ପରିବାର ଉପରେ କରଜ ଚାପ: ବ୍ୟାଙ୍କ ଜମା ହ୍ରାସ ପାଉଛି ଚଳିତ ବର୍ଷ ସ୍ଥିତି ଆହୁରି ଖରାପ ହେବ
ନୂଆଦିଲ୍ଲୀ: କୋଭିଡ୍ ମହାମାରୀର ଦ୍ବିତୀୟ ଲହର ଦେଶର ଅନେକ ପରିବାରକୁ କରଜ କରିବାକୁ ବାଧ୍ୟ କରିଛି। ନିଜର ଗୁଜୁରାଣ୍ଟ ମେଣ୍ଟାଇବା ଲାଗି ଲୋକମାନେ ଖୁଚୁରା ଋଣ ଠାରୁ ଆରମ୍ଭ କରି ଫସଲ ଋଣ ଓ ବ୍ୟବସାୟ ଋଣ ଆଦି ନେଇଛନ୍ତି। ଫଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ପରିବାର ଋଣର ଅନୁପାତ ୨୦୨୦-୨୧ ଆର୍ଥିକ ବର୍ଷରେ ୩୭.୩ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୯-୨୦ରେ ଏହି ଅନୁପାତ ୩୨.୫% ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅର୍ଥନୈତିକ ଗବେଷଣା ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ, ଲୋକମାନେ ବ୍ୟାଙ୍କରେ ରଖିଥିବା ଜମାକୁ ବାହାର କରି ନିତିଦିନିଆ କାର୍ଯ୍ୟରେ ଖର୍ଚ୍ଚ କରିଛନ୍ତି। ଅନେକ ପରିବାର ବାଣିଜ୍ୟିକ ବ୍ୟାଙ୍କ, କ୍ରେଡିଟ୍ ସୋସାଇଟି, ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ସଂସ୍ଥା ଠାରୁ ଋଣ ନେଇଛନ୍ତି। ଋଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ସ୍ତରରେ ପହଞ୍ଚିଥିବା ରିପୋର୍ଟରେ କୁହାଯାଇଛି। ଯଦି ଅନେକ ପରିବାରର ଋଣ ବୋଝ ବଢ଼ିଛି କିନ୍ତୁ ଅନ୍ୟ ଦେଶ ତୁଳନାରେ ଏବେବି ଭାରତ ଏକପ୍ରକାର ଭଲ ସ୍ଥିତିରେ ରହିଛି। ଜିଡିପିକୁ ମଜୁରି ଆୟର ଅନୁପାତ ହ୍ରାସ ପାଇବାରେ ଲାଗିଛି। ବ୍ୟାଙ୍କ ଜମାରେ କ୍ରମାଗତ ଭାବେ ହ୍ରାସ ଘଟୁଥିବା ବେଳେ ସ୍ବାସ୍ଥ୍ୟ ସେବାରେ ବ୍ୟୟ ବଢ଼ୁଥିବାରୁ ଆଗାମୀ ଦିନରେ ପରିବାରଗୁଡ଼ିକର ଋଣ ବୋଝ ଆହୁରି ବଢ଼ିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।
ଏସ୍ବିଆଇ ଏହାର ରିପୋର୍ଟରେ ଆଶ୍ବସ୍ତ କରିବା ଭଳି ତଥ୍ୟ ମଧ୍ୟ ଦେଇଛି। ଜୁନ୍ରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଏକ ଭଲ ସଙ୍କେତ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଯେଉଁ ଦେଶର ମୁଣ୍ଡପିଛା ଆୟ ଯେତେବ ଅଧିକ ସେଠାରେ ପ୍ରତି ନିୟୁତ ବ୍ୟକ୍ତିଙ୍କ ପିଛା କୋଭିଡ୍ରେ ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ସେତେ ଅଧିକ। ଯେଉଁ ଦେଶର ମୁଣ୍ଡପିଛା ଆୟ କମ୍ ସେଠାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି। ଭାରତରେ ମଧ୍ୟ ଯେଉଁ ରାଜ୍ୟର ମୁଣ୍ଡପିଛା ଆୟ ଅଧିକ ସେଠାରେ ପ୍ରତି ନିୟୁତ ଲୋକଙ୍କ ପିଛା ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏଥିରୁ ଏହା ପ୍ରତିଫଳିତ ହେଉଛି ଯେ ଧନୀ ଦେଶ ଓ ରାଜ୍ୟଗୁଡ଼ିକ କରୋନା ଦ୍ବାରା ଅଧିକ ପ୍ରଭାବିତ ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଆସାମ, ଓଡ଼ିଶା ଓ ରାଜସ୍ଥାନ ଭଳି କମ୍ ମୁଣ୍ଡପିଛା ଆୟ ଥିବା ରାଜ୍ୟରେ ପ୍ରତି ନିୟୁତ ପିଛା ମୃତ୍ୟୁ ସଂଖ୍ୟା କମ୍ ରହିଛି। ସେହି ସମୟରେ ଅଧିକ ମୁଣ୍ଡପିଛା ଆୟ ଥିବା ରାଜ୍ୟ ଯଥା ମହାରାଷ୍ଟ୍ର, ଉତ୍ତରାଖଣ୍ଡ, କେରଳ, କର୍ଣ୍ଣାଟକ, ତାମିଲନାଡୁ ଓ ହିମାଚଳପ୍ରଦେଶରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି।
ଷ୍ଟେଟ୍ ବ୍ୟାଙ୍କ ଏହାର ରିପୋର୍ଟରେ ଜଣାଇଛି ଯେ ରାଜସ୍ଥାନ, ଦିଲ୍ଲୀ, ହିମାଚଳପ୍ରଦେଶ, କେରଳ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ୬୦ ବର୍ଷରୁ ଅଧିକ ବୟସର ଅଧିକାଂଶ ଲୋକଙ୍କ ଟିକାକରଣ କରାଯାଇଛି। ଏହି ରାଜ୍ୟଗୁଡ଼ିକର ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ତୁଳନାରେ ଅଧିକ ଡୋଜ୍ ଟିକା ଦିଆଯାଇଛି। ଏଥିରୁ ଏହା ବୁଝାପଡ଼ୁଛି ଯେ ଅନେକ ଲୋକ ଟିକାର ଦୁଇଟି ଡୋଜ୍ ନେଇଛନ୍ତି। ଗ୍ରାମାଞ୍ଚଳରେ କିନ୍ତୁ ଟିକାକରଣ ଧୀମା ରହିଛିତ। ଗୁଜରାଟ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ଗ୍ରାମାଞ୍ଚଳରେ ଟିକାକରଣ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଉନ୍ନତ ସ୍ତରରେ ରହିଛି ବୋଲି ରିପୋର୍ଟରେ କୁହାଯାଇଛି।