ଇମ୍ଫାଲ: ମଣିପୁର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବର୍ଷାକୁ ଖାତିର ନକରି ଇମ୍ଫାଲରୁ ପ୍ରାୟ ୬୫ କିମି ଦୂର କୁକି ବହୁଳ ଚୁରାଚାନ୍ଦପୁରରେ ପହଞ୍ଚିଥିଲେ। ସେଠାରେ ମୋଦୀ ହିଂସା ପ୍ରଭାବିତ ପରିବାର ସଦସ୍ୟ ଯେଉଁମାନେ ନିଜ ଘର ଛାଡ଼ି ଶିବିରରେ ରହୁଛନ୍ତି ସେମାନଙ୍କୁ ଭେଟିଥିଲେ। ପୀଡ଼ିତଙ୍କୁ ଭେଟି ମୋଦୀ ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି ଏବଂ ରିଲିଫ୍ ଶିବିରରେ ବୟସ୍କ ଓ ପିଲାମାନଙ୍କ ସହ କଥା ହୋଇଛନ୍ତି। ମୋଦୀ ମଧ୍ୟ ଇମ୍ଫାଲରେ ମୈତେୟୀ ଗୋଷ୍ଠୀଙ୍କୁ ଭେଟିଛନ୍ତି, ଯେଉଁମାନେ ବିସ୍ଥାପିତ ହୋଇ ଏବେ ଶିବିରରେ ରହୁଛନ୍ତି। ଇମ୍ଫାଲରେ କିଛି ସ୍ଥାନୀୟ ଲୋକ ଏବଂ ଛାତ୍ରଛାତ୍ରୀ ଆଜି ମୋଦୀଙ୍କ ସହ କଥା ହେବା ସମୟରେ କାନ୍ଦି ପକାଇଥିଲେ। ଗତ ୨ ବର୍ଷ ହେବ ସେମାନେ କିଭଳି କଷ୍ଟଦାୟକ ଜୀବନ ଅତିବାହିତ କରିଛନ୍ତି ସେ ବିଷୟରେ କହିବା ସମୟରେ ସେମାନେ କାନ୍ଦି ପକାଇଥିଲେ।
ଉଲ୍ଲେଖଯୋଗ୍ୟ, ଚୁରାଚାନ୍ଦପୁରରେ ଅଧିକାଂଶ କୁକି-ଜୋ ଗୋଷ୍ଠୀର ସଦସ୍ୟ ରହନ୍ତି। ଏଠାରେ ମୈତେୟୀମାନଙ୍କ ଅନୁସୂଚିତ ଜନଜାତି ମାନ୍ୟତା ଦାବି ବିରୁଦ୍ଧରେ ଏକ ଆଦିବାସୀ ଗୋଷ୍ଠୀର ରାଲି ସମୟରେ ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। କୁକି-ଜୋ ଗୋଷ୍ଠୀଗୁଡ଼ିକ ଦାବି କରିଛନ୍ତି ଯେ ଯେଉଁ ପାହାଡିଆ ଜିଲ୍ଲାଗୁଡ଼ିକରେ ସେମାନେ ବହୁଳ, ସେମାନଙ୍କୁ ଏକ ପୃଥକ କେନ୍ଦ୍ରଶାସିତ ଅଞ୍ଚଳ କରାଯାଉ। ଅନ୍ୟପକ୍ଷେ ଇମ୍ଫାଲ ଉପତ୍ୟକା ମୈତେୟୀ ବହୁଳ ଅଂଚଳ।