ଶ୍ରୀନଗର : ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲା ସ୍ଥିତ ଏଲ୍ଓସିରେ ପାକ୍ ସେନା ଆଜି ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିଛି। ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ପାକିସ୍ତାନ ଲଗାତାର ଗୁଳିଚାଳନା କରୁଥିବାରୁ ଏହାଦ୍ବାରା ସାଧାରଣ ଲୋକମାନେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ରାତିରେ ପୁଞ୍ଚ୍ ସେକ୍ଟରରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରି ପ୍ରବଳ ଗୁଳିଗୋଳା ମାଡ଼ କରିବା ଫଳରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି। ମେନ୍ଧର ସେକ୍ଟରରେ ଗତକାଲି ବିଳମ୍ବିତ ରାତିରେ ସୀମାନ୍ତ ଗ୍ରାମ ଦବରାଜର ଜଣେ ବ୍ୟକ୍ତିଙ୍କ ଘରେ ପାକିସ୍ତାନ ପଟୁ ମୋର୍ଟାର ମାଡ଼ ହେବାଫଳରେ ୨୨ ବର୍ଷୀୟ ମହମ୍ମଦ ଅବଦୁଲ କରିମ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି। ଗ୍ରାମର ୩୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।
ଗତକାଲି ମେନ୍ଧର ଏବଂ କ୍ରିଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ପ୍ରବଳ ଗୋଳା ମାଡ଼ କରିଥିଲା। ଗତକାଲି ପାକ୍ ସେନାର ଗୁଳିମାଡ଼ରେ ସେନା ଯବାନ ନାଏକ ରବି ରଂଜନ କୁମାର ସହିଦ ହୋଇ ଯାଇଥିଲେ ଏବଂ ଅନ୍ୟ ୪ ଜଣ ଆହତ ହୋଇଥିଲେ । ସପ୍ତାହକ ମଧ୍ୟରେ ପାକ୍ ସେନାର ଗୁଳିମାଡ଼ରେ ସୀମାବର୍ତ୍ତୀ ୯ଟି ଗ୍ରାମ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଫାୟାରିଂ ରେଞ୍ଜ୍ ଅଧୀନରେ ଆସୁଥିବା କେତେକ ସ୍କୁଲ୍କୁ ବନ୍ଦ କରି ଦିଆଯାଇଛି। ଭାରତୀୟ ସେନା ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଆଜି ପାକ୍କୁ ଜବାବ ଦେଇଥିବାରୁ ପାକିସ୍ତାନ ପଟେ ବ୍ୟାପକ କ୍ଷୟକ୍ଷତି ଘଟିଛି।