ମୁନିସ୍‌ପାଲିଟି ପରିସରରେ ୭୦୦-୮୦୦ ‌ବୁଲା ଗୋରୁ ଭର୍ତ୍ତିକଲେ ସ୍ଥାନୀୟ ବାସିନ୍ଦା; ଦୈନିକ ୨୦ କ୍ବିଣ୍ଟାଲ୍‌ ଗୋଖାଦ୍ୟ ଖୁଆଉଛନ୍ତି କର୍ତ୍ତୃପକ୍ଷ

ଭିଣ୍ଡ୍‌: ବୁଲା ଗାଈଗୋରୁଙ୍କ ଉତ୍ପାତରେ ବ୍ୟତିବ୍ୟସ୍ତ ହୋଇ ମଧ୍ୟପ୍ରଦେଶର ଭିଣ୍ଡ୍‌ ଜିଲ୍ଲା ଅନ୍ତର୍ଗତ ଏକ ନଗରୀର ବାସିନ୍ଦାମାନେ ଶହ ଶହ ଗାଈଗୋରୁଙ୍କୁ ଅଡ଼ାଇ ନେଇ ସ୍ଥାନୀୟ ପୌରପାଳ କାର୍ଯ୍ୟାଳୟରେ ଭର୍ତ୍ତି କରିଥିବା କଥା ମଙ୍ଗଳବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଚିଫ୍‌ ମୁନିସ୍‌ପାଲ୍‌ ଅଫିସର୍‌ ରାମଭନ ସିଂହ ଭଦୋରିଆ କହିଛନ୍ତି, ଅକୋଡ଼ା ନଗରୀର ଅଧିବାସୀ ଏବଂ କୃଷକମାନେ ସୋମବାର ଦିନ ପ୍ରାୟ ୭୦୦ରୁ ୮୦୦ ଗାଈଗୋରୁଙ୍କୁ ଅଡ଼ାଇ ନେଇ ଅକୋଡ଼ା ନଗର ପରିଷଦ୍‌ ହତା ମଧ୍ୟରେ ଭର୍ତ୍ତି କରି ଅଟକାଇ ରଖିଛନ୍ତି। ବାସିନ୍ଦାମାନେ କହୁଛନ୍ତି କି, ବୁଲା ଗାଈଗୋରୁମାନେ ସେମାନଙ୍କ ଫସଲ ନଷ୍ଟ କରୁଛନ୍ତି। ଗୋରୁମାନଙ୍କୁ ଗୋଶାଳାକୁ ପଠାଯାଉ ନ ଥିବାରୁ ସେମାନେ ରାଗିଛନ୍ତି।

Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଗୋଟାଏ ଗୋ ଆଶ୍ରୟସ୍ଥଳ ନିର୍ମାଣ ସରିଛି, କିନ୍ତୁ ତାହାକୁ ମୁନିସ୍‌ପାଲିଟିକୁ ହସ୍ତାନ୍ତର କରାଯାଇ ନାହିଁ। ଗାଈଗୋରୁମାନେ ଏବେ ବି ମୁନିସ୍‌ପାଲିଟି ହତା ମଧ୍ୟରେ ଅଛନ୍ତି ଏବଂ ସେମାନଙ୍କ ପାଇଁ ଦୈନିକ ୨୦ କ୍ବିଣ୍ଟାଲ୍‌ ଗୋଖାଦ୍ୟ ବ୍ୟବସ୍ଥା କରାଯାଇଛି। ଏହି ସମସ୍ୟା ସଂକ୍ରାନ୍ତରେ କଥାବାର୍ତ୍ତା କରିବା ଲାଗି ଆଜି ସେ ଜିଲ୍ଲାପାଳଙ୍କୁ ଭେଟିବେ।

ଏହାଛଡ଼ା, ଏହି ଘଟଣାକୁ ନେଇ କୃଷକ ଓ ସ୍ଥାନୀୟ ବାସିନ୍ଦାମାନେ ଚଳାଇଥିବା ପ୍ରତିବାଦର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ସମ୍ବନ୍ଧିତ ଖବର