ଲଣ୍ଡନ୍: ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ ବୈଦେଶିକ ମନ୍ତ୍ରୀ ଥିବା ବେଳେ ତାଙ୍କ ବ୍ୟକ୍ତିଗତ ଫୋନ୍କୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ପାଇଁ କାମ କରୁଥିବା ସନ୍ଦିଗ୍ଧ ଗୁପ୍ତଚରମାନେ ‘ହ୍ୟାକ୍’ କରିଥିବା କଥା ଶନିବାର ଦିନ ‘ଦି ଡେଲି ମେଲ୍’ ରିପୋର୍ଟ କରିଛି।
ରିପୋର୍ଟରେ ଉଲ୍ଲେଖ ଅଛି, ସେ ଗୁପ୍ତଚରମାନେ ଅର୍ନ୍ତରାଷ୍ଟ୍ରୀୟ ମିତ୍ର ଦେଶମାନଙ୍କ ସଙ୍ଗେ କରାଯାଇଥିବା ରାଜିନାମାର ଅତି ଗୋପନୀୟ ବିବରଣ ଓ ଟ୍ରସ୍ଙ୍କ ଘନିଷ୍ଠ ବନ୍ଧୁ କ୍ବାସି କ୍ବାର୍ଟେଞ୍ଜ୍ଙ୍କ ସାଥିରେ ବିନିମୟ ହୋଇଥିବା ବ୍ୟକ୍ତିଗତ ବାର୍ତ୍ତା ହାସଲ କରିଥିଲେ। ପରେ କ୍ବାସି କ୍ବାର୍ଟେଞ୍ଜ୍ ବ୍ରିଟେନ୍ର ଅର୍ଥମନ୍ତ୍ରୀ ହୋଇଥିଲେ।
ପଠାଯାଉଥିବା ଅସ୍ତ୍ରଶସ୍ତ୍ରର ସବିଶେଷ ବିବରଣ ସମେତ ୟୁକ୍ରେନ୍ରେ ଚାଲିଥିବା ଯୁଦ୍ଧ ବିଷୟରେ ବରିଷ୍ଠ ଆନ୍ତର୍ଜାତିକ ମନ୍ତ୍ରୀମାନଙ୍କ ସହିତ ହୋଇଥିବା ଆଲୋଚନା ଗୁପ୍ତଚରମାନେ ହାସଲ କରିଥିବା ଉକ୍ତ ବାର୍ତ୍ତାଗୁଡ଼ିକରେ ରହିଛି ବୋଲି ମନେହେଉଥିବା କଥା ଉକ୍ତ ରିପୋର୍ଟରେ କୁହାଯାଇଛି।
ଫୋନ୍ ‘ହ୍ୟାକ୍’ କରାଯାଇ ପ୍ରାୟ ଏକ ବର୍ଷର ବାର୍ତ୍ତା ବା ମେସେଜ୍ ଡାଉନ୍ଲୋଡ୍ କରାଯାଇଛି ବୋଲି ଅଜ୍ଞାତସୂତ୍ରରୁ ତଥ୍ୟ ଯୋଗାଡ଼ କରି ‘ଦି ମେଲ୍’ ରିପୋର୍ଟ କରିଛି।
ସେପଟେ, ବ୍ୟକ୍ତିବିଶେଷଙ୍କ ନିରାପତ୍ତା ବ୍ୟବସ୍ଥା ବିଷୟରେ ମନ୍ତବ୍ୟ ଦେବାକୁ ବ୍ରିଟିସ୍ ସରକାରଙ୍କର ଜଣେ ମୁଖପାତ୍ର ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି, ସାଇବର ବିପଦରୁ ସୁରକ୍ଷା ଦେବା ପାଇଁ ସରକାର ଟାଣୁଆ ବ୍ୟବସ୍ଥା କରିଛନ୍ତି। ଉକ୍ତ ବ୍ୟବସ୍ଥାରେ ନିୟମିତ ମନ୍ତ୍ରୀମାନଙ୍କର ସୁରକ୍ଷା ସମୀକ୍ଷା, ସେମାନଙ୍କର ବ୍ୟକ୍ତିଗତ ‘ଡାଟା’ ସୁରକ୍ଷା ନିମନ୍ତେ ପରାମର୍ଶ ଏବଂ ସାଇବର୍ ବିପଦ ଟାଳିବା ଆଦି ବିଷୟରେ ପରାମର୍ଶ ଦିଆଯାଉଛି।
ଟ୍ରସ୍ଙ୍କୁ ପ୍ରଧାନମନ୍ତ୍ରୀ କରାଇବା ନିମନ୍ତେ ‘କଞ୍ଜର୍ଭେଟିଭ୍ ପାର୍ଟି’ ପ୍ରଚାର ଚଳାଇଥିବା ବେଳେ ତାଙ୍କ ଫୋନ୍ ‘ହ୍ୟାକ୍’ ହୋଇଥିବା କଥା ଜଣାପଡ଼ିଥିଲା ବୋଲି ‘ଦି ମେଲ୍’ ରିପୋର୍ଟ କରିଛି।