ନୂଆଦିଲ୍ଲୀ: କୋଭିଡ୍-୧୯ ପ୍ରଭାବରେ ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ୨ ବର୍ଷ ପାଇଁ ଋଣକିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇପାରେ ବୋଲି ଆଜି (ମଙ୍ଗଳବାର) ଉଭୟ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ମଙ୍ଗଳବାର ସୁପ୍ରିମ କୋର୍ଟଙ୍କୁ କହିଛନ୍ତି।
କୋଭିଡ୍-୧୯ ମହାମାରୀର ପ୍ରଭାବକୁ ଅନୁଧ୍ୟାନ କରି ଋଣ କିସ୍ତି ପରିଶୋଧର ଅବଧିକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇ ପାରିବ। ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର (ଆରବିଆଇ) କ୍ଷମତା ପରିସର ଭୁକ୍ତ ଓ ଏଥିପାଇଁ ମଧ୍ୟ କେନ୍ଦ୍ର ସରକାରଙ୍କର ପ୍ରାବଧାନ ରହିଥିବା ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି।
ସୁପ୍ରିମ୍ କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଆଜି ଏ ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ କୋଭିଡ୍-୧୯ ପ୍ରଭାବରେ ଚାପଗ୍ରସ୍ତ କ୍ଷେତ୍ର ଏବଂ ବ୍ୟକ୍ତିବିଶେଷଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଥିବା ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି ସଲିସିଟର ଜେନେରାଲ ମେହେଟ୍ଟା।
ସେ କହିଛନ୍ତି କୋଭିଡ୍-୧୯ ମହାମାରୀ ଯୋଗୁଁ ଦେଶର ଅର୍ଥନୀତି ୨୩ ପ୍ରତିଶତ ହ୍ରାସ ପାଇଛି। କେନ୍ଦ୍ର ସରକାର ଏବେ ଚିହ୍ନଟ ପ୍ରକ୍ରିୟାରେ ଅଛନ୍ତି। ପ୍ରଭାବିତ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବା ସହ ପ୍ରଭାବ ଅନୁଯାୟୀ ପ୍ରଭାବିତମାନଙ୍କ ପାଇଁ ଭିନ୍ନ ଭିନ୍ନ ଯୋଜନା ଲାଗୁ କରାଯିବ। ଏଥିରେ ଋଣସୁଧ ଛାଡ଼ ଠାରୁ ଋଣ ପରିଶୋଧ କିସ୍ତି ଅବଧିକୁ ବଢ଼ାଇବା ବା ସାମୟିକ ଭାବେ ସ୍ଥଗିତ ରଖିବା ପର୍ଯ୍ୟନ୍ତରେ ବିଭିନ୍ନ ଯୋଜନା ରହିଛି। ପୂର୍ବରୁ ମଧ୍ୟ କୋଭିଡ୍-୧୯ ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଗଷ୍ଟ ୩୧ ତାରଖ ପର୍ଯ୍ୟନ୍ତ ଋଣ ପରିଶୋଧ କିସ୍ତି ଅବଧିକୁ ସ୍ଥଗିତ ରଖିଥିଲେ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ।
କୋଭିଡ୍ ପ୍ରଭାବ: ୨ ବର୍ଷ ପାଇଁ ଋଣକିସ୍ତି ପ୍ରଦାନକୁ ସ୍ଥଗିତ ରଖାଯାଇ ପାରେ ସୁପ୍ରିମ୍ କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର
/sambad/media/post_attachments/wp-content/uploads/2020/09/SC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)