ଭୋପାଳ: ମଧ୍ୟପ୍ରଦେଶରେ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଦେଶରେ ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶ ସରକାର ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୪୭ ଜଣ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଘର ବାହାରୁ ତାଲା ପକାଇ ଦେଇଛନ୍ତି ଜିଲ୍ଲା ପ୍ରଶାସନ। ଭୋପାଳଠାରୁ ୩୪୪ କିମି ଦୂର ଛତ୍ରପୁର ଜିଲ୍ଲାର ଖଜୁରାହୋ ଏବଂ ରାଜ୍ନଗର ସହରରେ ଏହି ପଦକ୍ଷେପ ନିଆଯାଇଛି। ମାର୍ଚ୍ଚ ୨୫ଠାରୁ ଏହି ୨ଟି ସହରରେ କର୍ଫ୍ୟୁ କଟକଣା ଜାରି ହୋଇଛି। ଏଠାକୁ ଆସିଥିବା ଜଣେ ପର୍ଯ୍ୟଟକ କରୋନା ଭାଇରସ୍ରେ ସଂକ୍ରମିତ ହେବାପରେ ଏହି ଅଞ୍ଚଳରେ କର୍ଫ୍ୟୁ ଜାରି ହୋଇଥିଲା। ଲୋକମାନଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କିଛି ଲୋକ ପ୍ରଶାସନର କାର୍ଯ୍ୟରେ ସହଯୋଗ କରିନଥିଲେ। ଏଥିପାଇଁ ଖଜୁରାହୋ ଏବଂ ରାଜ୍ନଗର ସହରର ପ୍ରାୟ ୪୯ ଜଣ ଲୋକ ଲକ୍ଡାଉନ୍ ନିୟମ ନମାନିବାରୁ ସେମାନଙ୍କୁ ଘର ବାହାରୁ ତାଲା ପକାଇ ଦିଆଯାଇଛି ବୋଲି ସମ୍ପୃକ୍ତ ଅଞ୍ଚଳର ଏସଡିଏମ୍ କହିଛନ୍ତି। ଏସ୍ଡିଏମ୍ କହିଛନ୍ତି ଜିଲ୍ଲାରୁ ଯେଉଁମାନେ ମାର୍ଚ୍ଚ ୩୦ ପରେ ବାହାରକୁ ଯାଇଥିଲେ ଏବଂ ଗ୍ବାଲିୟର, ଭୋପାଳ, କାନପୁର, ଆହ୍ଲାବାଦ୍ , ଦିଲ୍ଲୀ ଏବଂ ଅନ୍ୟ ସ୍ଥାନରେ ଚିକିତ୍ସିତ ହୋଇ ଫେରିଥିଲେ ସେମାନଙ୍କୁ ଘରେ ରହିବାପାଇଁ କୁହାଯାଇଥିଲା। କିନ୍ତୁ କିଛି ଲୋକ ଏହା ନମାନିବାରୁ ପ୍ରଶାସନ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏସ୍ଡିଏମ୍ କହିଛନ୍ତି, ଉଲ୍ଲଂଘନକାରୀଙ୍କୁ ଘର ବାହାରୁ ତାଲା ପକାଯାଇଥିଲେ ବି ସେମାନଙ୍କ ସମସ୍ତ କଥା ସରକାର ବୁଝୁଛନ୍ତି। କୌଣସି ଜରୁରୀ ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ଦିଆଯାଇଥିବା ଏମର୍ଜେନ୍ସି ନମ୍ବରରେ ସେମାନେ ଯୋଗାଯୋଗ କରିପାରିବେ ବୋଲି ଏସ୍ଡିଏମ୍ କହିଛନ୍ତି। ଅନ୍ୟପକ୍ଷେ ଛତ୍ରପୁର କଂଗ୍ରେସ ବିଧାୟକ କହିଛନ୍ତି, ପ୍ରଶାସନର ଏହି ନିଷ୍ପତ୍ତି ଅତ୍ୟନ୍ତ ଅମାନବୀୟ। ଏଭଳି କରି ଲୋକମାନଙ୍କ ମଧ୍ୟରେ ଭୟ ବୃଦ୍ଧି କରାଯାଉଛି ବୋଲି ସେ କହିଛନ୍ତି।
୪୭ ଲକ୍ଡାଉନ୍ ଉଲ୍ଲଂଘନକାରୀଙ୍କୁ ଘର ବାହାରୁ ତାଲା ପକାଗଲା
/sambad/media/post_attachments/wp-content/uploads/2020/03/LOCK13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)