ଋଣ ଖିଲାପୀମାନେ ‘ଆଭ୍ୟନ୍ତରୀଣ କାର୍ଯ୍ୟାନୁଷ୍ଠାନ’ କାଳରେ ଓକିଲଙ୍କ ସାହାଯ୍ୟ ନେଇ ପାରିବେ ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ବ୍ୟାଙ୍କ୍‌ କିମ୍ବା ଅନ୍ୟ କୌଣସି ଆର୍ଥିକ ଅନୁଷ୍ଠାନ ଠାରୁ ଋଣ ଆଣି ପରିଶୋଧ କରିବାରେ ବିଫଳ ହୋଇଥିବା ଋଣ ଗ୍ରହୀତାମାନଙ୍କ ବିରୋଧରେ ଋଣ ଦେଇଥିବା ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ଅନୁଷ୍ଠାନ ଯେତେବେଳେ ଆଭ୍ୟନ୍ତରୀଣ କାର୍ଯ୍ୟାନୁଷ୍ଠାନ (ଇନ୍‌-ହାଉସ୍‌ ପ୍ରେସିଡିଙ୍ଗସ୍‌) ଆରମ୍ଭ କରିଥିବେ ସେ ସମୟରେ ଋଣ ଗ୍ରହୀତାମାନେ ଓକିଲମାନଙ୍କର ସାହାଯ୍ୟ ନେଇ ପାରିବେ ନାହିଁ। କିମ୍ବା, ସେମାନଙ୍କ ଓକିଲଙ୍କ ମାର୍ଫତରେ ଆଭ୍ୟନ୍ତରୀଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିବା ସଂସ୍ଥା ନିକଟରେ ହାଜର ହୋଇ ପାରିବେ ନାହିଁ। ବରଂ ନିଜେ ହାଜର ହୋଇ କେଉଁ ବିଶେଷ କାରଣ ବା ପ୍ରତିବନ୍ଧକ ଯୋଗୁଁ ଋଣ ପରିଶୋଧ କରିବାରେ ବିଫଳ ହେଲେ ତାହା ଦର୍ଶାଇବେ। ନଚେତ ଋଣ ପ୍ରଦାନ କରିଥିବା ସଂସ୍ଥା ସେମାନଙ୍କୁ ‘ଇଚ୍ଛାକୃତ ଋଣ ଖିଲାପୀ’ ଭାବେ ଘୋଷଣା କରିବା ସହ ସେମାନଙ୍କ ବିରୋଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ ଓ ଜଷ୍ଟିସ୍‌ ଭିନୀତ ଶରଣଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଋଣ ଖିଲାପୀମାନେ ସେମାନଙ୍କୁ ଋଣ ପ୍ରଦାନ କରିଥିବା ସଂସ୍ଥାର ଆଭ୍ୟନ୍ତରୀଣ ତଦନ୍ତ ବା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ବେଳେ ଓକିଲଙ୍କ ସହାୟତା ନେବା ପାଇଁ ସେମାନଙ୍କର କୌଣସି ପ୍ରକାରର ‘ଅଧିକାର’ ନାହିଁ। ଏ କ୍ଷେତ୍ରରେ ଋଣ ଖାଲାପୀମାନଙ୍କ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦ୍ୱାରା ପ୍ରଣୟନ କରା ଯାଇଥିବା ନିୟମକୁ ସେମାନେ ମାନିବାକୁ ବାଧ୍ୟ ବୋଲି ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ତାଙ୍କ ରାୟରେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର