ଶ୍ରୀନଗର: ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଅଟକାଇଲେ ଜନତା । ଜମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲାଙ୍କ ଗାଡି ସାମ୍ନାକୁ ଆସି ହାତ ଦେଖାଇ ନିଜ ଦୁଃଖ ଜଣାଇବାକୁ ଚାହିଁଛନ୍ତି ଜନତା । ଭୟଙ୍କର ବନ୍ୟା ଏବଂ ବନ୍ୟା ପରବର୍ତ୍ତୀ ଭୂସ୍ଖଳନର ଦୁଃଖ ଦୁର୍ଦ୍ଦଶା ଏବଂ ସେମାନେ ଏହି କଠିନ ସମୟରେ କେମିତି କାଳତିପାତ କରୁଛନ୍ତି ସେ ବିଷୟରେ ଗୁହାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଅଟକାଇଥିଲେ । ସୁରକ୍ଷାକର୍ମୀଙ୍କୁ ଠେଲାପେଲା କରି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସୁଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ଅବଦୁଲା ଗାଡିରୁ ବାହାରି ସେମାନଙ୍କ ଦୁଃଖ ଭରା ଅଭିଯୋଗ ଶୁଣିଥିଲେ ଏବଂ ଆଶ୍ବାସନା ଦେଇଥିଲେ ।

Advertisment

ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ରାମବନ ଅଞ୍ଚଳର ସ୍ଥିତି ଅନଧ୍ୟାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଯାଇଥିବା ବେଳେ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ତେବେ ସ୍ବତନ୍ତ୍ର ବିମାନରେ ପହଞ୍ଚି ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ ମୁଖ୍ୟମନ୍ତ୍ରୀ ଏବଂ ଭୂସ୍ଖଳନସ୍ଥଳକୁ ଯାଇ ଅତି ପାଖରୁ ଅନୁଧ୍ୟାନ କରିଥିଲେ । ତାସହ ଖୁବଶୀଘ୍ର କ୍ଷୟକ୍ଷତିର ଆକଳନ କରି ପୁନରୁଦ୍ଧାର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଲଗାତାର ତିନି ଦିନ ଧରି ବରିଷ୍ଠ ଅଧିକାରୀ ଏବଂ ମନ୍ତ୍ରୀମାନେ ଏଠାକୁ ଆସୁଛନ୍ତି ଏବଂ ପରିସ୍ଥିତିର ଯାଞ୍ଚ କରୁଛନ୍ତି । ଯଥାସମ୍ଭବ ପୁନରୁଦ୍ଧାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି, ଅମୂଲ୍ୟ ଜୀବନ ରକ୍ଷା କରିବା ଆମର ପ୍ରାଥମିକତା ଥିଲା । ଆମେ ଲୋକମାନଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ନେଇଥିଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ପ୍ରାଥମିକତା ହେଉଛି ରାସ୍ତାଗୁଡ଼ିକର ପୁନଃ ସଂଯୋଗ ଏବଂ ପୁନରୁଦ୍ଧାର । ୨୪ ଘଣ୍ଟା ଭିତରେ ଜାତୀୟ ରାଜପଥର ଗୋଟିଏ ପାଖ ରାସ୍ତା ଖୋଲାଯିବା ନେଇ ଜୋରଦାର କାମ ଚାଲିଛି । । ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି, ପୁନରୁଦ୍ଧାର ପରେ କ୍ଷତିପୂରଣ ଦିଆଯିବ ।