ଟ୍ରସ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Untitled-4.jpg)